ଗୁଳି ଫୁଟାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ  ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍‌ ହୋଇଛି। ଗତ ଶନିବାର ସନ୍ଧ୍ୟାରେ ୪ ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି ବ୍ୟବସାୟୀଙ୍କୁ ଆକ୍ରମଣ କରିବା ସହ ତାଙ୍କ ନିକଟରେ ଥିବା ସୁନା ରୁପା ଗହଣା ଲୁଟି ନେଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ୨ ରାଉଣ୍ଡ ଫାଙ୍କା ଗୁଳି ଚଳାଇବା ସହ ବନ୍ଧୁକ ମୁନରେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ସିଲନ୍ଦି ଗ୍ରାମର ଜଣେ ଗହଣା ବ୍ୟବସାୟୀ ସୋସୋ ଥାନା ଅଧୀନ ଗଡ଼ଚଣ୍ଡୀ ଛକ ନିକଟରେ ଗହଣା ଦୋକାନ କରିଛନ୍ତି। ଶନିବାର ସନ୍ଧ୍ୟାରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ବନ୍ତଳା ଗ୍ରାମ ନିକଟରେ ୪ ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ପରେ ଦୁର୍ବୃତ୍ତମାନେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ବ୍ୟବସାୟୀଙ୍କୁ ଭୟଭୀତ କରିବା ସହ ମାଡ଼ ମାରିଥିଲେ। ଏହାପରେ ତାଙ୍କ ନିକଟରେ ଥିବା ସୁନା ରୁପାର ଗହଣା ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ସୋସୋ ଥାନା ଅଧିକାରିଣୀ କାନନ ସାହୁଙ୍କ ସମେତ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, ଘସିପୁରା ଥାନା ଅଧିକାରିଣୀ ମିତାଲି ମଧୁଲିତା ବିଶ୍ୱାଳ ଏବଂ ରାମଚନ୍ଦ୍ରପୁର ଥାନା ଅଧିକାରୀ ମନୋଜ ସ୍ୱାଇଁ ପ୍ରମୁଖ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ରାତିସାରା ଘଟଣାର ଅନୁଧ୍ୟାନ କରିବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତନାଘନା ଓ ସର୍ଚ୍ଚ ଅପରେସନ୍‌ ଜାରି ରଖିଥିଲେ। ବ୍ୟବସାୟୀ ଜଣକ ପୁଲିସକୁ ମୌଖିକ ଭାବେ ଘଟଣା ସମ୍ପର୍କରେ ଜଣାଇଥିବା ଜଣାପଡ଼ିଛି। ତେବେ ଲୁଟ୍‌ରେ ସମ୍ପୃକ୍ତ ଦୁର୍ବୃତ୍ତମାନେ କେଉଁ ଅଞ୍ଚଳର ଏବଂ ଏହି ଘଟଣାରେ ସ୍ଥାନୀୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେ ଦିଗରେ ପୁଲିସ ତଦନ୍ତ ଚଳାଇଛି। ଏ ସମ୍ପର୍କରେ ସୋସୋ ଥାନା ଅଧିକାରିଣୀ କାନନ ସାହୁ କହିଛନ୍ତି ଯେ, ବ୍ୟବସାୟୀ ଜଣକ ମୌଖିକ ଭାବେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଅନ୍ୟ ଥାନାର ଅଧିକାରୀଙ୍କ ସହ ମିଶି ତଦନ୍ତ ଜାରି ରଖିଛି। ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ସହ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ