ବାଲିଯାତ୍ରା-୨୦୨୬: ଉପର ପଡ଼ିଆରେ ପ୍ରସ୍ତୁତି ଜୋରଦାର

କଟକ, (ଓ୍ବାଇଏନଏସ): ଆଉ କିଛିଦିନ ପରେ ମହାନଦୀ କୂଳରେ ଜମିବ ଐତିହାସିକ ବାଲିଯାତ୍ରାର ଆସର। ଏହାକୁ ନେଇ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର ହୋଇଛି। ଚଳିତବର୍ଷ ଦର୍ଶକଙ୍କ ଭିଡ଼, ବ୍ୟବସାୟିକ ଆବଶ୍ୟକତା, ମନୋରଞ୍ଜନ ଏବଂ ବିଭିନ୍ନ ସରକାରୀ-ବେସରକାରୀ ପ୍ରଦର୍ଶନୀକୁ ଦୃଷ୍ଟିରେ ରଖି ପଡ଼ିଆର ଲେଆଉଟ୍‌କୁ ସୁସଂଗଠିତ କରାଯାଉଛି। ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସ ଓ କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନଙ୍କ ସହ ଏକ ଟିମ୍‌ ଏହି ପ୍ରସ୍ତୁତିର ନେତୃତ୍ୱ ନେଉଛନ୍ତି। ପ୍ରସ୍ତୁତ ଲେଆଉଟ୍‌ ଅନୁସାରେ ଉପର ବାଲିଯାତ୍ରା ପଡ଼ିଆର ପ୍ରାୟ ୧,୯୩,୩୦୦ ବର୍ଗଫୁଟ୍ ସ୍ଥାନରେ ଚଳିତବର୍ଷ ଷ୍ଟଲ୍‌ ଓ ବିଭିନ୍ନ ଜୋନ୍‌ର ଆଲଟମେଣ୍ଟ କରାଯିବ। ପଡ଼ିଆକୁ UA, UB, UC, UD, UE, UF, UG, UH, UI, UJ ଓ UK ଭଳି ବ୍ଲକ୍‌ରେ ବିଭକ୍ତ କରାଯାଇଛି। ଷ୍ଟଲ୍‌ର ଆକାର ଓ ବ୍ୟବହାର ଅନୁଯାୟୀ ପ୍ରତ୍ୟେକ ବ୍ଲକ୍‌ରେ ସ୍ଥାନ ନିର୍ଦ୍ଧାରଣ ହୋଇଛି।

ଖାଦ୍ୟ ଷ୍ଟଲ୍‌ ପାଇଁ ପୃଥକ ବ୍ଲକ୍‌
ଖାଦ୍ୟ ଓ ଅଣଖାଦ୍ୟ ଷ୍ଟଲ୍‌କୁ ସୁସଂଗଠିତ ଭାବେ ରଖିବା ପାଇଁ ପୃଥକ ବ୍ଲକ୍‌ର ବ୍ୟବସ୍ଥା ହୋଇଛି। UB ବ୍ଲକ୍‌ରେ ୨୦×୧୫ ଫୁଟ୍‌ ଆକାରର ୪୦ଟି ଖାଦ୍ୟ ଷ୍ଟଲ୍‌, ଏବଂ UF ବ୍ଲକ୍‌ରେ ୧୦×୧୫ ଫୁଟ୍‌ ଆକାରର ୮୦ଟି ଖାଦ୍ୟ ଷ୍ଟଲ୍‌ ପାଇଁ ସ୍ଥାନ ରହିଛି। ଗତବର୍ଷ ଆରମ୍ଭ ହୋଇଥିବା ଦହିବରା ହାଟ ଚଳିତବର୍ଷ ମଧ୍ୟ ଉପର ବାଲିଯାତ୍ରା ପଡ଼ିଆରେ ରହିବ। UJ ବ୍ଲକ୍‌ରେ ୩୦×୩୦ ଫୁଟ୍‌ ଆକାରର ୧୪ଟି ବଡ଼ ଷ୍ଟଲ୍‌ ପାଇଁ ବ୍ୟବସ୍ଥା ହୋଇଛି। ସେହିପରି UA ବ୍ଲକ୍‌ରେ ୪୦×୫୦ ଫୁଟ୍‌ ଆକାରର ୧୧ଟି ବଡ଼ ଅଣଖାଦ୍ୟ ଷ୍ଟଲ୍‌ ପାଇଁ ପ୍ଲଟ୍‌ ରହିଛି। ଅନ୍ୟ ବ୍ଲକ୍‌ଗୁଡ଼ିକରେ ମଧ୍ୟ ବିଭିନ୍ନ ଆକାରର ଷ୍ଟଲ୍‌ ପାଇଁ ସ୍ଥାନ ଚିହ୍ନଟ ହୋଇଛି।
୧୫ ହଜାର ବର୍ଗଫୁଟ୍‌ର ଆମ୍ୟୁଜମେଣ୍ଟ ଜୋନ୍‌
ଦର୍ଶକଙ୍କ ମନୋରଞ୍ଜନ ପାଇଁ ଉପର ପଡ଼ିଆରେ ପ୍ରାୟ ୧୫,୦୦୦ ବର୍ଗଫୁଟ୍‌ ଅଞ୍ଚଳରେ ସ୍ୱତନ୍ତ୍ର ଆମ୍ୟୁଜମେଣ୍ଟ ଜୋନ୍‌ ରଖାଯାଇଛି। ପରିବାର ସହ ବାଲିଯାତ୍ରା ବୁଲିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏହି ଅଞ୍ଚଳ ଏକ ପ୍ରମୁଖ ଆକର୍ଷଣ ହେବାର ଆଶା ରହିଛି।
ସରକାରୀ ଷ୍ଟଲ୍‌ ପାଇଁ ୩୦ ହଜାର ବର୍ଗଫୁଟ୍‌
ସରକାରୀ ବିଭାଗଗୁଡ଼ିକର ଯୋଜନା, ସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ପାଇଁ ପ୍ରାୟ ୩୦,୦୦୦ ବର୍ଗଫୁଟ୍‌ ସ୍ଥାନ ରଖାଯାଇଛି। ଏଥିସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଛୋଟ ବ୍ୟବସାୟୀ ଓ ଭେଣ୍ଡରଙ୍କ ପାଇଁ ପ୍ରାୟ ୨,୭୦୦ ବର୍ଗଫୁଟ୍‌ ଅଞ୍ଚଳରେ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍‌ ରହିବ। ଏହାଦ୍ୱାରା ଛୋଟ ବ୍ୟବସାୟୀଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନ ମିଳିବା ସହ ଦର୍ଶକଙ୍କ ଯାତାୟାତରେ ବାଧା କମିବାର ଆଶା ରହିଛି।
କର୍ପୋରେଟ୍‌ ଓ MSME ପାଇଁ ସ୍ୱତନ୍ତ୍ର ସ୍ଥାନ
ବାଲିଯାତ୍ରାର ବ୍ୟାପକତାକୁ ଦୃଷ୍ଟିରେ ରଖି କର୍ପୋରେଟ୍‌ ସଂସ୍ଥା ଓ ଶିଳ୍ପ ପ୍ରତିଷ୍ଠାନଙ୍କ ଅଂଶଗ୍ରହଣ ପାଇଁ ପ୍ରାୟ ୧୫,୦୦୦ ବର୍ଗଫୁଟ୍‌ କର୍ପୋରେଟ୍‌ ସ୍ପେସ୍‌ ରଖାଯାଇଛି। ସେହିପରି MSME ପାଇଁ ପ୍ରାୟ ୧୦,୦୦୦ ବର୍ଗଫୁଟ୍‌ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଷ୍ଟଲ୍‌ ପାଇଁ ୫,୦୦୦ ବର୍ଗଫୁଟ୍‌ ସ୍ଥାନ ଚିହ୍ନଟ ହୋଇଛି। ସମଗ୍ର ଲେଆଉଟ୍‌ରେ ଖାଦ୍ୟ, ଅଣଖାଦ୍ୟ, ମନୋରଞ୍ଜନ, ସରକାରୀ ଷ୍ଟଲ୍‌, କର୍ପୋରେଟ୍‌ ଓ MSME ଅଞ୍ଚଳକୁ ପୃଥକ ଭାବେ ସ୍ଥାନ ଦିଆଯାଇଛି। ବିଶାଳ ଜନସମାଗମକୁ ଦୃଷ୍ଟିରେ ରଖି ଆଲୋକୀକରଣ, ଜଳ ନିଷ୍କାସନ, ଆଭ୍ୟନ୍ତରୀଣ ରାସ୍ତା, ପାର୍କିଂ ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥାକୁ ସୁଚାରୁ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଫାୟାର୍‌ ଓ ୱାର୍ଡ ଅଫିସ୍‌ ଭଳି ଆବଶ୍ୟକ ବ୍ୟବସ୍ଥା ପାଇଁ ମଧ୍ୟ ଲେଆଉଟ୍‌ରେ ସ୍ଥାନ ରଖାଯାଇଛି। ଫଳରେ ଚଳିତବର୍ଷ ଉପର ବାଲିଯାତ୍ରା ପଡ଼ିଆରେ ଷ୍ଟଲ୍‌ ବ୍ୟବସ୍ଥାଠାରୁ ମନୋରଞ୍ଜନ ଓ ସରକାରୀ ପ୍ରଦର୍ଶନୀ ପର୍ଯ୍ୟନ୍ତ ସବୁକିଛିକୁ ଅଧିକ ଯୋଜନାବଦ୍ଧ ଢଙ୍ଗରେ ପରିଚାଳନା କରିବାକୁ ପ୍ରସ୍ତୁତି ଚାଲିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ