କୃଷକ ବଜାର ବସ୍ତିରେ ମେୟରଙ୍କ ପରିଦର୍ଶନ
କଟକ, (ଓ୍ବାଇଏନଏସ): ଲଗାଣ ବର୍ଷା ଯୋଗୁଁ କଟକ ମହାନଗର ନିଗମର ସିଡିଏ ୱାର୍ଡ ନମ୍ବର ୬ ଅନ୍ତର୍ଗତ କୃଷକ ବଜାର ବସ୍ତି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ବର୍ଷାଜଳ ଜମି ରହିବା ଯୋଗୁଁ ଅଞ୍ଚଳର ପ୍ରାୟ ୧୫ଟି ପରିବାର ଅସୁବିଧାରେ ପଡ଼ିଥିବା ଜଣାପଡ଼ିଛି। ଏନେଇ ସୂଚନା ପାଇବା ପରେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହ ଓ ଡେପୁଟି କମିଶନର ଶ୍ରୀମତୀ ଶ୍ରଦ୍ଧା ଗ୍ରହାଚାର୍ଯ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଉଭୟେ ଜଳମଗ୍ନ ପରିବାରଗୁଡ଼ିକୁ ଭେଟି ସେମାନଙ୍କ ସମସ୍ୟା ଓ ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ବର୍ଷାଜଳ ଯୋଗୁଁ ପ୍ରଭାବିତ ହୋଇଥିବା ପରିବାରଗୁଡ଼ିକୁ ଆବଶ୍ୟକ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଥିବା ବେଳେ ଅଞ୍ଚଳରେ ଜମି ରହିଥିବା ବର୍ଷାଜଳର ତୁରନ୍ତ ନିଷ୍କାସନ ପାଇଁ ଫାୟାର ବ୍ରିଗେଡ୍ର ପମ୍ପ ନିୟୋଜିତ କରାଯାଇଥିଲା। ପମ୍ପ ସହାୟତାରେ ଜମି ରହିଥିବା ଜଳକୁ ନିଷ୍କାସନ କରାଯାଇଥିଲା। ପରିଦର୍ଶନ ସମୟରେ ମେୟର ଶ୍ରୀ ସିଂହ ଅଞ୍ଚଳର ଡ୍ରେନେଜ ବ୍ୟବସ୍ଥା ଓ ଜଳ ନିଷ୍କାସନ ସମସ୍ୟାର ଅନୁଧ୍ୟାନ କରିଥିଲେ।ତଳିଆ ଅଞ୍ଚଳରେ ବର୍ଷା ସମୟରେ ଜଳବନ୍ଦୀ ସମସ୍ୟା ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ସ୍ଥାନୀୟ ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଆବଶ୍ୟକ କାର୍ଯ୍ୟ କରାଯିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ରିତାଞ୍ଜଳୀ ବେହେରାଙ୍କ ପ୍ରତିନିଧି ଶ୍ରୀ ଅର୍ଧେନ୍ଦୁ ଶେଖର ମାଝୀ, ବସ୍ତି ଉନ୍ନୟନ କମିଟିର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଭାନୁ ରାଉତ, ସମ୍ପାଦକ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁଙ୍କ ସମେତ ସ୍ଥାନୀୟ ବସ୍ତିବାସିନ୍ଦା ଶ୍ରୀ ରାଜଦୀପ ବିଶ୍ୱାଳ, ଶ୍ରୀ ମଲେଶ୍ୱର ନାୟକ, ଶ୍ରୀ ମୁନା ପୋଥାଳ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ରିଲିଫ ବଣ୍ଟନ ଓ ଜଳ ନିଷ୍କାସନ କାର୍ଯ୍ୟରେ ସହଯୋଗ କରିଥିଲେ।


