କେରଳରେ ଉଇକି କନ୍‌ଫରେନ୍ସ ଇଣ୍ଡିଆରେ ଓଡ଼ିଆ ଉଇକିଆଳିଙ୍କ ଯୋଗଦାନ

 ଭଦ୍ରକ ( ଚାନ୍ଦିନୀ ମହାନ୍ତି): ଦକ୍ଷିଣ ଏସିଆର ଉଇକିମିଡ଼ିଆ ସମୁଦାୟ ପାଇଁ ଉଇକି କନ୍‌ଫରେନ୍ସ ଇଣ୍ଡିଆର ୪ର୍ଥ ସଂସ୍କରଣ ସେପ୍ଟେମ୍ବର ୪ ରୁ ୬ ତାରିଖ ୩ ଦିନ ଧରି କେରଳର କୋଚି ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଓଡ଼ିଶାର ୮ ଜଣ ଉଇକିଆଳି(ଉଇକିପିଡ଼ିଆ ତଥା ଉଇକିମିଡ଼ିଆରେ କାମ କରୁଥିବା ସ୍ୱେଚ୍ଛାସେବୀ) ଯୋଗ ଦେଇଥିଲେ । “ଜ୍ଞାନର ସାଧାରଣ ଭଣ୍ଡାରକୁ ନୂଆ ଭାବେ ଚିନ୍ତା କରିବା” ଶୀର୍ଷକ ଆଲୋଚନା ଏଥିରେ ମୁଖ୍ୟ ବିଷୟ ଥିଲା l ଏହି ସମ୍ମିଳନୀରେ ୨୨୦ରୁ ଉର୍ଦ୍ଧ୍ୱ ଭାରତୀୟ, ନେପାଳୀ, ବାଂଲାଦେଶୀ, ଭୁଟାନୀ ଓ ଶ୍ରୀଲଙ୍କୀୟ ଉଇକିମିଡ଼ିଆ ସ୍ୱେଚ୍ଛାସେବୀ, ଗବେଷକ, ଶିକ୍ଷାବିତ୍, ପ୍ରଯୁକ୍ତିବିଦ୍ୟାବିତ୍ ଓ ମୁକ୍ତ ଜ୍ଞାନର ସମର୍ଥକ ମାନେ ଯୋଗ ଦେଇଥିଲେ । ଆଜିର ସମୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଦ୍ରୁତ ବିକାଶ ସମ୍ମିଳନୀର ଏକ ପ୍ରମୁଖ ଆଲୋଚନାର ବିଷୟ ଥିଲା । ଏଆଇ ଓ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ମାନବ ସୃଷ୍ଟ ଏବଂ ବହୁଭାଷୀ ଜ୍ଞାନରୁ ଶିଖୁଥିବା ସମୟରେ ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକରେ ସ୍ୱେଚ୍ଛାସେବୀମାନଙ୍କ ଅବଦାନ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି l କାରଣ ଉଇକିପିଡ଼ିଆ ଭରସାଯୋଗ୍ୟ ଆଧାର ସହିତ ମୁକ୍ତ ଭାବରେ ଜ୍ଞାନ ପ୍ରଦାନ କରୁଥିବା ଏକମାତ୍ର ଜ୍ଞାନକୋଷ ବା ଏନ୍‌ସାଇକ୍ଲୋପିଡ଼ିଆ ଭାବରେ ୩ ଶହରୁ ଅଧିକ ଭାଷାରେ ଉପଲବ୍ଧ ।୧୫ ଜାନୁଆରୀ ୨୦୦୧ରେ ଆରମ୍ଭ ହୋଇଥିବା ଉଇକିପିଡ଼ିଆକୁ ୨୫ ବର୍ଷ ପୂରଣ ହୋଇଥିବା ବେଳେ ୩ ଜୁନ ୨୦୦୨ରେ ପ୍ରଥମ ଦକ୍ଷିଣ-ଏସୀୟ ଭାଷା ଭାବରେ ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ ହୋଇଥିଲା । ଏହି ୨୪ ବର୍ଷ ମଧ୍ୟରେ ଓଡ଼ିଆ ଉଇକିପିଡ଼ିଆରେ ୨୧ ହଜାରରୁ ଅଧିକ ତଥ୍ୟପୂର୍ଣ୍ଣ ପ୍ରସଙ୍ଗମାନ ଉପଲବ୍ଧ ଅଛି l ଯାହାକି ଅନ୍‌ଲାଇନ୍‌ରେ ଓଡ଼ିଆ ଭାଷାର ଏକ ବୃହତ୍ ସଂଗ୍ରହାଳୟ ଅଟେ । ଏହି ସମ୍ମିଳନୀରେ ଓଡ଼ିଆ ଉଇକିପିଡ଼ିଆର ଶୁଭାଶିଷ ପାଣିଗ୍ରାହୀ, ଜ୍ଞାନ ରଞ୍ଜନ ସାହୁ, ଅଲିଭା ସାହୁ, ସଂଗ୍ରାମ କେଶରୀ ସେନାପତି ଏବଂ ଓଡ଼ିଆ ଉଇକିଆଳି ତଥା ଅଧୁନା ଉଇକିମିଡିଆ ଫାଉଣ୍ଡେସନ୍‌ରେ କାର୍ଯ୍ୟରତ ଶୈଳେଶ ପଟ୍ଟନାୟକ ଯୋଗ ଦେଇଥିଲେ । ସେହିପରି ସାନ୍ତାଳୀ ଉଇକପିଡ଼ିଆର ରାମଜିତ ଟୁଡୁ ଏବଂ ଉର୍ଦ୍ଦୁ ତଥା ଇଂରାଜୀ ଉଇକିପିଡ଼ିଆରେ ସମ୍ପାଦନା କରୁଥିବା ରାହୁଲ ଅମିନ୍ ମଧ୍ୟ ଯୋଗ ଦେଇଥିଲେ । ଓଡ଼ିଆ ଉଇକିମିଡିଆନ୍ସ ୟୁଜର ଗ୍ରୁପ୍‌ର ଅନ୍ୟତମ ସଦସ୍ୟା ଚିନ୍ମୟୀ ମିଶ୍ର କେରଳର ଉଇକିଆଳି ମାନଙ୍କ ସହ ମିଶି ଏହି ସମ୍ମିଳନୀର ଆୟୋଜନ ଭାର ଗ୍ରହଣ କରିଥିଲେ । ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଶୁଭାଶିଷ ପାଣିଗ୍ରାହୀ ଓ ରାମଜିତ ଟୁଡୁ ଓପନ୍ ସ୍ପିକ୍ ପ୍ରକଳ୍ପ ଜରିଆରେ କରାଯାଇଥିବା ବିଭିନ୍ନ ଅଡ଼ିଓ ଓ ଭିଡ଼ିଓ ଡକ୍ୟୁମେଣ୍ଟେସନ୍ ବାବଦରେ ଏକ ଅଧଘଣ୍ଟିଆ ଆଲୋଚନା କରିବା ସହିତ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଏକ କର୍ମଶାଳାର ଆୟୋଜନ କରିଥିଲେ । ସେହିପରି ଜ୍ଞାନ ରଞ୍ଜନ ସାହୁ ଉଇକିମିଡିଆ ସମୁଦାୟର ବିଭିନ୍ନ ବୈଷୟିକ ଅସୁବିଧା ଉପରେ ଆଲୋକପାତ କରିବା ସହିତ ଆବଶ୍ୟକୀୟ ବୈଷୟିକ ସହାୟତା ପ୍ରଦାନ କରିଥିଲେ । ସଂଗ୍ରାମ କେଶରୀ ସେନାପତି ୧୦୦ ଉଇକିଡେଜ୍ ବାବଦରେ ଏକ କ୍ଷୁଦ୍ର ଉପସ୍ଥାପନା କରିବା ସହିତ ଉଇକିପିଡ଼ିଆ ଏସିଆ ମାସ ଉପରେ ଆୟୋଜିତ ଆଲୋଚନା ଚକ୍ରରେ ଅନ୍ୟତମ ଅଂଶଗ୍ରହଣକାରୀ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ