ହଷ୍ଟେଲକୁ ପିଲା ପଠାଇବା ପୂର୍ବରୁ ବ୍ୟବସ୍ଥା ଯାଞ୍ଚ କରନ୍ତୁ : ମହାରାଜ କୃଷ୍ଣଚନ୍ଦ୍ର ନାୟକ
ଛତ୍ରପୁର, (ଓ୍ବାଇଏନଏସ): ହଷ୍ଟେଲକୁ ପିଲା ପଠାଇବା ପୂର୍ବରୁ ସେଠାକାର ପାନୀୟଜଳ, ପରିବେଶ, ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଅଭିଭାବକମାନେ ଭଲ ଭାବେ ଅନୁଧ୍ୟାନ କରିବା ଆବଶ୍ୟକ। ଅଭିଭାବକମାନେ ସଚେତନ ଓ ସତର୍କ ରହିବା ସହ ପିଲାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଦରକାର। ଛତ୍ରପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋହଭରା କଣ୍ଠରେ ହାତ ଯୋଡ଼ି ଏଭଳି ଅନୁରୋଧ କରିଛନ୍ତି ଛତ୍ରପୁର ଉପକଣ୍ଠ କରପଡ଼ା ଗ୍ରାମର ବରିଷ୍ଠ ସମାଜସେବୀ ତଥା ମୃତ ଛାତ୍ର ଶ୍ରୀମାନ ନାୟକଙ୍କ ବଡ଼ବାପା ମହାରାଜ କୃଷ୍ଣଚନ୍ଦ୍ର ନାୟକ। “ଆଜି ମୁଁ କୌଣସି ଅଭିଯୋଗ କରିବା ପାଇଁ ନୁହେଁ, ବରଂ ଆମ ପରିବାରର ହୃଦୟବିଦାରକ ଦୁଃଖକୁ ସମାଜ ସାମ୍ନାରେ ରଖିବା ପାଇଁ ଆସିଛି।” ତାଙ୍କ ପୁତୁରା ଶ୍ରୀମାନ ନାୟକ (ଓମ୍) ବ୍ରହ୍ମପୁର ନୀଳକଣ୍ଠନଗରସ୍ଥିତ ଏକ ଘରୋଇ ସ୍କୁଲ ରେ ଅଷ୍ଟମ ଶ୍ରେଣୀରୁ ଅଧ୍ୟୟନ କରୁଥିଲେ। ଦଶମ ଶ୍ରେଣୀରେ ସେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ, ହଷ୍ଟେଲରେ ରହିବା ସମୟରେ ଦୂଷିତ ପାଣି ଓ ପରିବେଶ ଯୋଗୁଁ ଅଗଷ୍ଟ ମାସରେ ଶ୍ରୀମାନ ଅସୁସ୍ଥ ହୋଇଥିଲେ। ତାଙ୍କ ଅସୁସ୍ଥତା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ପରିବାରକୁ ଠିକ୍ ସମୟରେ ଅବଗତ କରିନଥିବା ନେଇ ମଧ୍ୟ ଶ୍ରୀ ନାୟକ ଅଭିଯୋଗ କରିଛନ୍ତି। କିଛି ସହପାଠୀ ଭୟଭୀତ ହୋଇ ହଷ୍ଟେଲ ବାହାରକୁ ଆସି ଶ୍ରୀମାନଙ୍କ ଅସୁସ୍ଥତା ସମ୍ପର୍କରେ ପରିବାରକୁ ଜଣାଇଥିବା ସେ କହିଛନ୍ତି। ଏହାପରେ ପରିବାର ଲୋକେ ଅଗଷ୍ଟ ୫ ତାରିଖରେ ଶ୍ରୀମାନଙ୍କୁ ଘରକୁ ଆଣିଥିଲେ। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଗଷ୍ଟ ୨୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି। ପରିବାରର କହିବା ଅନୁଯାୟୀ, ଶ୍ରୀମାନଙ୍କୁ ଜଣ୍ଡିସ୍ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ଲିଭର୍ ଫେଲ୍ୟୁଅର୍ ହୋଇଥିଲା। ହଷ୍ଟେଲରେ ଥିବା ସମୟରେ ଦୂଷିତ ପାଣି ଓ ପରିବେଶ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା ପରିବାର ଅଭିଯୋଗ କରିଛି। ମହାରାଜ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି, “ଆମେ ସ୍କୁଲକୁ ବଦନାମ କରିବାକୁ ଚାହୁଁନୁ। ଆମ ପରି ଆଉ କୌଣସି ପରିବାର ଏଭଳି ଦୁଃଖ ନ ପାଆନ୍ତୁ, ଏହା ହିଁ ଆମର ଉଦ୍ଦେଶ୍ୟ।” ଘରଠାରୁ ଦୂରରେ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ସୁରକ୍ଷିତ ପାନୀୟଜଳ, ସ୍ୱଚ୍ଛ ପରିବେଶ, ପୌଷ୍ଟିକ ଖାଦ୍ୟ ଓ ଆବଶ୍ୟକ ସମୟରେ ତୁରନ୍ତ ଚିକିତ୍ସା ସୁବିଧା ମିଳିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ସ୍କୁଲ ଓ ହଷ୍ଟେଲଗୁଡ଼ିକର ପାନୀୟଜଳର ଗୁଣବତ୍ତା ନିୟମିତ ଯାଞ୍ଚ କରାଯିବା ସହ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଜଣ୍ଡିସ୍ କିମ୍ବା ଅନ୍ୟ କୌଣସି ଅସୁସ୍ଥତାର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅଭିଭାବକଙ୍କୁ ଜଣାଇବା ସହ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରିବାକୁ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି।


