ନିଶା ଓ ମାଦକଦ୍ରବ୍ୟ ସେବନ ଉପରେ ସଚେତନତା
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ‘ଶକ୍ତିଶ୍ରୀ ସଶକ୍ତୀକରଣ ପ୍ରକୋଷ୍ଠ’ ପକ୍ଷରୁ ମଙ୍ଗଳବାର “ନିଶା ଓ ମାଦକ ଦ୍ରବ୍ୟ ସେବନ ଉପରେ ସଚେତନତା, ନିରାକରଣ ଏବଂ ସୁରକ୍ଷା’ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କୁ ନିଶା ଓ ମାଦକ ଦ୍ରବ୍ୟ ସେବନର କ୍ଷତିକାରକ ପ୍ରଭାବ ବିଷୟରେ ଅବଗତ କରାଇବା ଏବଂ ଏହାର ପ୍ରତିଷେଧମୂଳକ ପଦକ୍ଷେପ ଗୁଡ଼ିକୁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ଏବଂ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅଧ୍ୟକ୍ଷ ପ୍ରଫେସର ଚତ୍ତରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରି ମାଦକ ଦ୍ରବ୍ୟ ସେବନ ଦ୍ୱାରା ହେଉଥିବା ଶାରୀରିକ, ମାନସିକ ତଥା ସାମାଜିକ ଦୁଷ୍ପରିଣାମ ବିଷୟରେ ଯୁବପିଢ଼ିଙ୍କୁ ସଚେତନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ।‘ଶକ୍ତିଶ୍ରୀ’ର ସଂଯୋଜିକା ପ୍ରଫେସର ଡ. ପୂର୍ବାଶା ପ୍ରିୟଦର୍ଶିନୀ ଅତିଥି ପରିଚୟ ପ୍ରଦାନ ସହ ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧିତ କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା, ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ମାଦକ ଦ୍ରବ୍ୟ ସେବନ ରୋକିବା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଡା. ମିର୍ଜା ବାବର ବେଗ୍ (ଭାରପ୍ରାପ୍ତ ଏଏଏମ୍, କେନ୍ଦ୍ରାପଡ଼ା) ନିଶା ଓ ମାଦକ ଦ୍ରବ୍ୟ ସେବନର ବିପଦ, ପ୍ରତିରୋଧକ କୌଶଳ ଏବଂ ଉପଯୁକ୍ତ ସମୟରେ ସାହାଯ୍ୟ ନେବାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ଏହା ପରେ ଛାତ୍ରଛାତ୍ରୀମାନଙ୍କ ସହ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶଗ୍ରହଣକାରୀମାନେ ନିଜର ଆଶଙ୍କା ଏବଂ ସନ୍ଦେହ ଦୂର କରିବାର ସୁଯୋଗ ପାଇଥିଲେ। ‘ଶକ୍ତିଶ୍ରୀ’ ସାଥୀ କୁମାରୀ ବୈଶାଖୀ ପ୍ରିୟଦର୍ଶିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଚେତନତା ସୃଷ୍ଟି କରିବା, ପ୍ରତିରୋଧମୂଳକ ପଦକ୍ଷେପକୁ ସୁଦୃଢ଼ କରିବା ଏବଂ ଏକ ସୁସ୍ଥ ତଥା ନିରାପଦ ସମାଜ ଗଠନରେ ଯୋଗଦାନ ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।


