ଦୁଇ ନାବାଳିକା ଝିଅଙ୍କୁ ଛାଡି ମା ଫେରାର
ହାଟଡିହି,(ଓ୍ବାଇଏନଏସ): ପ୍ରେମ ବିବାହର ୮ ବର୍ଷ ପରେ ଦୁଇ ନାବାଳିକା ଝିଅଙ୍କୁ ଛାଡି ମା ଅନ୍ୟ ଯୁବକ ସହ ଫେରାର ହୋଇଯିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ସ୍ୱାମୀ ଯାଜପୁର ଜିଲ୍ଲା କୋରେଇ ଥାନା ପୂର୍ଣ୍ଣକୋଟ ଗ୍ରାମର ନୃସିଂହ ଚରଣ ଜେନାଙ୍କ ପୁଅ ଧର୍ମେନ୍ଦ୍ର କୁମାର ଜେନା (୩୯) ଙ୍କ ଅଭିଯୋଗ ଅନୁଯାଇ ସେ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଆଗିରିଆ ଗ୍ରାମର ଅଭୟ ଦାସଙ୍କ ଝିଅ ମାମୁନି ଦାସ(୩୭ ବର୍ଷ)ଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ୭ ବର୍ଷର ବଡ ଝିଅ ଏବଂ ୨ ବର୍ଷର ସାନ ଝିଅ ଅଛନ୍ତି। ଉଭୟ ସ୍ୱାମୀ-ସ୍ତ୍ରୀ ତାମିଲନାଡୁର ଏକ ସୂତା ମିଲରେ କାମ କରୁଥିଲେ। ଗତ ୨ ମାସ ତଳେ ତାଙ୍କ ସ୍ତ୍ରୀ ସେହି କମ୍ପାନୀରେ କାମ କରୁଥିବା ଅଜୁ ମହାଜନ ନାମକ ଜଣେ ବ୍ୟକ୍ତିଙ୍କୁ ଭଲ ପାଉଥିବା କଥା କହିଥିଲେ। ଧର୍ମେନ୍ଦ୍ର ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ କହିଥିଲେ। କିନ୍ତୁ ଗତ ୨୧ ସେପ୍ଟେମ୍ବର ୨୦୨୬ ତାରିଖରେ ତାଙ୍କ ସ୍ତ୍ରୀ ସେହି ଯୁବକ ସହ ସ୍ୱାମୀ ଏବଂ ଦୁଇ ନାବାଳିକା ଝିଅଙ୍କୁ ଛାଡି କେଉଁଆଡେ ପଳାଇ ଯାଇଛନ୍ତି। ସ୍ୱାମୀ ଧର୍ମେନ୍ଦ୍ର ଫୋନ କରିବାରୁ ତାଙ୍କ ସ୍ତ୍ରୀ “ମୁଁ ମୋ ଇଚ୍ଛାରେ ଯାଇଛି ଏବଂ ତୁମେ ତୁମର ରାସ୍ତା ଦେଖ ବୋଲି କହିଥିଲେ l ଥାନାରେ ଜଣାଇଲେ ଭଡାରେ ଗୁଣ୍ଡା ଲଗାଇ ଜୀବନରୁ ମାରିଦେବେ ବୋଲି କହିଥିଲେ l ଫଳରେ ଜୀବନ ଭୟରେ ଧର୍ମେନ୍ଦ୍ର ନିଜ ଦୁଇ ଝିଅଙ୍କୁ ଧରି ଗାଁକୁ ପଳାଇ ଆସିଥିଲେ । ସ୍ତ୍ରୀ ଫେରି ଆସିବେ ବୋଲି ଆଶା ରଖି ଥିଲେ। କିନ୍ତୁ ସ୍ତ୍ରୀ ନଫେରିବାରୁ ଉଭୟ କୋରେଇ ଏବଂ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି l ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ ଯଦି କୌଣସି ପରିସ୍ଥିତିରେ ନନ୍ଦିପଦା ପୋଲିସର ଆବଶ୍ୟକତା ପଡେ, ତେବେ ଆଇନଗତ ଭାବେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


