ମୁଣ୍ଡଳିରେ ୮ ଲକ୍ଷ କ୍ୟୁସେକ୍ ଜଳ; ତଳିଆ ଅଞ୍ଚଳ ପ୍ରଭାବିତ ଆଶଙ୍କା

କଟକ(ଓ୍ବାଇଏନଏସ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରକୁ ବଢ଼ୁଥିବା ଜଳ ପ୍ରବେଶକୁ ନିୟନ୍ତ୍ରଣ କରିବା ପାଇଁ ଏକାଧିକ ଗେଟ୍ ଖୋଲାଯାଇଛି। ଏହାର ପ୍ରଭାବରେ ମୁଣ୍ଡଳିରେ ମହାନଦୀର ଜଳପ୍ରବାହ ବଢ଼ି ଛୋଟ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତଙ୍କ ସୂଚନା ଅନୁସାରେ, ସୋମବାର ଦିନ ମୁଣ୍ଡଳିରେ ପ୍ରାୟ ୭ ଲକ୍ଷ ୮୩ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା। ସନ୍ଧ୍ୟା ସୁଦ୍ଧା ଏହା ପ୍ରାୟ ୮ ଲକ୍ଷ କ୍ୟୁସେକ୍‌ରେ ପହଞ୍ଚିବାର ଆକଳନ କରାଯାଇଛି। ବିଭାଗ ପକ୍ଷରୁ ମୁଣ୍ଡଳିରେ ଜଳପ୍ରବାହକୁ ୮ ଲକ୍ଷ କ୍ୟୁସେକ୍ ମଧ୍ୟରେ ରଖିବାକୁ ନଜର ରଖାଯାଇଛି।ମହାନଦୀରେ ଜଳପ୍ରବାହ ବଢ଼ିବା ଯୋଗୁଁ ଏହାର ଶାଖାନଦୀ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ ଓ ମକରା ଆଦିରେ ମଧ୍ୟ ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି। ଏହା ଫଳରେ ନଦୀକୂଳ ଓ ତଳିଆ ଅଞ୍ଚଳର ଚାଷଜମିରେ ପାଣି ପଶିବା ସହ ଜଳବନ୍ଦୀ ସ୍ଥିତି ଦେଖାଦେଇପାରେ। ମହାନଦୀର ବନ୍ୟା ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ଜଳବନ୍ଦୀ ସ୍ଥିତି ଦେଖାଦେଇପାରେ। ବାଙ୍କୀ, ଆଠଗଡ଼ ଓ ବଡ଼ମ୍ବା ଅଞ୍ଚଳର ତଳିଆ ଅଞ୍ଚଳରେ ପାଣି ପଶିବାର ଆଶଙ୍କା ରହିଛି। ଆଠଗଡ଼ ଅଞ୍ଚଳର କେତେକ ସ୍ଥାନରେ ବନ୍ୟାଜଳ ପ୍ରବେଶ ଆରମ୍ଭ ହୋଇଥିବାରୁ ପନିପରିବା ଓ ଅନ୍ୟାନ୍ୟ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବଢ଼ିଛି। ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, ନିମାପଡ଼ା ଓ ଗୋପ ଅଞ୍ଚଳ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାସହ ରଣା ଓ କଣ୍ଟିଆ ନାଳରେ ମଧ୍ୟ ଜଳସ୍ତର ବଢ଼ିପାରେ। ଅନ୍ୟପକ୍ଷରେ, ଉତ୍ତର ଓଡ଼ିଶାର ବନ୍ୟା ସ୍ଥିତିରେ କିଛିଟା ସୁଧାର ଦେଖାଦେଇଛି। ସୁବର୍ଣ୍ଣରେଖାର ରାଜଘାଟରେ ଜଳସ୍ତର ହ୍ରାସ ପାଉଥିବା ବେଳେ ବୁଢ଼ାବଳଙ୍ଗ ଓ ବୈତରଣୀ ନଦୀରେ ମଧ୍ୟ ଜଳସ୍ତର କମିବାରେ ଲାଗିଛି। ତେବେ ମହାନଦୀ ଅବବାହିକାର ତଳିଆ ଅଞ୍ଚଳରେ ଆଗାମୀ ୨୪ ଘଣ୍ଟା ଜଳବନ୍ଦୀ ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ