ରଣଜୀ ଟ୍ରଫି ପାଇଁ ଓଡ଼ିଶା ପ୍ରସ୍ତୁତ, ୧୭ ଜଣିଆ ଦଳ ଘୋଷିତ

କଟକ,(ଓ୍ବାଇଏନଏସ):  ଆଗାମୀ ବିସିସିଆଇ ଘରୋଇ କ୍ରିକେଟ୍‌ ସିଜନ୍‌ ୨୦୨୬-୨୭ର ରଣଜୀ ଟ୍ରଫି ପାଇଁ ଓଡ଼ିଶା ସିନିୟର ପୁରୁଷ ଦଳ ଘୋଷଣା କରାଯାଇଛି। ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (OCA) ୧୭ ଜଣିଆ ଦଳ ଘୋଷଣା କରିଛି। ସୁଭ୍ରାଂଶୁ ସେନାପତିଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସିନିୟର ପୁରୁଷ ଚୟନ କମିଟିର ଅଧ୍ୟକ୍ଷ କୁଳମଣି ପରିଡ଼ା ଓ ମୁଖ୍ୟ ପ୍ରଶିକ୍ଷକ ପ୍ରବଞ୍ଜନ ମଲ୍ଲିକ୍‌ ଦଳ ଘୋଷଣା କରିଥିଲେ। ଘୋଷିତ ଦଳରେ ସ୍ୱସ୍ତିକ ସାମଲ, ସୁଭ୍ରାଂଶୁ ସେନାପତି (ଅଧିନାୟକ), ଓମ୍‌ ଟି. ମୁଣ୍ଡେ, ଗୌରବ ଚୌଧୁରୀ, ଶ୍ରେୟାଂଶ ଭରଦ୍ୱାଜ, ସନ୍ଦୀପ ପଟ୍ଟନାୟକ ଓ ଶାନ୍ତନୁ ମିଶ୍ରଙ୍କୁ ବ୍ୟାଟର୍‌ ଭାବେ ସାମିଲ କରାଯାଇଛି। ଓମ୍‌ ଟି. ମୁଣ୍ଡେ ଓ ଶ୍ରେୟାଂଶ ଭରଦ୍ୱାଜ ଦଳର ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି। ୱିକେଟ୍‌ କିପର୍‌ ଭାବେ ଆଶୀର୍ବାଦ ସ୍ୱାଇଁ ଓ ଦିନେଶ ମାଝୀ ରହିଛନ୍ତି। ନିନାଦ ରାଠୱା ଓ ସମ୍ବିତ ବେଜାଙ୍କୁ ଅଲ୍‌ରାଉଣ୍ଡର୍‌ ଭାବେ ଦଳରେ ରଖାଯାଇଛି। ବୋଲିଂ ବିଭାଗରେ ଲଳିତ ଯାଦବ, ରାଜେଶ ମହାନ୍ତି, ପ୍ରଶାନ୍ତ ରାଣା ଓ ସୌମ୍ୟ ଲେଙ୍କା ରହିଛନ୍ତି। ସୌମ୍ୟ ଲେଙ୍କା ଓ ସମ୍ବିତ ବେଜା ମଧ୍ୟ ନୂଆ ମୁହଁ ଭାବେ ଦଳରେ ସାମିଲ ହୋଇଛନ୍ତି। ସ୍ପିନ୍‌ ବିଭାଗରେ ସୟଦ ତୁଫାଏଲ ଅହମଦ ଓ ବାଦଲ ବିଶ୍ୱାଳ ରହିଛନ୍ତି। ରଣଜୀ ଟ୍ରଫି ଏଲିଟ୍‌-ସି’ରେ ଓଡ଼ିଶା ଅକ୍ଟୋବର ୧୧ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଗୁଜରାଟକୁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ବି ଗ୍ରାଉଣ୍ଡରେ ଭେଟିବ।ଏହି ମ୍ୟାଚ୍‌ ଅକ୍ଟୋବର ୧୧ରୁ ୧୪ ପର୍ଯ୍ୟନ୍ତ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍‌ରେ ଅକ୍ଟୋବର ୧୮ରୁ ୨୧ ପର୍ଯ୍ୟନ୍ତ ଓଡ଼ିଶା କେରଳ ବିପକ୍ଷରେ ଥିରୁବନନ୍ତପୁରମ୍‌ର ସ୍ପୋର୍ଟ୍ସ ହବ୍‌ ଇଣ୍ଟରନ୍ୟାସନାଲ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳିବ। ଏହାପରେ ଅକ୍ଟୋବର ୨୬ରୁ ୨୯ ପର୍ଯ୍ୟନ୍ତ ଓଡ଼ିଶା ଘରୋଇ ମାଟିରେ ସର୍ଭିସେସ୍‌କୁ ଭେଟିବ। ନଭେମ୍ବର ୨ରୁ ୫ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚ୍‌ ମଧ୍ୟ ଭୁବନେଶ୍ୱରର କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି ଷ୍ଟାଡିୟମ୍‌ରେ ଖେଳାଯିବ। ପରେ ଜାନୁଆରୀ ୧୭ରୁ ୨୦, ୨୦୨୭ ପର୍ଯ୍ୟନ୍ତ ଓଡ଼ିଶା ବାରବାଟୀ ଷ୍ଟାଡିୟମ୍‌, କଟକରେ ଦିଲ୍ଲୀ ବିପକ୍ଷରେ ମୁକାବିଲା କରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ