ଶାରଦୀୟ ନବରାତ୍ରିରେ ଶକ୍ତିପୀଠ ଚଳଚଞ୍ଚଳ
କଟକ, (ଓ୍ବାଇଏନଏସ): ଶାରଦୀୟ ନବରାତ୍ରିକୁ ନେଇ ଦେଶବ୍ୟାପୀ ଆରମ୍ଭ ହୋଇଛି ଆଧ୍ୟାତ୍ମିକ ଉତ୍ସାହ। ଦେବୀ ଦୁର୍ଗାଙ୍କ ଉପାସନାର ଏହି ପବିତ୍ର ପର୍ବର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ଆରାଧନା କରୁଛନ୍ତି ଶ୍ରଦ୍ଧାଳୁ। ବିଭିନ୍ନ ମନ୍ଦିର ଓ ଶକ୍ତିପୀଠରେ ଘଟସ୍ଥାପନା ସହ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ନଅ ଦିନ ଧରି ଚାଲିବ ମା’ଙ୍କ ବିଭିନ୍ନ ସ୍ୱରୂପର ଆରାଧନା। ଏହି ଅବସରରେ ଭକ୍ତମାନେ ପରିବାରର ମଙ୍ଗଳ, ସୁଖ-ଶାନ୍ତି ଓ ସମୃଦ୍ଧି କାମନା କରି ଦେବୀଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି।କଟକରେ ମା’ ଗଡ଼ଚଣ୍ଡୀଙ୍କ ରାଜରାଜେଶ୍ୱରୀ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼। ନବରାତ୍ରିର ପ୍ରଥମ ଦିନରେ କଟକର ପ୍ରସିଦ୍ଧ ମା’ ଗଡ଼ଚଣ୍ଡୀଙ୍କ ପୀଠରେ ଦେଖିବାକୁ ମିଳିଛି ବିଶେଷ ଧାର୍ମିକ ଉତ୍ସାହ। ମା’ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ସକାଳର ମଙ୍ଗଳ ଆଳତି ପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ବଢ଼ିଥିଲା। ମା’ଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ ସହ ନବରାତ୍ରି ପୂଜାର ଶୁଭାରମ୍ଭକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଅନ୍ୟପଟେ ବିଭିନ୍ନ ଶକ୍ତିପୀଠରେ ଷୋଡ଼ଶ ଉପଚାରରେ ଦେବୀଙ୍କ ପୂଜା କରାଯାଉଛି। ନବରାତ୍ରିର ଆଗାମୀ ଦିନଗୁଡ଼ିକରେ ମଧ୍ୟ ଦେବୀଙ୍କ ବିଭିନ୍ନ ବେଶ ଓ ପୂଜାବିଧିକୁ ନେଇ ମନ୍ଦିରଗୁଡ଼ିକରେ ଧାର୍ମିକ କାର୍ଯ୍ୟକ୍ରମ ଜାରି ରହିବ।


