ଆସନ୍ତା ଅକ୍ଟୋବର ୧୫ରୁ ୟୁପିଆଇ ପେମେଣ୍ଟରେ ଲାଗିବ ଶୁଳ୍କ

ଆସିକା (ୱାଇଏନ୍‍ଏସ୍‍) :ଆସନ୍ତା ଅକ୍ଟୋବର ମାସ ୧୫ ତାରିଖରୁ ୟୁପିଆଇ ପେମଣ୍ଟେରେ ପରିବର୍ତ୍ତନ ହେବାକୁ ଯାଉଛି ।୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ବ୍ୟବସାୟୀ ରିହାତି ଦର (ଏମ୍‍ଡିଆର୍‍) (ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‍) ଲାଗୁ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତିକୁ ନେଇ କେତେକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ୨ ହଜାର ଟଙ୍କାରୁ ଅଧିକ ୟୁପିଆଇର ନେଣଦେଣ ଉପରେ ୦.୪ ପ୍ରତିଶତ ଏମ୍‍ଡିଆର୍‍ ଲାଗୁ ହେଲେ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ବୋଝ ପଡିବ ଏବଂ ଏହା ଡିଜିଟାଲ୍‍ ପେମେଣ୍ଟ ବ୍ୟବସ୍ଥାର ବ୍ୟବହାରକୁ ମଧ୍ୟ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଡିଜିଟାଲ୍‍ ନେଣଦେଣକୁ ସହଜ ଓ ସୁଲଭ କରିବାରେ ୟୁପିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଗତ କିଛି ବର୍ଷ ହେଲା ଗ୍ରହଣ କରିଆସୁଛି । ଏପରି ସ୍ଥିତିରେ ନୂତନ ଶୁଳ୍କ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଏହାର କି ପ୍ରଭାବ ବହୁ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଉପରେ କିପରି ପଡିବ ତାହାର ବିଚାର ଓ ତର୍ଜମା କରିବାର ଆବଶ୍ୟକତା ଜରୁରୀ ହୋଇପଡିଛି । ବ୍ୟକ୍ତିରୁ ବ୍ୟକ୍ତିଙ୍କୁ ୟୁପିଆଇ ପେମେଣ୍ଟ ଲାଗି କୌଣସି ଫି ଦେବାକୁ ପଡିବ ନାହିଁ କେବଳ ବ୍ୟବସାୟିକ ପେମେଣ୍ଟ ଲାଗି ୨ ହଜାର ଟଙ୍କାରୁ ଅଧିକ ହେଲେ ଫି ଦେବାକୁ ହେବ ବୋଲି ଜଣାପଡିଛି । ଏହି ନୂତନ ବ୍ୟବସ୍ଥା ଆସନ୍ତା ଅକ୍ଟୋବର ମାସ ୧୫ ତାରିଖରୁ ଲାଗୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବ୍ୟବସାୟିକ ଭିତ୍ତିରେ ଏକକାଳୀନ ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟ ପାଇଁ ମୋଟ ପେମେଣ୍ଟ ପରିମାଣର ୦.୪ ପ୍ରତିଶତ (ଏମ୍‍ଡିଆର୍‍) ଦେବାକୁ ପଡିବ । ନିଜ ବନ୍ଧୁ, ପରିଜନ ଓ ପରିବାର ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ୟୁପିଆଇ ମାଧ୍ୟମରେ ଟଙ୍କା ପଠାଇଲେ ତାହା ଉପରେ କୌଣସି ଫି ପଡିବ ନାହିଁ । ଡିଜିଟାଲ୍‍ ମୋଡ୍‍ରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଟଣା ପଠାଇଲେ ଏହା ଦେୟମୁକ୍ତ ରହିବ । ଆସନ୍ତା ଅକ୍ଟୋବର ୧୫ରୁ ଡିଜିଟାଲ୍‍ ମାଧ୍ୟମରେ ବ୍ୟବସାୟିକ କ୍ଷେତ୍ରରେ ୟୁପିଆଇ ପେମେଣ୍ଟରେ ୨ ହଜାର ଟଙ୍କାରୁ ଅଧିକ ପଠାଇଲେ ଶୁଳ୍କ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି । ୟୁପିଆଇର ବ୍ୟବସ୍ଥା ଆନୁଷ୍ଠାନିକ ଭାବେ ୨୦୧୬ ମସିହାରେ ନ୍ୟାସନାଲ୍‍ ପେମେଣ୍ଟ କର୍ପୋରେସନ୍‍ ଅଫ୍‍ ଇଣ୍ଡିଆ (ଏନ୍‍ପିସିଆଇ) ପକ୍ଷରୁ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଲୋକଙ୍କର ଅଧିକରୁ ଅଧିକ ପସନ୍ଦ ହେବା ସାଙ୍ଗକୁ ବହୁଳ ବ୍ୟବହାର ହେବାରେ ଲାଗିଥିବା ଦେଖିବାକୁ ମିଳିଛି ଏବଂ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ୟୁପିଆଇ ମାଧ୍ୟମରେ ନେଣଦେଣ କରୁଥିବା ଜଣାପଡିଛି । ୟୁପିଆଇ ବ୍ୟବସ୍ଥା କ୍ଷୁଦ୍ର ଓ ମଧ୍ୟମ ବର୍ଗର ବ୍ୟବସାୟୀଙ୍କ ପାଇଁ ସହଜ ଓ କମ୍‍ ଖର୍ଚ୍ଚରେ ଡିଜିଟାଲ୍‍ ପେମେଣ୍ଟ ମାଧ୍ୟମରେ ଗ୍ରହଣୀୟ ହୋଇପାରିଛିି । ଏଭଳି ସ୍ଥିତିରେ ଏମ୍‍ଡିଆର୍‍ ଲାଗୁ ହେଲେ ବ୍ୟବସାୟୀକଙ୍କ ଉପରେ ଅତିରିକ୍ତ ବୋଝ ପଡିବା ସହ ଡିଜିଟାଲ୍‍ କାରବାର ପ୍ରଭାବିତ ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ହେଉ ନାହିଁ । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ବହୁ ବ୍ୟବସାୟୀ ଏବେଠୁ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନରୁ ୟୁପିଆଇ ସ୍କାନର୍‍ କାଢିଦେଲେଣି । ଯେଉଁମାନେ ସ୍କାନର୍‍ରେ ଏବେ ଟଙ୍କା ପଠାଉଛନ୍ତି ଆଗାମୀ ଦିନରେ ୟୁପିଆଇରେ ଅର୍ଥ ପୈଠ ପରିବର୍ତ୍ତେ ନଗଦ ଦେଣନେଣ କରିବାକୁ ପରାମର୍ଶ ବି ଦେଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବିଗତ କିଛି ମାସ ହେଲା ୟୁପିଆଇ ବା ଡିଜିଟାଲ୍‍ ନେଣଦେଣ ବୃଦ୍ଧି ପାଇବା ସହ ବହୁ ଖୁଚୁରା ଏବଂ ହୋଲ୍‍ସେଲ୍‍ ବ୍ୟବସାୟୀମାନେ ଏହି ଧାରା ଓ ବ୍ୟବସାୟୀ ସହ ନିଜକୁ ଖାପ ଖୁଆଇ ଚାଲିଛନ୍ତି । ଆସନ୍ତା ଅକ୍ଟୋବର ମାସ ୧୫ ତାରିଖରୁ କେନ୍ଦ୍ର ସରକାର ୟୁପିଆଇରେ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେବା ପରେ ବହୁ ବ୍ୟବସାୟୀ ଏବେଠୁ ୟୁପିଆଇ ଠାରୁ ଦୂରେଇ ରହିବା ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ