ଲବ ସାହୁଙ୍କ ପେଶା ଓ ନିଶା ପାଲଟିଛି ଖବରକାଗଜ ବିତରଣ
ଆସିକା (ୱାଇଏନ୍ଏସ୍): ଖରା ବର୍ଷା ଓ ଶୀତକାକରକୁ ଏପରିକି ଗତ ମହାମହାରୀ କରୋନା ବି ତାଙ୍କୁ ଅଟକାଇ ପାରିନାହିଁ । ପାଠକଙ୍କ ନିକଟରେ ଯେତେ ଶୀଘ୍ର ହେବ ଖବରକାଗଜ ପହଞ୍ଚାଇ ଆତ୍ମତୃପ୍ତି ପାଉଛନ୍ତି ବୋଲି କହିଛନ୍ତି ବିତରକ ଲବ ସାହୁ । ଆସିକା ବ୍ଳକ ଅନ୍ତର୍ଗତ ଦେବଭୂମୀ ଗ୍ରାମର ବଡଦାଣ୍ଡ ସାହିର ଲବ ସାହୁଙ୍କୁ ବର୍ତ୍ତମାନ ୪୫ ବର୍ଷ ହୋଇଥିଲା ବେଳେ ସେ ଦୀର୍ଘ ୨୬ ବର୍ଷ ହେଲା ଏହି କାମକୁ ନିଜର ନିଶା ଓ ପେଷା ଭାବରେ ଗ୍ରହଣ କରିଆସୁଥିବା ଦେଖିବାକୁ ମିଳୁଛି । ଆଜି ବି ଖବରକାଗଜ ବିକ୍ରିକୁ ନିଜର ଏକ ପ୍ରମୁଖ ପେଷା ଭାବେ ଗ୍ରହଣ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଯୁବ ଖବରକାଗଜ ବିତରକ ଲବ ସାହୁ । ଯାହାକି ତାଙ୍କୁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ସହ ସେ ନିଜେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ଦୀର୍ଘ ୨୬ ବର୍ଷ ହେଲା ଅନେକ ଝଡଝଞ୍ଜା ସତ୍ତ୍ୱେ ଖବରକାଗଜ ବିତରକ ଲବ ସାହୁ ପ୍ରତ୍ୟେକ ଦିନ ନିଜ ଗ୍ରାମରୁ ସାଇକେଲରେ ଆସି ପ୍ରତ୍ୟୁଷରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ନିକଟରେ ତାଜା ଖବର ପହଞ୍ଚାଇବା ଦାୟିତ୍ୱକୁ ସୁଚାରୂ ରୂପେ ସଂପାଦନ କରିଆସୁଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକ ଅନ୍ତର୍ଗତ ଦେବଭୂମୀ ଗ୍ରାମପଞ୍ଚାୟତର ଦେବଭୂମୀ ଗ୍ରାମର ବଡଦାଣ୍ଡ ସାହିରେ ରହୁଥିବା ଲବ ସାହୁ ଦୀର୍ଘ ୨୬ ବର୍ଷ ହେଲା ଖବରକାଗଜ ବିକ୍ରୀକୁ ନିଜ ରୋଜଗାରର ପ୍ରମୁଖ ମାଧ୍ୟମ କରିଛନ୍ତି । ପ୍ରତ୍ୟେକ ଦିନ ସକାଳୁ ଆସିକା ପୁରୁଣା ବସଷ୍ଟାଣ୍ଡରେ ଯେତେବେଳେ ଖବରକାଗଜ ବିତରକ ମାନଙ୍କ ଭିଡ ଲାଗେ ସେତେବେଳେ ଖବରକାଗଜ ବିତରକ ସେମାନଙ୍କ ମଧ୍ୟରେ ସ୍ପଷ୍ଟ ବାରି ହୋଇପଡନ୍ତି । ଆସିକା ଅଞ୍ଚଳର କେତେକ ଖବରକାଗଜ ବିତରକଙ୍କ ସହ କିଛି ସମୟ ଲାଗି ବିଭିନ୍ନ ବିଷୟ ଉପରେ ଆଲୋଚନା ଓ ଥଟାମଜା ହେବା ପରେ ଖରାବର୍ଷା ଓ ଶୀତକାକରକୁ ତିଳେମାତ୍ର ଖାତିର ନକରି ସାଇକେଲରେ ବୁଲି ଘରକୁଘର ଖବରକାଗଜ ବିତରଣ କରୁଥିବା ଦେଖିବାକୁ ମିଳୁଛି । ଖବରକାଗଜ ବିତରକ ଲବ ସାହୁ ଦୈନିକ ବିଭିନ୍ନ ଖବରକାଗଜ ଧରି ସହରର ଗଳିକନ୍ଦିକୁ ବୁଲିବା ସହ ଗ୍ରାହକମାନଙ୍କୁ ଖବରକାଗଜ ବାଣ୍ଟି ଭାବ ବିନିମୟ କରୁଥିବା ଦେଖିବାକୁ ମିଳୁଛି । ସାମାଜିକ ଚଳଣିରେ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ ରୋଜଗାରର ପନ୍ଥା ରହିଥିଲା ବେଳେ ମଣିଷ ନିଜ କାର୍ଯ୍ୟଦକ୍ଷତା ଆଧାରରେ ତାହା ସ୍ଥିର କରିଥାଏ ଓ ତାକୁ ଭିତ୍ତି କରି ସେ ନିଜର କର୍ମକ୍ଷେତ୍ରରେ ଆଗକୁ ବଢିଥାଏ । ଆସିକା ଅଞ୍ଚଳରେ ଖବରକାଗଜ ବିତରକ ଭାବେ ଲବ ସାହୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ଖବରକାଗଜ ବ୍ୟବସାୟ କରି ସେ ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି । ବୟସ ଦିନକୁ ଦିନ ବଢୁଥିବା ବେଳେ ଆଉ ଯେତେ ଦିନ ପାରିବି ନିଷ୍ଠାର ସହ ମୋର ଦୈନନ୍ଦିନ କର୍ତ୍ତବ୍ୟ ସଂପାଦନ ପୂର୍ବକ ଖବରକାଗଜ ବାଣ୍ଟିବି ବୋଲି ଖବରକାଗଜ ବିତରକ ଲବ ସାହୁ ପ୍ରକାଶ କରିଛନ୍ତି । ଆଧୁନିକତାର ଛାପରେ ଡିଜିଟାଲ୍ ଯୁବରେ ସୋସିଆଲ୍ ମିଡିଆର ପ୍ରସାର ଓ ପ୍ରଚାର ଯୋଗୁଁ ଇ-ପେପର ଗୁଡିକ ନିମିଷକ ମଧ୍ୟରେ ଆସିଯାଉଥିବା ଓ ଅଧିକାଂଶ ଯୁବପିଢି ମୋବାଇଲରେ ତାହାକୁ ପଢି ଦେଶବିଦେଶର ଖବର ଜାଣିପାରୁଥିବା ଯୋଗୁଁ ବିଗତ କିଛି ବର୍ଷ ହେଲା କେତେକ ଖବରକାଗଜ ପ୍ରସାରଣରେ ବାଧା ସୃଷ୍ଟି ହେଉଥିବା ବିତରକ ଲବ ସାହୁ ଦୁଃଖର ସହ ପ୍ରକାଶ କରିଛନ୍ତି ।


