ବିକଶିତ ଭାରତ ସଙ୍କଳ୍ପ ସଭା ଓ ସେବାଜ୍ୟୋତି ଯାତ୍ରା
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ଜନସେବା ଯାତ୍ରାରେ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ, ଉପଲବ୍ଧି ଓ ସେବାମୂଳକ କାର୍ଯ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ସମାଜର ବିଭିନ୍ନ ବର୍ଗକୁ ‘ବିକଶିତ ଭାରତ–୨୦୪୭’ର ସଂକଳ୍ପ ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ବୁଧବାର କେନ୍ଦ୍ରାପଡ଼ାରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ନୂଆ ବସଷ୍ଟାଣ୍ଡରେ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ସଂକଳ୍ପ ସଭା’ ଅନୁଷ୍ଠିତ ହୋଇଥିଲା। ସଭାରେ ବିକଶିତ ଭାରତ ଗଠନର ଲକ୍ଷ୍ୟ, ଜନସେବା, ସୁଶାସନ, ଅନ୍ତ୍ୟୋଦୟ ଓ ସମାଜର ସମସ୍ତ ବର୍ଗଙ୍କୁ ବିକାଶର ମୁଖ୍ୟଧାରାରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଜିଲା ବିଜେପି ସଭାପତି ଶୋଶାଙ୍କ ଶେଠୀ, ଜିଲା ମହିଳା ସଭାନେତ୍ରୀ ଜ୍ୟୋସ୍ôନାରାଣୀ ଜେନା, ସଲିମ ଖାନ, ଗୀତାଞ୍ଜଳୀ ସେଠୀଙ୍କ ସମେତ ବହୁ ଜନପ୍ରତିନିଧି, ଦଳୀୟ କର୍ମକର୍ତ୍ତା, ସାମାଜିକ କର୍ମୀ ଓ ସାଧାରଣ ଲୋକ ଯୋଗଦେଇଥିଲେ। ସଭାରେ ବକ୍ତାମାନେ କହିଥିଲେ ଯେ, ଦେଶର ସର୍ବାଙ୍ଗୀନ ଓ ସମାବେଶୀ ବିକାଶ ପାଇଁ କେବଳ ସରକାରୀ ପଦକ୍ଷେପ ଯଥେଷ୍ଟ ନୁହେଁ, ସମାଜର ପ୍ରତ୍ୟେକ ବର୍ଗ ଓ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଭାଗିତା ଆବଶ୍ୟକ। ‘ବିକଶିତ ଭାରତ–୨୦୪୭’ ଏକ ଦୀର୍ଘମିଆଦୀ ଜାତୀୟ ସଂକଳ୍ପ ହୋଇଥିବାରୁ ଏହାକୁ ସଫଳ କରିବାରେ ଯୁବପିଢ଼ି, ମହିଳା, କୃଷକ, ଶ୍ରମିକ, ଛାତ୍ରଛାତ୍ରୀ ଓ ସମାଜର ବିଭିନ୍ନ ବର୍ଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ‘ବିକଶିତ ଭାରତ–୨୦୪୭’ ଗଠନ ପାଇଁ ଉପସ୍ଥିତ ସମସ୍ତଙ୍କୁ ସାମୁହିକ ଶପଥପାଠ କରାଯାଇଥିଲା। ଦେଶର ଏକତା, ଅଖଣ୍ଡତା, ସମୃଦ୍ଧି ଓ ସର୍ବାଙ୍ଗୀନ ବିକାଶ ପାଇଁ ନିଜ ନିଜ କ୍ଷେତ୍ରରେ ସକ୍ରିୟ ଭାବେ ଅବଦାନ ରଖିବା ସହିତ ୨୦୪୭ ସୁଦ୍ଧା ଏକ ବିକଶିତ ଓ ସମୃଦ୍ଧ ଭାରତ ଗଠନରେ ସହଭାଗୀ ହେବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।ଏହାପରେ ନୂଆ ବସଷ୍ଟାଣ୍ଡଠାରୁ ‘ସେବା ଜ୍ୟୋତି ଯାତ୍ରା’ ଆରମ୍ଭ ହୋଇଥିଲା। ଯାତ୍ରାଟି ସହରର ବିଭିନ୍ନ ଅଞ୍ଚଳ ଦେଇ ଗତି କରି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚିଥିଲା। ଯାତ୍ରା ମାଧ୍ୟମରେ ସେବା, ସୁଶାସନ, ଜନକଲ୍ୟାଣ ଓ ବିକାଶର ବାର୍ତ୍ତା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଯାଇଥିଲା।‘ସେବା ଜ୍ୟୋତି ଯାତ୍ରା’ ଅବସରରେ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ‘ବିକଶିତ ଭାରତ–୨୦୪୭’ ପାଇଁ ସଚେତନତା ସୃଷ୍ଟି ସହିତ ଦେଶର ବିକାଶ ଯାତ୍ରାରେ ପ୍ରତ୍ୟେକ ନାଗରିକଙ୍କ ସହଭାଗିତାର ଆବଶ୍ୟକତା ଉପରେ ଆହ୍ୱାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେବା ଜ୍ୟୋତିକୁ ଗରାପୁର ଛକରେ ସ୍ଥାପନ କରାଯାଇଥିଲା। ଏହି ଜ୍ୟୋତି ସେବା, ତ୍ୟାଗ, ଜନକଲ୍ୟାଣ ଓ ଦେଶ ଗଠନର ସଂକଳ୍ପର ପ୍ରତୀକ ଭାବେ ଲୋକଙ୍କ ମନରେ ଉତ୍ସାହ ଓ ଦେଶପ୍ରେମର ଭାବନା ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମ ଅବସରରେ ବିକଶିତ ଭାରତର ସଂକଳ୍ପକୁ ଆହୁରି ଦୃଢ଼ କରିବା ସହିତ ଦେଶର ପ୍ରଗତି ଓ ସମୃଦ୍ଧି ପାଇଁ ଏକତା, ସହଯୋଗ ଓ ସମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେବା ଓ ବିକାଶର ଏହି ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ‘ବିକଶିତ ଭାରତ–୨୦୪୭’ ସଂକଳ୍ପକୁ ଜନଆନ୍ଦୋଳନରେ ପରିଣତ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।


