କେନ୍ଦ୍ରାପଡା ମହାବିଦ୍ୟାଳୟରେ ମାନସିକ ସଶକ୍ତିକରଣ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ‘ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌’ ଏବଂ ମନୋବିଜ୍ଞାନ ବିଭାଗର ମିଳିତ ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାବପ୍ରବଣତା କଲ୍ୟାଣ, ମାନସିକ ସହନଶୀଳତା ଏବଂ ଆତ୍ମ-ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ “ଭାବପ୍ରବଣତା ଏବଂ ମାନସିକ ସଶକ୍ତୀକରଣ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଉଦଘାଟନ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା। କଲେଜ ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପିକା ଡକ୍ଟର ପୂର୍ବାଶା ପ୍ରିୟଦର୍ଶିନୀ ରିସୋର୍ସପର୍ସର୍ନ ମାନଙ୍କ ପରିଚୟ ପ୍ରଦାନ କରିବା ସହ ସଭାକୁ ସମ୍ବୋଧିତ କରି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଭାବପ୍ରବଣତା ଓ ମାନସିକ ସୁସ୍ଥତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମନୋବିଜ୍ଞାନ ବିଭାଗ ଅଧ୍ୟାପିକା କ୍ୟାପଟେନ ସୀମା ମହାନ୍ତି ଏବଂ ବିଭାଗୀୟ ମୁଖ୍ୟ ଡକ୍ଟର ଦେବକାନ୍ତ ଷଡ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ମାନସିକ ସୁସ୍ଥତାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ। ରିସୋର୍ସପର୍ସନ ତଥା ମନୋବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ଇଶିତା ପଟ୍ଟନାୟକ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହିତ ଏକ ଆକର୍ଷଣୀୟ ଓ ଉପାଦେୟ ଅଧିବେଶନ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା କିଛି ଭାବ-ବିନିମୟଧର୍ମୀ ‘ଆଇସ୍‌-ବ୍ରେକିଂ’ କାର୍ଯ୍ୟକଳାପ ଯାହା ମାଧ୍ୟମରେ ଅତ୍ୟନ୍ତ ରୋଚକ ଢଙ୍ଗରେ ଛାତ୍ରଛାତ୍ରୀଙ୍କ ଯୋଗାଯୋଗ ଦକ୍ଷତା, ଭାବପ୍ରବଣତା, ସଚେତନତା, ବ୍ୟକ୍ତିଗତ ମୂଲ୍ୟବୋଧ ଏବଂ ମାନସିକ ଚାପ ସ୍ତରର ମୂଲ୍ୟାଙ୍କନ କରାଯାଇଥିଲା। ସୁଶ୍ରୀ ମୋକ୍ଷଦା ରଥ ଏବଂ ସୁଭାଶିଷ ବଳ ଏହି କାର୍ଯ୍ୟକଳାପ ପରିଚାଳନାରେ ସକ୍ରିୟ ଭାବେ ସହଯୋଗ କରିଥିଲେ। ଏହା ସହିତ ଏକ ପାରସ୍ପରିକ ଆଲୋଚନା ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଛାତ୍ରଛାତ୍ରୀମାନେ ମୁକ୍ତ ଭାବରେ ରିସୋର୍ସପର୍ସନଙ୍କ ସହ ନିଜର ଭାବପ୍ରବଣତା, କଲ୍ୟାଣ ତଥା ମାନସିକ ଚାପର ମୁକାବିଲା କରିବାର ଉପାୟ ବିଷୟରେ ଚର୍ଚ୍ଚା କରିବାକୁ ଉତ୍ସାହିତ ହୋଇଥିଲେ। ଯୁକ୍ତ ତିନି ତୃତୀୟ ବର୍ଷ ଇଂରାଜୀ ସମ୍ମାନ ଛାତ୍ରୀ ସୁଶ୍ରୀ ସ୍ମୃତିମୟୀ ବେହେରା ଦକ୍ଷତାର ସହିତ ମଞ୍ଚ ପରିଚାଳନା(ଆଙ୍କରିଂ) କରିଥିଲେ। ‘ଶକ୍ତିଶ୍ରୀ ସାଥୀ’ ସୁଶ୍ରୀ ବୈଶାଖୀ ପ୍ରିୟଦର୍ଶିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଏହି ବାର୍ତ୍ତା ଦିଆଯାଇଥିଲା ଯେ ପ୍ରକୃତ ସଶକ୍ତୀକରଣ କେବଳ ଶିକ୍ଷାଗତ ବା ବୃତ୍ତିଗତ ସଫଳତା ମଧ୍ୟରେ ସୀମିତ ନୁହେଁ। ଏଥିରେ ଭାବପ୍ରବଣତା ଶକ୍ତି, ଆତ୍ମ-ସଚେତନତା, ମାନସିକ ଦୃଢ଼ତା ଏବଂ ଆବଶ୍ୟକ ସମୟରେ ନିଃସଙ୍କୋଚରେ ସହାୟତା ଲୋଡ଼ିବାର ଆତ୍ମବିଶ୍ୱାସ ଗଠନ କରିବା ମଧ୍ୟ ସାମିଲ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ