ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ତିତ୍‌ଲି କ୍ଷତିଗ୍ରସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଠାରେ ଥିବା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ରାୟଗଡ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଗ୍ରାମପଞ୍ଚାୟତର ତାଳମୁଣ୍ଡା, ବାଡାସାହି ଇତ୍ୟାଦି ଗ୍ରାମର କିଛି ତିତ୍‌ଲି ବାତ୍ୟା କ୍ଷତିଗ୍ରସ୍ତ ପରିବାର ସେମାନଙ୍କୁ ଉଚିତ ସ୍ଥାନରେ ଥଇଥାନ କରିବା ଦାବୀରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବୀ ଅନୁଯାଇ ସେମାନେ ରାୟଗଡ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଗ୍ରାମ ପଞ୍ଚାୟତର ତାଳମୁଣ୍ଡା ଓ ବାଡାସାହି ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ଗତ ତିତ୍‌ଲି ବାତ୍ୟାରେ ସେମାନଙ୍କର ଘରଗୁଡିକ କ୍ଷତିଗ୍ରସ୍ତ ହୋଇଥିଲା । ସେମାନଙ୍କୁ ପ୍ରଶାସନ ପକ୍ଷରୁ ମୁଳିଗୁମ୍ମା ମୌଜାର ମୁନିଁଙ୍ଗାବାଡି ନିକଟସ୍ଥ ଏକ ଖାଲି ସ୍ଥାନରେ ଥଇଥାନ ପାଇଁ ଜାଗା ଦିଆଯାଇଥିଲା । ମାତ୍ର ସେହି ଜାଗାଟି ଏହି ଗ୍ରାମ ଗୁଡିକର ୩୫ଟି ପରିବାର ଥଇଥାନ ହେବାପାଇଁ ଯଥେଷ୍ଟ ନୁହଁ । ଅନ୍ୟପକ୍ଷରେ ସେହି ଜାଗାଟି ଏହି ବାସିନ୍ଦାମାନଙ୍କର ମୁଳଗ୍ରାମ ଠାରୁ ପ୍ରାୟ ୧କିମି ଦୂରରେ ଅବସ୍ଥିତ ଥିବାରୁ ଏହିପରିବାର ଗୁଡିକ ଜୀବନ ଜୀବିକା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥିବାର ଏହି ଗ୍ରାମବାସୀମାନେ ସେମାନଙ୍କର ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ ଗ୍ରାମବାସୀମାନେ ତାଳମୁଣ୍ଡା ମୌଜାର ଏକ ସ୍ଥାନରେ ଯେଉଁ ଜାଗା ରହିଛି ସେହି ଜାଗାଟି ଗ୍ରାମବାସୀମାନଙ୍କ ଥଇଥାନପାଇଁ ଉପଯୁକ୍ତ ହେବ ବୋଲି ସେମାନେ କହିଛନ୍ତି । ତେବେ ସେହି ସ୍ଥାନଟି ଯଦି ପ୍ରଶାସନ ପକ୍ଷରୁ ଗ୍ରାମବାସୀମାନଙ୍କୁ ଥଇଥାନପାଇଁ ଦିଆଯାଆନ୍ତା ପରିବାର ଗୁଡିକ ଥଇଥାନ ହେବାସହ ସେମାନଙ୍କ ଜୀବନ ଜୀବିକା ମଧ୍ୟ ସୁରୁଖୁରୁରେ ଚାଲିପାରନ୍ତା ବୋଲି ଗଣ୍ଡାହାତୀ ପଞ୍ଚାୟତର ସରପଞ୍ଚ ଦୁର୍ଯ୍ୟ ଶବର କହିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ସରପଞ୍ଚଙ୍କ ନେତୃତ୍ୱରେ ସଲମନ ଶବର, ସୋମନାଥ ଶବର, ରାମ ଭୂୟାଁ, ଶଙ୍କୁ ଶବର ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ଜିଲାପାଳ ଅନୁପସ୍ଥିତଥିବାରୁ ତାଙ୍କ କାର୍ଯ୍ୟାଳୟରେ ଏହି ଦାବୀପତ୍ର ଗ୍ରାମବାସୀମାନେ ପ୍ରଦାନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ