ଆଜି ଜାତୀୟ ସେବା ଯୋଜନା ଦିବସ
ଆସିକା (ୱାଇଏନ୍ଏସ୍) : ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୨୪ ତାରିଖରେ ପାଳନ କରାଯାଇଥାଏ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଦିବସ । ସାମାଜିକ ସେବା ମାଧ୍ୟମରେ ବିଦ୍ୟାର୍ଥୀଙ୍କ ବ୍ୟକ୍ତିତ୍ୱକୁ ବିକାଶ କରିବା, ସମାଜ ପ୍ରତି ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହେବା, ସମାଜର ବିଭିନ୍ନ ସମସ୍ୟା ଓ ଆବଶ୍ୟକତାକୁ ଚିହ୍ନଟ କରି ସମାଧାନ କରିବା ପାଇଁ ଚେଷ୍ଟା କରିବା, ଜରୁରୀକାଳୀନ ପରିସ୍ଥିତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟାର ମୁକାବିଲା ପାଇଁ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଥାଏ । ଯୁବପିଢୀଙ୍କ ଉପରେ ପ୍ରତ୍ୟେକ ଦେଶର ଭବିଷ୍ୟତ ପ୍ରାୟତଃ ନିର୍ଭର କରୁଛି । ଯୁବ ସମାଜର ସମର୍ପଣ ଓ ଉତ୍ସର୍ଗିକୃତ ମନୋଭାବ ହିଁ ଏକ ସୁସ୍ଥ ତଥା ବିକଶିତ ପରିବେଶ ଗଢି ତୋଳିପାରିବ ବୋଲି ସଚେତନ ନାଗରିକଙ୍କ ବିଶ୍ୱାସ ରହିଛି । ତେଣୁ ଯୁବପୀଢଙ୍କ ଉପରେ ଭରସା କରି ଜାତୀୟ ସେବା ଯୋଜନା ଅଧିକାଂଶ ଶିକ୍ଷାନୁଷ୍ଠାନରେ ସଫଳତାର ସହ କାର୍ଯ୍ୟ କରୁଥିଲା ବେଳେ ସାମାଜିକ ସ୍ରୋତରେ ସ୍ୱେଚ୍ଛାସେବୀମାନେ ସାମିଲ୍ ହୋଇ ଆଗ୍ରହର ସହକାରେ ବର୍ଷତମାମ ବିଭିନ୍ନ ସମୟରେ ବହୁ ଜନକଲ୍ୟାଣକାରୀ ସଚେତନତାମୂଳକ କାର୍ଯ୍ୟକ୍ରମରେ ସାମିଲ୍ ହେଉଥିବା ଦେଖିବାକୁ ମିଳୁଛି । ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୨୪ ତାରିଖକୁ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଦିବସ ରୂପେ ପାଳନ କରାଯାଉଛି ବୋଲି ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଏନ୍ଏସ୍ଏସ୍ ସଂଯୋଜକ ଅଜିତ୍ କୁମାର ପଟ୍ଟନାୟକ ପ୍ରକାଶ କରିକହିଛନ୍ତି ଯୁବଗୋଷ୍ଠୀଙ୍କୁ ସାମାଜିକ ସେବା ଓ ରାଷ୍ଟ୍ର ନିର୍ମାଣରେ ଏହି ଦିବସ ପ୍ରେରଣା ଯୋଗାଇଥାଏ । ୧୯୬୯ ମସିହାରେ ମହାତ୍ମାଗାନ୍ଧୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ସେପ୍ଟେମ୍ବର ମାସ ୨୪ ତାରିଖରେ ଜାତୀୟ ସେବା ଯୋଜନାର ସ୍ଥାପନ ହୋଇଥିଲା । ଯାହାର ମୂଳ ଲକ୍ଷ୍ୟ ଥିଲା ମୋ ପାଇ ନୁହେଁ ତୁମ ପାଇଁ । ଜାତୀୟ ସେବା ଯୋଜନା ଦିବସ ସେବା, ସମର୍ପଣ ଓ ସାମାଜିକ ଦାୟିତ୍ୱବୋଧ ତଥା ମୂଲ୍ୟବୋଧ ସହିତ ସଂଯୋଗ କରି ଦେଶ ସମୃଦ୍ଧି ଓ ବିକାଶରେ ଯୋଗଦାନ କରିବାକୁ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା । ଜାତୀୟ ସେବା ଯୋଜନା ମାଧ୍ୟମରେ ଶହ ଶହ ଛାତ୍ରଛାତ୍ରୀ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସାମାଜିକ କାର୍ଯ୍ୟକ୍ରମରେ ବର୍ଷତମାମ ବିଭିନ୍ନ ସମୟରେ ଅଂଶଗ୍ରହଣ କରି ଦେଶର ସାମାଜିକ ଓ ସାଂସ୍କୃତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି । ଜାତୀୟ ସେବା ଯୋଜନାରେ ସାମିଲ୍ ହେଉଥିବା ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ ଠାରୁ ଆରମ୍ଭ କରି ଭୟାବହ ଏଡ୍ସ ଠାରୁ ଦୂରେଇ ରହିବା ପାଇଁ ସଚେତନତା କାର୍ଯ୍ୟକ୍ରମ, ସ୍ୱଚ୍ଛଭାରତ ଅଭିିଯାନ, ସାକ୍ଷରତା ଓ ସ୍ୱାସ୍ଥ୍ୟ ସଚେତନତା ସମେତ ବହୁବିଧ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳୁଛି । ଜାତୀୟ ସେବା ଯୋଜନା ଦିବସ ପାଳନ ଅବସରରେ ସ୍ୱେଚ୍ଛାସେବୀମାନେ ନିଜ ସାମର୍ଥ୍ୟ ଅନୁଯାୟୀ ସାଂପ୍ରତିକ ପରିସ୍ଥିତିରେ କିଛି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ନିଜ ସାମର୍ଥ୍ୟ ଅନୁଯାୟୀ କରିବା ସାଙ୍ଗକୁ ଏକ ଆଦର୍ଶ ସମାଜକୁ ଆହୁରି ଉନ୍ନତ ଓ ସଶକ୍ତ କରିବାକୁ ପରାମର୍ଶ ଦେଇଛନ୍ତି ।


