ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଶ୍ରୀରାମନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁ ବାଟିକା ବିଭାଗ ପକ୍ଷରୁ ନୂତନ ଶିଶୁଙ୍କ ମାଆମାନଙ୍କୁ ନେଇ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତିର ସଦସ୍ୟା ସୁନିତା ସେଠୀ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଛତ୍ରପୁର ସଂକୁଳ ପ୍ରମୁଖ ଡ. ଜେ. କୁର୍ମେୟା ରାଓ ଏବଂ ଦକ୍ଷିଣ ପୂର୍ବ ସମ୍ଭାଗର ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ ଉପସ୍ଥିତ ଥିଲେ। ଅରୁଣ କୁମାର ବାଗ ମୁଖ୍ୟ ବକ୍ତା ଭାବେ ମାତୃଶକ୍ତିର ଭୂମିକା ଓ ଶିଶୁମାନଙ୍କ ଶିକ୍ଷା-ସଂସ୍କାର ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଦକ୍ଷିଣ ପୂର୍ବ ସମ୍ଭାଗ ଶିଶୁ ବାଟିକା ପ୍ରମୁଖ ବି. ସୁଶୀଳା କୁମାରୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ। କୋଷାଧ୍ୟକ୍ଷ ସୀମାଞ୍ଚଳ ପାତ୍ର, ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ଗୁରୁଜୀ ଓ ଗୁରୁମାମାନଙ୍କ ସହଯୋଗରେ କର୍ମଶାଳା ସଫଳ ହୋଇଥିଲା। ଉପସଭାପତି ଗୀତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରାୟ ୬୦ ଜଣ ମାଆ ଯୋଗଦେଇ ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ବିଦ୍ୟାଭାରତୀ ଅଖିଳ ଭାରତୀୟ ଉଚ୍ଚଶିକ୍ଷା ସଂସ୍ଥାନ, ଦିଲ୍ଲୀ ପକ୍ଷରୁ ପ୍ରାୟୋଜିତ ବିଦ୍ୟାଳୟ ଦର୍ଶନ କାର୍ଯ୍ୟକ୍ରମ ଅବସରରେ ୫ ଜଣିଆ ଅଖିଳ ଭାରତୀୟ ଅତିଥି-ଅଧ୍ୟାପକ ପ୍ୟାନେଲ ବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମ ନିରୀକ୍ଷଣ କରିଥିଲେ। ସେମାନେ ବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା ଓ କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ। ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ବିଦ୍ୟାଳୟ ଦର୍ଶନ କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରିତ ପଞ୍ଚପଦୀ ଶିକ୍ଷଣ ପଦ୍ଧତି ସହ ଶିଶୁ ଭାରତୀ, କନ୍ୟା ଭାରତୀ, ଶିଶୁ ସଭା, ଯୋଗ, ଶାରୀରିକ ଶିକ୍ଷା, ତଟବର୍ତ୍ତୀ ସଂସ୍କାର କେନ୍ଦ୍ର ଓ ସମୁଦ୍ର ସ୍ୱଚ୍ଛତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ନିରୀକ୍ଷଣ କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ବିଦ୍ୟାଳୟ ପରିଚାଳନା କମିଟି, ବିଦ୍ୱତ୍ ପରିଷଦ, ମାତୃ ଭାରତୀ ଓ ପୂର୍ବଛାତ୍ର ପରିଷଦ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ସମଗ୍ର କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ଟି. ସୁରେଶ କୁମାର ଆଚାରୀ ସଂଯୋଜନା କରୁଛନ୍ତି।


