ନିର୍ବାଚନ କମିଶନଙ୍କ ବିରୋଧରେ ନବରଙ୍ଗପୁର କଂଗ୍ରେସର ପ୍ରତିବାଦ
ନବରଙ୍ଗପୁର,(ୱାଇଏନଏସ): ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଙ୍କ ବେଆଇନ ନିର୍ଵାଚନ ପରିଚାଳନା ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ୍ କମିଟି ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି । ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡ. ଲିପିକା ମାଝୀ ଙ୍କ ନେତୃତ୍ବରେ ସ୍ଥାନିୟ ଗାନ୍ଧୀ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲା।ଏହି କାର୍ଯ୍ୟକ୍ରମରେ କଂଗ୍ରେସ୍ ଦଳ ତରଫରୁ ମୁଖ୍ୟତଃ ଦୁଇଟି ଦାବି ନେଇ ପ୍ରତିବାଦ କରାଯାଇଥିଲା। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ଵାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପ୍ରତିବାଦରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଥିଲା। ଏହା ବ୍ୟତୀତ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ସମ୍ପୂର୍ଣ୍ଣ ବେଆଇନ ବୋଲି ପ୍ରକାଶ କରିଥିଲେ କଂଗ୍ରେସ ନେତାମାନେ।ଡ. ଲିପିକା ଏସ ଆଇ ଆର୍ ନାମରେ ଭୋଟରଙ୍କୁ ବାଦ ଦେବା ଅଭିଯୋଗ କରି ଏହି ସଂଶୋଧନକୁ ଅସାମ୍ବିଧାନିକ ବୋଲି କହିଥିଲେ। ସୂଚନା ଯୋଗ୍ୟ ଯେ,ଦେଶରେ ନିର୍ଵାଚନ ପରିଚାଳନାରେ ତୃଟି ରହିଥିବା ସମ୍ପର୍କରେ ବିରୋଧି ଦଳର ନେତା ରାହୁଲ ଗାନ୍ଧୀ ପ୍ରକାଶ କରିଆଆସୁଥିବା କହିଛନ୍ତି କଂଗ୍ରେସ କର୍ମୀ। ଏହାକୁ ନେଇ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଜ୍ଞାନେଷ କୁମାରଙ୍କ ବିରୁଦ୍ଧରେ ଦେଶ ବ୍ୟାପୀ ଆନ୍ଦୋଳନ ଓ ବିକ୍ଷୋଭ ଜାରି ରହିଛି।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ,ବରିଷ୍ଠ ନେତା ବୃନ୍ଦାବନ ତ୍ରିପାଠୀ,ଦିଲ୍ଲିପ ବେହେରା,ସନରାଜ୍ ଗଣ୍ଡ,ତୁଫାନ୍ ଷଡ଼ଙ୍ଗୀ,ଗଣେଶ ପଟ୍ଟନାୟକ, ସୁରଜ ଲାଲ୍,ନରହରି ମାଝୀ, ୟାଜିର ହୁସେନ୍, ଜୀ.ସାଇରାଯୁ,ପ୍ରହଲ୍ଲାଦ ହିଆଲ,ଜିଲ୍ଲା ମହିଳା କଂଗ୍ରେସ ର ବହୁ କର୍ମକର୍ତ୍ତା,ଜିଲ୍ଲା କଂଗ୍ରେସ ର ବିଭିନ୍ନ ସେଲ୍ କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।


