ମୁଣ୍ଡ ଉପରେ ପରୀକ୍ଷା, ବହିର ପତ୍ତା ନାହିଁ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ପିଲାଙ୍କ ହାତରେ ସଂଶୋଧିତ ବହି ନାହିଁ, ହେଲେ ମୁଣ୍ଡ ଉପରେ ପରୀକ୍ଷା। ଆଉ ଦିନ କେଇଟା ପରେ ଆରମ୍ଭ ହେବ ପ୍ରଥମ ସମାପ୍ତି ସୂଚକ ଆକଳନ ଅର୍ଥାତ୍ ଅର୍ଦ୍ଧ ବାର୍ଷିକ ପରୀକ୍ଷା। ତା ପରେ ଦଶହରା ପୂଜା ଛୁଟି। ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଶତାଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଯାଏଁ ସଂଶୋଧିତ ପାଠ୍ୟ ପୁସ୍ତକ ପହଞ୍ଚି ନାହିଁ।ଚଳିତ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ହୋଇ ୫ ମାସ ବିତିଗଲାଣି। ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତି ୨୦୨୦ ଓ ଓଡିଶା ପାଠ୍ୟକ୍ରମ ରୂପରେଖ ୨୦୨୫ ଅନୁସାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ବହି ବଦଳାଇ ଦେଇଥିଲେ। ହେଲେ ମୁଦ୍ରଣରେ ହୋଇଥିଲା ହଜାର ଭୁଲ। ବନାନ ଭୁଲ, ତଥ୍ୟ ଭୁଲ, ପୃଷ୍ଠା ଅଦଳବଦଳକୁ ନେଇ ରାଜ୍ୟବ୍ୟାପୀ ହଙ୍ଗାମା ହୋଇଥିଲା।ସରକାର ତାପରେ ସଂଶୋଧନ ପାଇଁ ୧୨୨ ପୃଷ୍ଠାର ଗୋଟିଏ ପିଡିଏଫ ପଠାଇ ଦେଲେ। କିନ୍ତୁ ଏଠି ପ୍ରଶ୍ନ, ପିଡିଏଫରେ ପିଲା ପଢିବେ କି? ଗାଁ ସ୍କୁଲରେ ମୋବାଇଲ ନେଟୱାର୍କ ନାହିଁ, ପ୍ରିଣ୍ଟର ନାହିଁ, ତେବେ ଶିକ୍ଷକ କଣ କରିବେ?
ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଅଧୀନ ସ୍କୁଲର ଶିକ୍ଷକମାନେ କହୁଛନ୍ତି, ପ୍ରତି ପିରିୟଡରେ ମୋବାଇଲରେ ପିଡିଏଫ ଖୋଲି, ବ୍ଲାକବୋର୍ଡରେ ସଂଶୋଧନ ଲେଖି ପଢାଇବା ଅସମ୍ଭବ। ପିଲାମାନେ ଦ୍ୱନ୍ଦ୍ୱରେ। ଯାହା ବହିରେ ଅଛି, ତାହା ଭୁଲ, ଯାହା ପିଡିଏଫରେ ଅଛି, ତାହା ତାଙ୍କ ପାଖରେ ନାହିଁ।ଅଭିଭାବକଙ୍କ ପ୍ରଶ୍ନ, ଯଦି ଭୁଲ ବହି ଆଧାରରେ ପରୀକ୍ଷା ହେବ, ତେବେ ପିଲା ଫେଲ ହେବେ ନାହିଁ କି? ଆଉ ଯଦି ସଂଶୋଧିତ ପିଡିଏଫ ଆଧାରରେ ପ୍ରଶ୍ନ ଆସିବ, ତେବେ ପିଲା ଜାଣିବେ କେମିତି? ପରୀକ୍ଷା ପୂର୍ବରୁ ନୂଆ ଛପା ବହି ନ ଆସିଲେ ହଜାର ହଜାର ପିଲାଙ୍କ ଭବିଷ୍ୟତ ଅନ୍ଧାରରେ। ତୁରନ୍ତ ସଂଶୋଧିତ ମୁଦ୍ରିତ ପୁସ୍ତକ ଯୋଗାଇ ଦେବାକୁ ଦାବି ହେଉଛି।


