ପାଲା ମଣ୍ଡପ ନିକଟରେ ଯୁବକକୁ ଆକ୍ରମଣ : ଥାନାରେ ମାମଲା
ଧାମନଗର (ଓ୍ବାଇଏନଏସ): ଧାମନଗର ଥାନା ଅଧୀନ ଇଚ୍ଛଦା ଗ୍ରାମର ପାଲା ମଣ୍ଡପ ନିକଟରେ ଜଣେ ଯୁବକଙ୍କୁ ବାଉଁଶ ବାଡ଼ିରେ ମୁଣ୍ଡକୁ ପ୍ରହାର କରି ରକ୍ତାକ୍ତ କରିବା ଅଭିଯୋଗ ହୋଇଛି। ଏନେଇ ଧାମନଗର ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୩୦ ତାରିଖ ଦିନ ପ୍ରାୟ ୧୨ଟା ୩୦ରେ ଇଚ୍ଛଦା ଗ୍ରାମର ଭିକାରୀ ରାଉତଙ୍କ ପୁଅ ଜୟରାମ ରାଉତ ପାଲା ମଣ୍ଡପ ନିକଟ ଦେଇ ଯାଉଥିବା ବେଳେ ସେହି ଗ୍ରାମର ତପନ ସାହୁ ତାଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ଜୟରାମ ପ୍ରତିବାଦ କରିବାରୁ ତପନ ଏକ ବାଉଁଶ ବାଡ଼ିରେ ତାଙ୍କ ମୁଣ୍ଡକୁ ୩ରୁ ୪ ଥର ପ୍ରହାର କରିଥିବା ଅଭିଯୋଗ ହୋଇଛି। ପ୍ରହାରରେ ଜୟରାମ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡ଼ିଯାଇଥିଲେ। ଏହାପରେ ଅଭିଯୁକ୍ତ ତପନ ଘଟଣାସ୍ଥଳରୁ ଚାଲିଯାଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଜୟରାମ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେସ୍ ନମ୍ବର ୪୨୮/୨୦୨୬ ରେ BNS ଧାରା ୧୨୬(୨), ୨୯୬ ଓ ୧୧୮(୨)ରେ ମାମଲା ରୁଜୁ କରିଛି। ଥାନାଧିକାରୀ ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶକ୍ରମେ ଏଏସ୍ଆଇ କଳ୍ପନା ରାଉତ ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି।


