ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ହେବ ବିଦ୍ୟୁତ ବିଚ୍ଛିନ୍ନକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ

ନାଉଗାଁ,୯ା୯: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଖଇରାବସ୍ତ ପ୍ରାଥମିକ ବିଦ୍ୟାଳୟରୁ ବିଦ୍ୟୁତ ବିଭାଗ ପକ୍ଷରୁ ଦୀର୍ଘଦିନ ହେବ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି। ବର୍ତମାନ ବର୍ଷା ଦିନ ହୋଇଥିଲେ ମଧ୍ୟ ଗୁଳୁଗୁଳି ଲାଗି ରହିଛି ଯାହାଫଳରେ ବିଦ୍ୟାଳୟରେ ପିଲାମାନେ ଠିକ୍ ଭାବେ ବସି ପାଠ ପଢି ପାରୁ ନାହାନ୍ତି। ଯାହାକୁ ବିରୋଧ କରି ଅଭିଭାବକମାନେ ବୁଧବାର ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହିତ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ କରାଇବା ପାଇଁ ଦାବି କରିଥିଲେ। ପ୍ରାୟ ୧ ଘଂଟା ପିଲା ଓ ଶିକ୍ଷକ ଶିକ୍ଷୟତ୍ରୀ ଫାଟକ ବାହାରେ ରହିଥିଲେ। ଘଟଣାସ୍ଥଳକୁ ସିଆରସିସି ଜିତେନ୍ଦ୍ର କୁମାର ସେଠୀ ପହଂଚି ବିଦ୍ୟୁତ ସଂଯୋଗ ପାଇଁ ଯଥା ଶୀଘ୍ର ବନ୍ଦୋବସ୍ତ କରାଯିବାର ପ୍ରତିଶୃତି ଦେବା ପରେ ଅଭିଭାବକମାନେ ଆନ୍ଦୋଳନରୁ ଓହରିଥିଲେ। ସୂଚନା ଯୋଗ୍ୟ ଯେ ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୨୬ଜଣ ପିଲା ପାଠ ପଢୁଛନ୍ତି। ୨୦୧୯ ମସିହାରେ ସାଧାରଣ ନିର୍ବାଚନ ସମୟରେ ଉକ୍ତ ବିଦ୍ୟାଳୟକୁ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିଲା। ସେହି ସମୟରେ ତରବରିଆ ଭାବେ କେହି ଉକ୍ତ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ କରିଥିଲେ। ସେହିଦିନ ଠାରୁ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ହୋଇଥିଲେ ମଧ୍ୟ କୌଣସି ଦିନ ବିଦ୍ୟୁତ ବିଭାଗ ତରଫରୁ କୌଣସି ବିଲ ପ୍ରଦାନ କରାଯାଇନାହିଁ। ଇତି ମଧ୍ୟରେ ୩ ଜଣ ପ୍ରଧାନ ଶିକ୍ଷକ ତାଙ୍କ ଦାୟିତ୍ୱ ତୁଲାଇ ଯାଇଛନ୍ତି। କିନ୍ତୁ ହଠାତ ମାର୍ଚ୍ଚ ୧୩ ତାରିଖ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଆସି ବେଆଇନ ବିଦ୍ୟୁତ ସଂଯୋଗ କରାଯାଇଥିବା ଯୋଗୁ ଏକ ନୋଟିସ ପ୍ରଦାନ କରିଥିଲେ। ଉକ୍ତ ନୋଟିସରେ ୧ଲକ୍ଷ ୧୮ହଜାର ଟଙ୍କା ଜୋରିମାନା ଦେବା ପାଇଁ ଉଲ୍ଲେଖ କରାଯିବା ସହ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିଲା। ଏସଂକ୍ରାନ୍ତରେ ଅପ୍ରେଲ ୨୪ ରେ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦାସ ବିଦ୍ୟୁତ ବିଭାଗକୁ ଏକ ଲିଖିତ ଅଭିଯୋଗ କରିଥିଲେ। ନୂତନ ଭାବେ ବିଦ୍ୟୁତ ସଂଯୋଗ କରିବା ପାଇଁ ଅଭିଯୋଗରେ ଦର୍ଶାଇଥିଲେ। ସେହିପରି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବ୍ଳକ ଶିକ୍ଷାଧିକାରୀଙ୍କୁ ଅଗଷ୍ଟ ୨୪ ରେ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଅପରପକ୍ଷେ ବିଦ୍ୟାଳୟକୁ ଯେତିକି କଂପୋଜିଟ ଫଣ୍ଡ ଆସୁଛି ତାହାକୁ ଜୋରିମାନା ଅର୍ଥ ଦେଇ ହେବ ନାହିଁ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ମତବ୍ୟକ୍ତ କରିଛନ୍ତି। କାହା ନିର୍ଦ୍ଦେଶରେ ବିଦ୍ୟୁତ ସଂଯୋଗ କରାଯାଇଥିଲା ଓ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ କରି କାହିଁକି ପ୍ରତି ମାସରେ ବିଲ ପ୍ରଦାନ କରି ନଥିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସଂକ୍ରାନ୍ତରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଭିଭାବକମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ