ବୈଠକକୁ ବର୍ଜନ କଲେ ଅଧ୍ୟକ୍ଷା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)- ବୈଠକ ଡାକିଥିବା ଅଧ୍ୟକ୍ଷ ଖୋଦ୍ ନିଜେ ସମିତି ବୈଠକକୁ ବର୍ଜନ କରିଛନ୍ତି । ଏଭଳି ଘଟଣା ନେଇ ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଘଟଣାଟି ନିରାଟ ସତ୍ୟ ଅଟେ । ଘଟଣାରୁ ପ୍ରକାଶ, ଗଜପତି ଜିଲା ଗୋଷାଣୀ ବ୍ଲକର ପାୟତ ସମିତି କାର୍ଯ୍ୟାଳୟ ବୈଠକ ଗୃହଠାରେ ଆଜି ଅନୁଷ୍ଠିତ ହୋଇଥିବା ପାୟତ ସମିତି ବୈଠକକୁ ବହୁ ସଂଖ୍ୟକ ପଞ୍ଚାୟତ ପ୍ରତିନିଧିମାନେ ବର୍ଜନ କରିବା ସହ ହୋହାଲା କରିଥିବାର ଦେଖିବାକୁ ମିଳିଥିଲା । ଏହି ବୈଠକକୁ ଖୋଦ ପଞ୍ଚାୟତ ସମିତି ଅଧ୍ୟକ୍ଷା ସି.ଏଚ୍.ତାରେକେଶ୍ୱରୀ ମଧ୍ୟ ବର୍ଜନ କରିଥିବା ଦେଖିବାକୁ ମିଳିଥିଲା । ବ୍ଲକ ଉନ୍ନୟନ ଅଧିକାରୀ ସଂଗ୍ରାମକେଶରୀ ପଣ୍ଡା ଅଧ୍ୟକ୍ଷା ଏବଂ ପାୟତ ପ୍ରତିନିଧି ମାନଙ୍କୁ ସଭାଗୃହ ବାହାରକୁ ଆସି ବୁଝାଇବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇନଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ପାୟତ ପ୍ରତିନିଧିମାନେ ଯୁକ୍ତିତର୍କ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ବ୍ଲକ କାର୍ଯ୍ୟାଳୟ ପରିସରଟି କିଛି ସମୟପାଇଁ ଚାପାଉତ୍ତେଜନାପୂର୍ଣ୍ଣ ରହିଥିଲା । ତେବେ ବୈଠକ ବର୍ଜନର କାରଣ ବ୍ଲକ ଅଧ୍ୟକ୍ଷାଙ୍କୁ ପଚାରିବାରୁ ସେ କହିଥିଲେ ଯେ ବ୍ଲକର ବିଭିନ୍ନ ପାୟତରେ ଯେ କୌଣସି ଉନ୍ନୟନ କାର୍ଯ୍ୟ ହେଉଛି ତାହା ଶାସକ ଦଳର ଇଙ୍ଗିତରେ ଏବଂ ଶାସକ ଦଳର ପ୍ରତିନିଧିମାନଙ୍କ ଜରିଆରେ କରାଯାଉଥିବାବେଳେ ଅନ୍ୟାନ୍ୟ ଦଳର ଯେଉଁ ପାୟତ ପ୍ରତିନିଧିମାନେ ରହିଛନ୍ତି ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଥିବାରୁ ଏହି ବୈଠକକୁ ବର୍ଜନ କରାଯାଇଛି । ଏପରିକି ଗୋଷାଣୀ ବ୍ଲକର ଦୁଇଜଣ ଜିଲାପରିଷଦ ସଭ୍ୟ ରହିଥିଲେ ମଧ୍ୟ ସେମାନେ ଶାସକ ଦଳର ହୋଇନଥିବାରୁ ସେମାନଙ୍କୁ ମଧ୍ୟ ସମସ୍ତ ଉନ୍ନୟନ କାର୍ଯ୍ୟ କରିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ରୋକାଯାଉଛି ବୋଲି କୁହାଯାଇଥିଲା । ବ୍ଲକରେ ବାର୍ଦ୍ଧ୍ୟକ ଭତ୍ତା, ଆବାସିକ ଯୋଜନା, ସଡକ, ବିଜୁଳି ଇତ୍ୟାଦି ବିଭିନ୍ନ କାର୍ଯ୍ୟ କରାଯିବା ସମୟରେ କେବଳ ଶାସକ ଦଳର ପ୍ରତିନିଧିମାନେ ହସ୍ତକ୍ଷେପ କରି ସେମାନେ ପ୍ରଶାସନ ଠାରୁ କାର୍ଯ୍ୟ ହାସଲ କରୁଥିଲେ ମଧ୍ୟ ଅନ୍ୟଦଳର ପ୍ରତିନିଧିମାନେ ଏହି ସବୁ କାମ ସେମାନଙ୍କ ଅଞ୍ଚଳରେ କରିବାରୁ ବଞ୍ଚିତ ହେଉଛନ୍ତି । ଏହି ବୈଠକକୁ ଭାଜପା ଦଳର ସମସ୍ତ ପାୟତ ପ୍ରତିନିଧି ବୈଠକ ବର୍ଜନ କରିବା ସହ ବ୍ଲକ ଉପାଧ୍ୟକ୍ଷ ଦିଲ୍ଲେଶ୍ୱର ରାଓ, ଜିଲାପରିଷଦ ସଭ୍ୟ ଜି.ଶ୍ରୀଧର, ବିମଳା ସାମଲ ପ୍ରମୁଖ ମଧ୍ୟ ବର୍ଜନ କରିଥିଲେ । ବୈଠକଟି ଏକପ୍ରକାର ବନ୍ଦ କରାଯାଇଥିଲା । ଆଗାମୀ ଦିନରେ ଏପରି କାର୍ଯ୍ୟକୁ ବରଦାସ୍ତ କରାଯିବନି ଏବଂ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲା ପରିଷଦ ସଭ୍ୟା ଶ୍ରୀମତୀ ସାମଲ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ