ଯୁବକଙ୍କ ହକ୍ ପାଇଁ ଲଢେଇ ଜୋରଦାର କରିବ ଯୁବ କଂଗ୍ରେସ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆଜି କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁଶ୍ରୀ ଲକ୍ଷ୍ମୀପ୍ରିୟା (ଲିପ୍ସା)ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ସମେତ ପୁରୀ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ ଦାଶ ଏବଂ ପ୍ରଦେଶ ଯୁବ କଂଗ୍ରେସ କମିଟି ସଂଯୋଜକ ମହମ୍ମଦ୍ ପର୍ବେଜ, ଯୁବନେତା ସନ୍ଦୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲା ଯୁବ କଂଗ୍ରେସର ସାଂଗଠନିକ କାର୍ଯ୍ୟକ୍ରମ, ଯୁବକ-ଯୁବତୀଙ୍କ ସମସ୍ୟା ଏବଂ ଆଗାମୀ ଦିନରେ ଯୁବ କଂଗ୍ରେସର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ଯୁବକମାନଙ୍କ ହକ୍ ଓ ଅଧିକାର ପାଇଁ ଲଢ଼େଇକୁ ଆହୁରି ମଜବୁତ କରିବା। ରୋଜଗାର, ନିଯୁକ୍ତି, ଶିକ୍ଷା, ଦକ୍ଷତା ବିକାଶ ଏବଂ ଯୁବମାନଙ୍କ ପାଇଁ ସୁଯୋଗ ସୃଷ୍ଟି ଭଳି ପ୍ରସଙ୍ଗକୁ ନେଇ ଯୁବ କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ଜନଆନ୍ଦୋଳନକୁ ଅଧିକ ଶାଣିତ ପାଇଁ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ବୈଠକରେ ଯୁବ କଂଗ୍ରେସ ନେତୃତ୍ୱ କହିଥିଲେ ଯେ ବିଜେପି ସରକାର ଶାସନକୁ ଆସିବା ପରେ ଯୁବ ସମାଜକୁ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତିର ବାସ୍ତବାୟନ ନେଇ ଯୁବମାନଙ୍କ ମଧ୍ୟରେ ପ୍ରଶ୍ନ ଓ ଅସନ୍ତୋଷ ରହିଛି। ସରକାର ନିଜ ପକ୍ଷରୁ ନିଯୁକ୍ତି ଓ ରୋଜଗାର ସୃଷ୍ଟି ନେଇ ବିଭିନ୍ନ ସଫଳତାର ତଥ୍ୟ ଦେଉଥିବାବେଳେ ଯୁବ କଂଗ୍ରେସ ଏହି ପ୍ରତିଶ୍ରୁତି ଓ ଯୁବମାନଙ୍କ ବାସ୍ତବ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ ବୋଲି କହିଛି। ଆଗାମୀ ଦିନରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଯୁବକଙ୍କ ନିଯୁକ୍ତି ଓ ରୋଜଗାର ପାଇଁ ଦାବି ଉଠାଯିବ। ବେକାର ଯୁବକ/ଯୁବତୀଙ୍କ ସମସ୍ୟାକୁ ନେଇ ଜିଲ୍ଲାସ୍ତରରେ ଆନ୍ଦୋଳନ କରାଯିବ। ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଯୁବମାନଙ୍କ ସହ ଆଲୋଚନା କରାଯିବ। ଯୁବମାନଙ୍କ ସମସ୍ୟା ଚିହ୍ନଟ କରି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ। ପ୍ରତ୍ୟେକ ବ୍ଲକ୍ରେ ଯୁବ କଂଗ୍ରେସର ସଂଗଠନକୁ ମଜବୁତ କରାଯିବ। ଯୁବମାନଙ୍କ ହକ୍ ପାଇଁ ଆବଶ୍ୟକ ସ୍ଥାନରେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ କରାଯିବ। ବୈଠକରେ ଜିଲ୍ଲା ଯୁବ କଂଗ୍ରେସର ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ଏକଜୁଟ ହୋଇ “ଯୁବକଙ୍କ ହକ୍ ପାଇଁ ଲଢ଼େଇ ଯୁବ କଂଗ୍ରେସର ପ୍ରାଥମିକତା” ବୋଲି ସଂକଳ୍ପ ନେଇଥିଲେ। ଜିଲ୍ଲା ଯୁବ କଂଗ୍ରେସ କହିଛି ଯେ ଆଗାମୀ ଦିନରେ କେବଳ ବୈଠକ ମଧ୍ୟରେ ସୀମିତ ନ ରହି, ଯୁବମାନଙ୍କ ଘରେ ଘରେ ପହଞ୍ଚି ସେମାନଙ୍କ ସମସ୍ୟା ଶୁଣିବା ଏବଂ ସେହି ସମସ୍ୟାକୁ ନେଇ ରାସ୍ତାରେ ଗଣତାନ୍ତ୍ରିକ ଲଢ଼େଇ କରିବା ହେବ ଜିଲ୍ଲା ଯୁବ କଂଗ୍ରେସର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ନବ ନିଯୁକ୍ତ ପିସିସି ସାଧାରଣ ସମ୍ପାଦକ ହଳଧର ସେଠୀଙ୍କୁ ଯୁବ କଂଗ୍ରେସ ପକ୍ଷରୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହାକାଳପଡ଼ା ଯୁବ ସଭାପତି ରତିକାନ୍ତ ବେହୁରା, ଉପସଭାପତି କାର୍ତ୍ତିକ ବେହେରା, ତନ୍ମୟ ମହାପାତ୍ର, ସ୍ୱାଗତ ପ୍ରଧାନ, ମନ୍ମଥ ମହାକୁଡ଼, ସୌଭାଗ୍ୟ ରାଉତ୍, ଅନିଲ ଭୋଳ, ସୁଶାନ୍ତ କୁମାର ମଲିକ, ରାଜେଶ୍, ଚିନ୍ମୟ ସେଠୀ, ରାଜନଗର ଯୁବ କଂଗ୍ରେସ ସଭାପତି ସୁଶିଲ ପ୍ରଧାନ, ସୌମ୍ୟରଞ୍ଜନ ମହାପାତ୍ର, ଜଗବନ୍ଧୁ ରାଉତ, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଭାଗିରଥି ଜେନା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ବେହେରା, ନଗର କଂଗ୍ରେସ ସଭାପତି ଦିଲ୍ଲୀପ ପ୍ରଧାନ, ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି, କଂଗ୍ରେସ ନେତା ବେଣୁଧର ସାହୁ ପ୍ରମୁଖ ଶତାଧିକ ଯୁବକଂଗ୍ରେସ ଓ କଂଗ୍ରେସ ଦଳର ବରିଷ୍ଠ ନେତୃତ୍ୱମାନେ ଯୋଗଦେଇ ଯୁବ କଂଗ୍ରେସକୁ ସାହାଯ୍ୟ ସହଯୋଗ କରିବେ ବୋଲି ଦୃଢମତ ପୋଷଣ କରିଥିଲେ ଏବଂ ଆଗାମୀ ୨୯ତାରିଖରେ ହେବାକୁ ଥିବା ଏମଏମଡିଆର ବିରୋଧରେ ବିଧାନସଭା ଘେରାଉକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ।


