ଗାଁ ଛାଡ଼ି ତାମିଲନାଡୁରେ ଲୁଚିଥିଲା ଅଭିଯୁକ୍ତ, ହତ୍ୟା ମାମଲାରେ ଗିରଫ

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନୂଆରମ୍ପାସ ଗ୍ରାମରେ ବନ୍ଧକ ସୁନା ଫେରସ୍ତ ମାଗିବାକୁ କେନ୍ଦ୍ର କରି ହୋଇଥିବା ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ନନ୍ଦିପଦା ପୁଲିସ ଗିରଫ କରିଛି। ଗାଁ ଛାଡ଼ି ତାମିଲନାଡୁର ଏକ ସୂତା କମ୍ପାନୀରେ କାମ କରୁଥିବା ଅଭିଯୁକ୍ତ ବ୍ରହ୍ମାନନ୍ଦ ଜେନାଙ୍କୁ ପୁଲିସ ସେଠାରୁ ଗିରଫ କରିଛି। ଏହି ଘଟଣାରେ ପୂର୍ବରୁ ତିନି ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ଉଦ୍ୟମ ଜାରି ରହିଛି। ସୂଚନା ଅନୁଯାୟୀ, ଗତ ଜୁନ୍‌ ୨୩ ତାରିଖରେ ନୂଆରମ୍ପାସ ଗ୍ରାମର ବିଶ୍ୱନାଥ ଓଝା ବନ୍ଧକ ରଖିଥିବା ସୁନା ଫେରସ୍ତ ମାଗିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜୁନ୍‌ ୨୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ନନ୍ଦିପଦା ପୁଲିସ ପୂର୍ବରୁ ଅଭିଯୁକ୍ତ ହରେକୃଷ୍ଣ ପହି, ତାଙ୍କ ସ୍ତ୍ରୀ ରମାମଣି ପହି ଓ ପୁଅ ପ୍ରଦୀପ ପହିଙ୍କୁ ଗିରଫ କରିଥିଲା। ଅନ୍ୟ ଅଭିଯୁକ୍ତମାନେ ଘଟଣା ପରଠାରୁ ଗାଁ ଛାଡ଼ି ଫେରାର ହୋଇଯାଇଥିଲେ। ସେମାନଙ୍କୁ ଗିରଫ କରିବା ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ପରେ ଥାନାଧିକାରୀଙ୍କ ହସ୍ତକ୍ଷେପ ପରେ ରାସ୍ତାରୋକ ହଟିଥିଲା। ପୁଲିସର ତଦନ୍ତ ପରେ ଅଭିଯୁକ୍ତ ବ୍ରହ୍ମାନନ୍ଦ ଜେନା ତାମିଲନାଡୁର ଏକ ସୂତା କମ୍ପାନୀରେ କାମ କରୁଥିବା ଜଣାପଡ଼ିଥିଲା। ଏହାପରେ ନନ୍ଦିପଦା ପୁଲିସ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି। ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ପ୍ରକାଶ ଥାଉକି, ବିଶ୍ୱନାଥ ଓଝା ପ୍ରାୟ ତିନି ବର୍ଷ ପୂର୍ବେ ନିଜ ଗ୍ରାମର ରମାମଣି ପହିଙ୍କ ନିକଟରେ ସୁନା ବନ୍ଧକ ରଖି ୧୫ ହଜାର ଟଙ୍କା ଧାର ନେଇଥିଲେ। ପରେ ସୁଧ ଟଙ୍କା ପରିଶୋଧ କରି ବନ୍ଧକ ସୁନା ଫେରସ୍ତ ମାଗିଥିଲେ ମଧ୍ୟ ତାହା ଫେରସ୍ତ ମିଳିନଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୋଗ ଅନୁଯାୟୀ, ଏହି ସମୟରେ ରମାମଣି ଓ ତାଙ୍କ ସହଯୋଗୀମାନେ ମିଶି ବିଶ୍ୱନାଥଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ମୃତ ବିଶ୍ୱନାଥଙ୍କ ସ୍ତ୍ରୀ କାଞ୍ଚନଙ୍କ ଅଭିଯୋଗକ୍ରମେ ନନ୍ଦିପଦା ପୁଲିସ କେସ୍‌ ନମ୍ବର ୨୭୧/୨୦୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଓ ଫେରାର ଅଭିଯୁକ୍ତଙ୍କ ଗତିବିଧି ନେଇ ପୁଲିସ ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ