ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ
କଟକ (ଓ୍ବାଇଏନଏସ): ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶ ଓ ଗାନ୍ଧୀ ଦର୍ଶନକୁ ଦୈନନ୍ଦିନ ଜୀବନର ଅଂଶ କରିବା ହିଁ ତାଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କଟକ ଲୋକସଭା ସାଂସଦ ଡଃ ଭର୍ତ୍ତୃହରି ମହତାବ କହିଛନ୍ତି। ଐତିହାସିକ ଗାନ୍ଧୀ ସ୍ମୃତି ପୀଠ, ତେଲେଙ୍ଗାପେଣ୍ଠଠାରେ ଶୁକ୍ରବାର ଆୟୋଜିତ କଟକ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହତାବ କହିଥିଲେ ଯେ ଗାନ୍ଧୀଜୀ କର୍ମ ଓ କର୍ତ୍ତବ୍ୟ ପାଳନକୁ ଗୁରୁତ୍ୱ ଦେଉଥିଲେ। ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା ଦ୍ୱାରା ଆତ୍ମସନ୍ତୋଷ ସହ ଅନ୍ୟମାନଙ୍କୁ ମଧ୍ୟ ସନ୍ତୋଷ ମିଳିଥାଏ ବୋଲି ସେ କହିଥିଲେ। ଦୈନନ୍ଦିନ ଜୀବନରେ ଖଦିର ବ୍ୟବହାର ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଶ୍ରୀ ମହତାବ ବର୍ଷକୁ ଅତି କମରେ ଦୁଇଥର ଖଦି ବସ୍ତ୍ର କିଣିବା ଓ ପରିଧାନ କରିବାକୁ ଆହ୍ୱାନ ଦେଇଥିଲେ। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଗାନ୍ଧୀବାଦକୁ ଜୀବନରେ ଆପଣାଇବା ସହ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତାକୁ ଜୀବନର ଅଂଶ କରିବାକୁ ଆହ୍ୱାନ ଦେଇଥିଲେ। ଗାନ୍ଧୀ ସ୍ମୃତି ପୀଠର ଉନ୍ନତିକରଣ କରାଯାଇ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଅରଟରେ ଲୁଗା ବୁଣା କାର୍ଯ୍ୟ ଆରମ୍ଭ କରାଯାଇ ସ୍ମୃତିପୀଠକୁ ଅଧିକ ଚଳଚଞ୍ଚଳ କରାଯିବ ବୋଲି ସେ କହିଥିଲେ। ଏହି ଅବସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। କୃଷ୍ଣପ୍ରସାଦ ପାଢ଼ୀ ଗୀତା, ସନ୍ଦୀପ ନାୟକ ବାଇବେଲ ଏବଂ ତାଜଉଦ୍ଦିନ ଖାନ କୋରାନ ପାଠ କରିଥିଲେ। ସମାରୋହରେ କଟକ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ କିରଣ ଦୀପ କୌର ସହୋତା, ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଲୋଚନ ମହାନ୍ତ, ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, କଟକ ମହାନଗର ନିଗମ ୫୯ ନମ୍ବର ୱାର୍ଡର କର୍ପୋରେଟର ମମତା ମହାନ୍ତିଙ୍କ ସମେତ ବହୁ ଅଧିକାରୀ, ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଗାନ୍ଧୀ ସ୍ମୃତି ପୀଠର ବରିଷ୍ଠ କାର୍ଯ୍ୟକର୍ତ୍ତା ପୀତବାସ ମହାପାତ୍ର, ପ୍ରତାପ ରାଉତରାୟ ଓ ନିହାର ରଞ୍ଜନ ରାୟ ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ସ୍ମୃତି ସହ ତାଙ୍କ ଆଦର୍ଶ ଓ ବାଣୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟଗୁଡ଼ିକରେ ଆୟୋଜିତ ଓଡ଼ିଆ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ରାମଧୁନ ପରିବେଷଣ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଓ କଟକ ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଆୟୋଜିତ ସମାରୋହକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୋନାଲୀ କୁଣ୍ଡ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


