ଜୁଡ଼ିସିଆଲ୍ ହବ୍ ତୁରନ୍ତ ନିର୍ମାଣ ଦାବିରେ ସିଭିଲ୍ ସୋସାଇଟିର ଆସନ୍ତା ୭ରେ ଗଣଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା): ପ୍ରସ୍ତାବିତ ଜୁଡ଼ିସିଆଲ୍ ହବ୍ / କମ୍ପେ୍ଲକ୍ସ ତୁରନ୍ତ ନିର୍ମାଣ ଦାବିରେ ଆସନ୍ତା ୭ ତାରିଖ ବୁଧବାର ଦିନ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣାକୁ ସଫଳ ନିମିତ୍ତ ରବିବାର ଦିନ ପୂର୍ବାହ୍ନରେ ସିଭିଲ୍ ସୋସାଇଟିର ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଠା ଜଳସେଚନ ନିଗମ କର୍ମଚାରୀ ଭବନରେ ଅନୁଷ୍ଠିତ ବୈଠକରେ ଅନ୍ତର୍ଯ୍ୟାମୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସଂପାଦକ ମନୋଜ ନାୟକ କହିଲେ ଯେ, ଗତ ୨୦୨୩ ମସିହାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତାବିତ ଜୁଡ଼ିସିଆଲ୍ ହବ୍ ନିର୍ମାଣ ପାଇଁ ଓଟି. ରୋଡ଼୍ ପାଶ୍ୱର୍ରେ ଜଳସେଚନ ବିଭାଗର ନଅ ଏକରରୁ ଊର୍ଦ୍ଧ୍ୱ ପରିମିତ ସ୍ଥାନ ଚିହ୍ନଟ କରାଯାଇ ସର୍ବସମ୍ମତକ୍ରମେ ସହମତି ପ୍ରକାଶ ପାଇଥିଲା। ସେହି ନିର୍ଦ୍ଧାରିତ ସ୍ଥାନରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ଭୂମିପୂଜନ କରିଥିଲେ। ବାଲେଶ୍ୱର ଓକିଲ ସଂଘ, ସିଭିଲ୍ ସୋସାଇଟି ଓ ଜୁଡ଼ିସିଆଲ୍ ହବ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ନେତୃତ୍ୱ ଉପସ୍ଥିତ ଥିଲେ। ସେହି ସ୍ଥାନରେ ଜୁଡ଼ିସିଆଲ୍ ହବ୍ ନିର୍ମାଣ ପାଇଁ ଓ.ଟି.ରୋଡ଼୍ ପାଶ୍ୱର୍ରେ ଫଳକ ଲଗାଯାଇଥିଲା। ଇତିମଧ୍ୟରେ ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଜଳସେଚନ ବିଭାଗର ଛଅ ଏକରରୁ ଊର୍ଦ୍ଧ୍ୱ ପରିମିତ ଜମି ବିଚାର ବିଭାଗକୁ ହସ୍ତାନ୍ତର କରିସାରିଛନ୍ତି। କିନ୍ତୁ ଦୁଃଖର ବିଷୟ ଏହି ନିର୍ଦ୍ଧାରିତ ସ୍ଥାନରେ ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ। ତେଣୁ ଏହି ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ଦାବିରେ ଚଳିତ ମାସ ୭ ତାରିଖ ଦିନ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ବାଲେଶ୍ୱରବାସୀଙ୍କ ସାମଗ୍ରୀକ ସ୍ୱାର୍ଥ ନିମିତ୍ତ ସିଭିଲ୍ ସୋସାଇଟି ଓ ଏହି ଦାବିକୁ ସମର୍ଥନ କରୁଥିବା ବିଭିନ୍ନ ସାମାଜିକ ସଂଗଠନ ଓ ଗଣ ସଂଗଠନ ସମେତ ସମସ୍ତ ରାଜନୈତିକ ଦଳର ନେତୃତ୍ୱ ଯୋଗ ଦେବାକୁ ନିବେଦନ କରାଯାଇଛି। ଏହି ବୈଠକରେ ସୋସାଇଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁଙ୍କ ସମେତ ଆଇନଜୀବୀ ଦୀପକ କୁମାର ଦାଶ ଓ ସମରେନ୍ଦ୍ର ଦାସ, ପ୍ରଫୁଲ୍ଲ କୁମାର ଦାସ, ବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା, ଅରୁଣ ଜେନା, କମଳାକାନ୍ତ ବେହେରା, ଶରତ ଚନ୍ଦ୍ର ଦଳାଇ, ବିଜୟ କୁମାର ବେହେରା, ଖଗେନ୍ଦ୍ର ସାହୁ ଓ ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗଣଧାରଣା ପରେ ଯଦି ନିର୍ମାଣ କାର୍ଯ୍ୟ ଆରମ୍ଭ ନହୁଏ ତେବେ ଲଗାତର ଆନ୍ଦୋଳନ ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


