ଶାନ୍ତି ଓ ଶୃଙ୍ଖଳାର ସହ ଗଣେଶ ପୂଜା ସମାପିତ
କୋରାପୁଟ,୧୬/୦୯/୨୬ (ହେମନ୍ତ ପାଣିଗ୍ରାହୀ) : ବିଦ୍ୟା, ବୁଦ୍ଧି ଓ ଶୁଭାଶୀଷର ଅଧିଷ୍ଠାତା ବିଘ୍ନବିନାଶକ ପ୍ରଭୁ ଗଣେଶଙ୍କ ପୂଜାରେ ସମଗ୍ର କୋରାପୁଟ ଜିଲ୍ଲା ଉତ୍ସବମୁଖର ହୋଇଉଠିଥିଲା। ଜିଲ୍ଲାର ବିଭିନ୍ନ ସହର, ବଜାର ଓ ଗ୍ରାମାଞ୍ଚଳରେ ଅତ୍ୟନ୍ତ ଜାକଜମକରେ ଆୟୋଜିତ ଗଣେଶ ପୂଜା ଭକ୍ତି, ଉତ୍ସାହ ଓ ସାମାଜିକ ସଦ୍ଭାବର ଏକ ଅନନ୍ୟ ପରିବେଶ ସୃଷ୍ଟି କରିଥିଲା। ଶେଷରେ ପୂଜା ଓ ବିସର୍ଜନ ପର୍ବ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟର ସହ ସମାପନ ହୋଇଛି।
କୋରାପୁଟ, ଜୟପୁର, ବୋରିଗୁମ୍ମା, କୋଟପାଡ, କୁନ୍ଦୁରା, ବୈପାରୀଗୁଡା, ଲମତାପୁଟ, ନନ୍ଦପୁର, ସେମିଳିଗୁଡା, ଦଶମନ୍ତପୁର, ଲକ୍ଷ୍ମୀପୁର, ବନ୍ଧୁଗାଁ ଓ ନାରାୟଣପାଟଣା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଣେଶ ମଣ୍ଡପଗୁଡ଼ିକ ରଙ୍ଗବେରଙ୍ଗ ଆଲୋକମାଳା ଓ ଆକର୍ଷଣୀୟ ସାଜସଜ୍ଜାରେ ସଜେଇ ହୋଇଥିଲା। କେଉଁଠି ଆଧୁନିକ ତୋରଣ ତ ଆଉ କେଉଁଠି ପାରମ୍ପରିକ ଶୈଳୀର ମଣ୍ଡପ ଭକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପୂଜା ମଣ୍ଡପଗୁଡ଼ିକରେ ବେଦମନ୍ତ୍ର ଉଚ୍ଚାରଣ, ଘଣ୍ଟଘଣ୍ଟାର ଧ୍ୱନି ଓ ଧୂପଦୀପର ସୁଗନ୍ଧରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ। ପ୍ରଭୁ ଗଣେଶଙ୍କ ଦର୍ଶନ ପାଇଁ ସକାଳଠାରୁ ମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଜମିଥିଲା। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହର ସହ ପୂଜାରେ ସାମିଲ ହୋଇଥିଲେ। ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସାଦ ବଣ୍ଟନ, ଭଜନ, ସଂକୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଆୟୋଜନ କରାଯାଇଥିଲା। ସନ୍ଧ୍ୟା ସମୟରେ ଆଲୋକମାଳାରେ ଝଲସି ଉଠିଥିଲା ସହରର ଗଳିକନ୍ଦି। ଭକ୍ତିମୟ ସଙ୍ଗୀତ ଓ ଉତ୍ସବର ଆମେଜରେ ପରିବେଶ ହୋଇଉଠିଥିଲା ମୁଖର।
ବିଶେଷକରି ଯୁବପିଢ଼ି ଓ ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ଉତ୍ସବକୁ ସୁନ୍ଦର ଓ ସୁଶୃଙ୍ଖଳିତ କରିବାରେ ସକ୍ରିୟ ଭୂମିକା ନେଇଥିଲେ। ଗଣେଶ ପୂଜା ଅବସରରେ ସାମାଜିକ ଏକତା, ଭାଇଚାରା ଓ ପରସ୍ପର ସହଯୋଗର ଚିତ୍ର ମଧ୍ୟ ସ୍ପଷ୍ଟ ହୋଇଥିଲା। ପୂଜା ପରେ ବିସର୍ଜନ ଶୋଭାଯାତ୍ରାରେ ମଧ୍ୟ ଭକ୍ତଙ୍କ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଢୋଲ, ନିଶାନ ଓ ବିଭିନ୍ନ ବାଦ୍ୟର ତାଳେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ବିଦାୟ ଜଣାଇଥିଲେ। ତେବେ ସମଗ୍ର ଆୟୋଜନରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରହିଥିଲା।
ପ୍ରଶାସନ ଓ ପୁଲିସ ପକ୍ଷରୁ ମଧ୍ୟ ଆବଶ୍ୟକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା। ପୂଜା କମିଟି, ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକଙ୍କ ସହଯୋଗରେ ଉତ୍ସବ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଭକ୍ତି, ଉତ୍ସାହ ଓ ସାମାଜିକ ସଦ୍ଭାବର ଏହି ଉତ୍ସବ ଶେଷ ହୋଇଥିଲେ ମଧ୍ୟ ଗଣପତିଙ୍କ ଆଶୀର୍ବାଦ ଓ ଉତ୍ସବର ସ୍ମୃତି ଲୋକଙ୍କ ମନରେ ଦୀର୍ଘଦିନ ଧରି ରହିବ। ବିଘ୍ନବିନାଶକ ପ୍ରଭୁ ଗଣେଶଙ୍କ ଆଗମନ ଯେପରି ସମଗ୍ର ଜିଲ୍ଲାକୁ ଆନନ୍ଦରେ ଭରିଦେଇଥିଲା, ସେହିପରି ଶାନ୍ତି ଓ ଶୃଙ୍ଖଳାର ସହ ତାଙ୍କର ବିଦାୟ ମଧ୍ୟ ଉତ୍ସବର ସୁନ୍ଦର ସମାପ୍ତି ଆଣିଛି।


