ଏସ୍‌ସିବିରେ ଡିଜେଲ୍ ହେରଫେର ଅଭିଯୋଗ

କଟକ, (ଓ୍ବାଇଏନଏସ): ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରେ ଡିଜେଲ୍ ଖର୍ଚ୍ଚକୁ ନେଇ ଉଠିଛି ସାଂଘାତିକ ପ୍ରଶ୍ନ। ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେବାର ସମୟ ଓ ଡିଜି (ଡିଜେଲ୍ ଜେନେରେଟର) ଚାଲିଥିବା ସମୟ ମଧ୍ୟରେ ତାଳମେଳ ନଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି। ଏହାରି ମଧ୍ୟରେ ମାସକୁ ପ୍ରାୟ ୨ ହଜାର ଲିଟର ଡିଜେଲ୍ ବ୍ୟବହାର ଦର୍ଶାଇ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ତଥ୍ୟ ମିଳିବା ପରେ ଘଟଣାକୁ ନେଇ ସନ୍ଦେହ ଘନୀଭୂତ ହୋଇଥିଲା। ଏସ୍‌ସିବିରେ କ୍ଲିନିକାଲ୍, ନନ୍-କ୍ଲିନିକାଲ୍, ପାରାକ୍ଲିନିକାଲ୍ ଓ ସୁପର୍ ସ୍ପେସିଆଲିଟିକୁ ମିଶାଇ ୪୩ଟି ବିଭାଗ କାର୍ଯ୍ୟ କରୁଛି। ବିଭିନ୍ନ କୋଠାରେ ମୋଟ ୩୬ଟି ଡିଜି ରହିଛି। ଟିପିସିଓଡିଏଲ୍ ପକ୍ଷରୁ ଏସ୍‌ସିବିକୁ ବିଦ୍ୟୁତ୍ ସରବରାହ ହେଉଥିବା ବେଳେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହେଲେ ଜରୁରୀ କାଳୀନ ଭାବେ ଡିଜି ମାଧ୍ୟମରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା କରାଯାଇଛି।ଡିଜି ଗୁଡ଼ିକର ବାର୍ଷିକ ରକ୍ଷଣାବେକ୍ଷଣ (ଏଏମ୍‌ସି) ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି। ଚୁକ୍ତି ଅନୁଯାୟୀ, ବିଦ୍ୟୁତ୍ ବିଭ୍ରାଟ ସମୟରେ ଡିଜି ଚଳାଇବା ସହ ଯାନ୍ତ୍ରିକ ତ୍ରୁଟି ହେଲେ ତାହାର ମରାମତି କରିବା ଉକ୍ତ ସଂସ୍ଥାର ଦାୟିତ୍ୱ। ତେବେ ଡିଜିରେ ବ୍ୟବହାର ହେଉଥିବା ଡିଜେଲ୍ ଓ ଆବଶ୍ୟକ ନୂଆ ଯନ୍ତ୍ରାଂଶ ଏସ୍‌ସିବି କର୍ତ୍ତୃପକ୍ଷ ଯୋଗାଇଥାନ୍ତି। ୨୦୨୫ ମେ’ ପରବର୍ତ୍ତୀ ସମୟରେ ଯାଞ୍ଚ ବେଳେ ପ୍ରତି ମାସରେ ପ୍ରାୟ ୨ ହଜାର ଲିଟର ଡିଜେଲ୍ ଖର୍ଚ୍ଚ ହେଉଥିବା ତଥ୍ୟ ସାମ୍ନାକୁ ଆସିଥିଲା। କିନ୍ତୁ ଏତେ ପରିମାଣର ଡିଜେଲ୍ ବ୍ୟବହାର ହେବା ଭଳି ବିଦ୍ୟୁତ୍ ବିଭ୍ରାଟ ଏସ୍‌ସିବିରେ ଘଟୁନଥିବାରୁ କର୍ତ୍ତୃପକ୍ଷଙ୍କ ସନ୍ଦେହ ହୋଇଥିଲା। ଏହାପରେ ପ୍ରତି ମାସରେ ଏସ୍‌ସିବି ପରିସରରେ କେଉଁ ସମୟରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହେଉଛି, ସେନେଇ ତଥ୍ୟ ଦେବାକୁ ଟିପିସିଓଡିଏଲ୍‌କୁ ଚିଠି ଲେଖାଯାଇଥିଲା। ଟିପିସିଓଡିଏଲ୍‌ରୁ ମିଳିଥିବା ତଥ୍ୟ ଓ ଏସ୍‌ସିବିର ରେକର୍ଡ ଯାଞ୍ଚ ପରେ ଦୁଇଟି ରିପୋର୍ଟ ମଧ୍ୟରେ ଅସଙ୍ଗତି ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଉଦାହରଣ ସ୍ୱରୂପ, ବିଦ୍ୟୁତ୍ ସେବା ଦିନ ୨ଟାରୁ ୨ଟା ୧୦ ପର୍ଯ୍ୟନ୍ତ ବନ୍ଦ ରହିଥିଲେ ମଧ୍ୟ ଏସ୍‌ସିବିର ରେକର୍ଡରେ ସକାଳ ୧୦ଟାରୁ ବିଦ୍ୟୁତ୍ ବିଚ୍ଛିନ୍ନ ଥିବା ଦର୍ଶାଯାଇଥିବା କୁହାଯାଉଛି। ଫଳରେ ଡିଜି ଦୀର୍ଘ ସମୟ ଚାଲିଥିବା ଦର୍ଶାଇ ଅଧିକ ପରିମାଣର ଡିଜେଲ୍ ମଞ୍ଜୁର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅସଙ୍ଗତି ଯାଞ୍ଚ ପରେ ଡିଜେଲ୍ ବ୍ୟବହାର ଉପରେ ନିୟମିତ ନଜର ରଖାଯାଇଥିଲା। ଏହାର ପ୍ରଭାବରେ ମାସିକ ଡିଜେଲ୍ ବ୍ୟବହାର ହଠାତ୍ ପ୍ରାୟ ୨ ହଜାର ଲିଟରରୁ ୧୫୦ ଲିଟରକୁ ହ୍ରାସ ପାଇଥିବା ଜଣାପଡ଼ିଛି। ଅର୍ଥାତ୍, ପୂର୍ବରୁ ଯେଉଁଠି ପ୍ରାୟ ୨ ଲକ୍ଷ ଟଙ୍କା ଡିଜେଲ୍ ବାବଦରେ ଖର୍ଚ୍ଚ ଦର୍ଶାଯାଉଥିଲା, ପରେ ତାହା ପ୍ରାୟ ୧୫ ହଜାର ଟଙ୍କାକୁ ଖସିଆସିଥିଲା। ଏହାଦ୍ୱାରା ମାସକୁ ପ୍ରାୟ ୧ ଲକ୍ଷ ୮୫ ହଜାର ଟଙ୍କାର ତଫାତ୍ ସାମ୍ନାକୁ ଆସିଛି। ଘଟଣା ପରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଡିଜେଲ୍ ଦାୟିତ୍ୱରେ ଥିବା ଜଣେ କର୍ମଚାରୀଙ୍କୁ ସେହି ଦାୟିତ୍ୱରୁ ହଟାଯାଇଥିବା ଜଣାପଡ଼ିଥିଲା। ତେବେ ପରବର୍ତ୍ତୀ ସମୟରେ ପୁଣି ତାଙ୍କୁ ସମାନ ଦାୟିତ୍ୱ ଦିଆଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଡିଜି ଅପରେଟର୍‌, ଆଉଟ୍‌ସୋର୍ସିଂ ସଂସ୍ଥା ଓ ଅଧୀକ୍ଷକଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଦୀର୍ଘଦିନ ଧରି ଏଭଳି ହେରଫେର ଚାଲିଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗର ସମ୍ପୂର୍ଣ୍ଣ ସତ୍ୟତା ଓ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ସରକାରୀ ତଦନ୍ତ ପରେ ସ୍ପଷ୍ଟ ହେବ। ଏସ୍‌ସିବିର ଏକ ବଡ଼ ଚିକିତ୍ସା ପ୍ରତିଷ୍ଠାନରେ ଜରୁରୀକାଳୀନ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ଆସୁଥିବା ଅର୍ଥର ସ୍ୱଚ୍ଛତା ଓ ଜବାବଦେହିତା ଉପରେ ଏହି ଘଟଣା ଗୁରୁତର ପ୍ରଶ୍ନ ଉଠାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ