ଆଗକୁ ଆସୁଛି ଦଶହରା, ସଜେଇ ହେଉଛି ଆସିକାର ବ୍ୟବସାୟ ପ୍ରତିଷ୍ଠାନ
ଆସିକା (ୱାଇଏନ୍ଏସ୍): ପାର୍ବଣର ଋତୁ ଆସିଯାଇଛି । ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ପ୍ରମୁଖ ପର୍ବ ଭାବେ ପରିଚିତ ଥିବା ଦଶହରାକୁ ଆଉମାତ୍ର କିଛି ଦିନ ବାକିଥିଲା ବେଳେ ଏହା ପରେ କୁମାର ପୂର୍ଣ୍ଣିମା । ଏହି ପାର୍ବଣ ଋତୁ ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବଜାରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆସିକା ସହରର ବିନାୟକ ବଜାର ଓ ଲକ୍ଷ୍ମୀବଜାର ଅଞ୍ଚଳ ଡ୍ରେସ୍ ଓ ଲୁଗା ବ୍ୟବସାୟର କେନ୍ଦ୍ରସ୍ଥଳୀ ପାଲଟି ଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ କ୍ଷୁଦ୍ର ବ୍ୟବସାୟୀ ଆସି ଅସ୍ଥାୟୀ ଭାବେ ଦୋକାନ ଖୋଲି ବେପାର ମଧ୍ୟ କରିଥାନ୍ତି । ଏପରିକି ଦଶହରା ଆରମ୍ଭର କିଛିଦିନ ପୂର୍ବରୁ ଓ କୁମାରପୂର୍ଣ୍ଣିମା ତିଥି ପର୍ଯ୍ୟନ୍ତ ଡ୍ରେସ୍ ଓ ଲୁଗା ବ୍ୟବସାୟୀଙ୍କ ପାଖରେ କଥା ହେବା ପାଇଁ ସମୟ ମଧ୍ୟ ନଥାଏ । ଏହି ସମୟରେ ଆସିକା ସହରର ବିନାୟକ ବଜାର ଓ ଲକ୍ଷ୍ମୀବଜାର ଅଞ୍ଚଳ ସାଙ୍ଗକୁ ଡ୍ରେସ୍ ଓ ଲୁଗା ବ୍ୟବସାୟ ଦୋକାନ ଗୁଡିକରେ ଗହଳି ଲାଗି ରହିଥାଏ । ଆସିକା ସହରରେ ହୋଲ୍ସେଲ୍ ବ୍ୟବସାୟୀଙ୍କ ସମେତ ବହୁ ସଂଖ୍ୟକ ଖୁଚୁରା ବ୍ୟବସାୟୀ ରହିଥିବାରୁ ପାର୍ବଣ ସମୟରେ ବ୍ୟବସାୟୀ ପାଇଁ ସ୍ୱତନ୍ତ୍ର ଅଫର୍ ଘୋଷଣା କରି ଗ୍ରାହକଙ୍କୁ ଆକୃଷ୍ଠ କରିଥାନ୍ତି । ଏଥିପାଇଁ କେତେକ ଆଗଧାଡିର ବ୍ୟବସାୟୀ ସ୍ୱତନ୍ତ୍ର ଭାବେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଲୁଗା, କପଡା, ପ୍ୟାଣ୍ଟ୍ ୍ସାର୍ଟ ଓ ଲେଡିଜ୍ ଆଇଟମ୍ ମଗାଇଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳରୁ ଡ୍ରେସ୍ ଓ ଶାଢୀ ମ୍ୟାଟେରିଆଲ୍ ଆସିକା ସହରକୁ ବିକ୍ରୀ ପାଇଁ ଆସିଥାଏ । ଏହି ପାର୍ବଣ ଋତୁ ପାଇଁ ବର୍ତ୍ତମାନ ଠାରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ବ୍ୟବସାୟୀ ପ୍ରସ୍ତୁତ ହୋଇଗଲେଣି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ବଜାର ଓ ମର୍କେଟ୍ କମ୍ପେ୍ଳକ୍ସକୁ ମଧ୍ୟ ସଜାଇ ଦିଆଗଲାଣି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କେତେକ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ମଧ୍ୟ ଆଲୋକମାଳାରେ ସଜାଇ ଦିଆଗଲାଣି । ଦଶହରା, କୁମାରପୂର୍ଣ୍ଣିମା ଓ ଦୀପାବଳୀକୁ ଆଖି ଆଗରେ ରଖି ଆସିକା ସହରର ବହୁ ବ୍ୟବସାୟୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କେତେକ ବ୍ୟବସାୟୀ ଦୁଇ ପର୍ଯ୍ୟାୟରେ ସାମଗ୍ରୀ ମଗାଇ ଦେଇଥିବା ବେଳେ ଆଉ କିଛି ବ୍ୟବସାୟୀ ପର୍ଯ୍ୟାୟ କ୍ରମେ ସାମଗ୍ରୀ ମଗାଇବା ଯୋଜନା କରୁଥିବା ଜଣାପଡିଛି । ବର୍ତ୍ତମାନ ସୁଧା ବଜାର ତଥା ବ୍ୟବସାୟ ଜୋର୍ ଧରିନଥିବା କେତେକ ବ୍ୟବସାୟୀ ପ୍ରକାଶ କରିଛନ୍ତି । ବ୍ୟବସାୟୀ ଓ ସୋ-ରୁମ୍ ମାଲିକ ମାନେ କେବଳ ଗ୍ରାହକଙ୍କ ଅପେକ୍ଷାରେ ରହିଥିବା ବେଳେ ଆଗାମୀ କିଛିଦିନ ମଧ୍ୟରେ ବଜାର ସରଗରମ ହେବା ଆଶା କରାଯାଉଛି । ବର୍ଷର ପ୍ରମୁଖ ପର୍ବ ଦଶହରା ତଥା ଦୁର୍ଗାପୂଜା ଆଉମାତ୍ର କିଛି ଦିନ ପରେ ଆସୁଛି ଏହାର କିଛି ଦିନ ପରେ କୁମାର ପୂର୍ଣ୍ଣିମା । ଦଶହରା ପାଇଁ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଚାଲିଥିବା ଦୁର୍ଗା ମେଢ ନିର୍ମାଣ କାର୍ଯ୍ୟ ଜୋର୍ସୋରରେ ଚାଲିଥିବା ଦେଖିବାକୁ ମିଳୁଛି। ବର୍ଷର ଏହି ପ୍ରମୁଖ ପର୍ବ ଦଶହରା ପାଇଁ ସହରବାସୀ ଯେତିକି ପ୍ରସ୍ତୁତ କଲେଣି ତାହାଠାରୁ ଅଧିକ ପ୍ରସ୍ତୁତି ସହରର ବହୁ ବ୍ୟବସାୟୀଙ୍କ ପକ୍ଷରୁ ଆରମ୍ଭ ହୋଇଗଲାଣି। ଦଶହରା ଓ କୁମାର ପୂର୍ଣ୍ଣିମାର ସର୍ବାଧିକ ବ୍ୟବସାୟ ହେଉଥିବାରୁ ଏହାର ସୁଯୋଗ ନେବାକୁ ଛୋଟଠାରୁ ଆରମ୍ଭ କରି ବଡବଡ ବ୍ୟବସାୟୀ ମାନେ ସଜବାଜ ଆରମ୍ଭ କରିଛନ୍ତି ବର୍ତ୍ତମାନ ଠାରୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ସେଭଳି ଅଧିକ ବ୍ୟବସାୟ ଆରମ୍ଭ ହୋଇନଥିଲେ ସୁଦ୍ଧା ପ୍ରାୟ ଅଧିକାଂଶ ବ୍ୟବସାୟୀ ନୂଆ ନୂଆ ଭେରାଇଟିର ସାମଗ୍ରୀ ଆଣି ଗଚ୍ଛିତ କରି ସାରିଲେଣି। ଦଶହରାରେ ସାଧାରଣତଃ କପଡା ବ୍ୟବସାୟ ଅଧିକ ହୋଇଥାଏ। କାରଣ ଦଶହରା ଓ କୁମାର ପୂର୍ଣ୍ଣିମାରେ ଅଧିକାଂଶ ପରିବାର ନୂଆ ପୋଷାକ ପରିଧାନ କରୁଥିବାରୁ ବଜାରରେ ଅଧିକ ପରିମାଣରେ ପ୍ୟାଣ୍ଟ୍, ସାର୍ଟ, ପାଇଜାମା, ଶାଢୀ ଓ ଅନ୍ୟାନ୍ୟ ପରିଧାନ ସାମଗ୍ରୀ ଅଧିକ ବିକ୍ରୀ ହୋଇଥାଏ। ଏହି ଦୃଷ୍ଟିରୁ ଆସିକା ସହରର ଅଧିକାଂଶ କପଡା, ଡ୍ରେସ, ଶାଢୀ ଦୋକାନ ଗୁଡିକରେ ଅଧିକ ଭିଡ ଜମିଥାଏ। ଦଶହରାର କିଛିଦିନ ପୂର୍ବରୁ ଆରମ୍ଭ ହେଉଥିବା କିଣା ବିକା କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ଜାରି ରହିଥାଏ। ଗ୍ରାହକଙ୍କୁ ନିଜ ବ୍ୟବସାୟ ପ୍ରତିଷ୍ଠାନକୁ ଆସିବା ପାଇଁ ଆକୃଷ୍ଟ କରିବା ଓ ଗ୍ରାହକଙ୍କ ମନ ପସନ୍ଦର ସାମଗ୍ରୀ ତଥା ଡ୍ରେସ ରଖିବାକୁ ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗିରହିଥାଏ। ଲୁଗାପଟା ବ୍ୟତୀତ ଦଶହରାରେ ବିଭିନ୍ନ ନୂତନ ଘରକରଣା ସାମଗ୍ରୀ ମଧ୍ୟ କେତେକ ବ୍ୟକ୍ତି କ୍ରୟ କରିଥାନ୍ତି। ବର୍ତ୍ତମାନ ସୁଦ୍ଧା ବଜାରରେ ଅଧିକ ଭିଡ ଆରମ୍ଭ ହୋଇନଥିଲେ ମଧ୍ୟ ଧିରେଧିରେ ବ୍ୟବସାୟ ପ୍ରତିଷ୍ଟାନ ଗୁଡିକରେ ଗହଳି ବୃଦ୍ଧିପାଇବାରେ ଲାଗିଛି। ଆଉମାତ୍ର ଦିନେ ଦୁଇଦିନ ପରେ ବଜାରରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଟାନ ଗୁଡିକରେ ଭିଡ ବୃଦ୍ଧି ହେବା ଆଶା କରାଯାଉଛି।


