ନେତାଜୀ ବସ୍ ଟର୍ମିନାଲ କେଡିଏ ପାଇଁ ଆର୍ଥିକ ବୋଝ, ଆୟଠାରୁ ଦୁଇଗୁଣ ଖର୍ଚ୍ଚ
କଟକ, (ଓ୍ବାଇଏନଏସ): ଆଧୁନିକ ସୁବିଧା ଓ ଆକର୍ଷଣୀୟ ରୂପ ପାଇଁ ଚର୍ଚ୍ଚାରେ ଥିବା କଟକର ନେତାଜୀ ବସ୍ ଟର୍ମିନାଲ (ସିଏନ୍ବିଟି) ଏବେ କଟକ ଉନ୍ନୟନ କର୍ତ୍ତୃପକ୍ଷ (କେଡିଏ) ପାଇଁ ଏକ ବଡ଼ ଆର୍ଥିକ ଚ୍ୟାଲେଞ୍ଜ ପାଲଟିଛି। ଟର୍ମିନାଲରୁ ହେଉଥିବା ଆୟ ତୁଳନାରେ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣରେ ଦୁଇଗୁଣରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି। ଫଳରେ ଅଢ଼େଇ ବର୍ଷରୁ ଅଧିକ ସମୟ ମଧ୍ୟରେ ଏଥିପାଇଁ କେଡିଏକୁ ୮ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବାକୁ ପଡ଼ିଛି। ଏହି ଅତିରିକ୍ତ ଆର୍ଥିକ ବୋଝ ଯୋଗୁଁ କର୍ତ୍ତୃପକ୍ଷଙ୍କ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଉପରେ ମଧ୍ୟ ଚାପ ସୃଷ୍ଟି ହେଉଛି। ୨୦୨୩ ସେପ୍ଟେମ୍ବରରେ ଉଦ୍ଘାଟିତ ହୋଇଥିବା ଏହି ଟର୍ମିନାଲର ରକ୍ଷଣାବେକ୍ଷଣ ଦାୟିତ୍ୱ ଆରମ୍ଭରୁ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି। ସଫେଇ, ସୁରକ୍ଷା ଓ ଅନ୍ୟାନ୍ୟ ପରିଚାଳନା କାର୍ଯ୍ୟ ପାଇଁ କେଡିଏ ଉକ୍ତ ସଂସ୍ଥାକୁ ମାସିକ ପ୍ରାୟ ୫୦ରୁ ୫୫ ଲକ୍ଷ ଟଙ୍କା ପ୍ରଦାନ କରୁଛି। ପ୍ରାରମ୍ଭିକ ଅବସ୍ଥାରେ ଏହି ଖର୍ଚ୍ଚର କିଛି ଅଂଶ ରାଜ୍ୟ ସରକାର ବହନ କରୁଥିବା ବେଳେ ବାକି ଅର୍ଥ କେଡିଏ ଦେଉଥିଲା। କିନ୍ତୁ ୨୦୨୪ ପରଠାରୁ ରାଜ୍ୟ ସରକାର ଆଉ ପରିଚାଳନା ଖର୍ଚ୍ଚ ବହନ କରୁନଥିବାରୁ ସମସ୍ତ ଆର୍ଥିକ ଦାୟିତ୍ୱ କେଡିଏ ଉପରେ ପଡ଼ିଛି। ଅନ୍ୟପଟେ, ଟର୍ମିନାଲରୁ ହେଉଥିବା ଆୟ ଏହି ଖର୍ଚ୍ଚର ମୁକାବିଲା କରିବାକୁ ଯଥେଷ୍ଟ ନୁହେଁ। ଏଠାରେ ଥିବା ୨୫ଟି ଦୋକାନ, ହୋଟେଲ, ଲଜ୍ ଓ ଅନ୍ୟାନ୍ୟ ବାଣିଜ୍ୟିକ ସୁବିଧାରୁ କେଡିଏ ରାଜସ୍ୱ ପାଉଛି। ଦୋକାନଗୁଡ଼ିକ ପାଇଁ ପାଞ୍ଚବର୍ଷିଆ ଚୁକ୍ତି ଅନୁଯାୟୀ ବର୍ଷକୁ ଏକ ଲକ୍ଷ ଟଙ୍କା ହିସାବରେ ପ୍ରତ୍ୟେକ ଦୋକାନରୁ ପାଞ୍ଚ ବର୍ଷ ପାଇଁ ମୋଟ ପାଞ୍ଚ ଲକ୍ଷ ଟଙ୍କା ଆଦାୟ କରାଯାଇଛି। ଅନ୍ୟାନ୍ୟ ବାଣିଜ୍ୟିକ ସୁବିଧାରୁ ମିଳୁଥିବା ରାଜସ୍ୱକୁ ମିଶାଇ କେଡିଏର ମାସିକ ଆୟ ପ୍ରାୟ ୨୦ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି। ଏହି ହିସାବରେ ମାସକୁ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କା କେଡିଏକୁ ନିଜ ପାଣ୍ଠିରୁ ଭରଣା କରିବାକୁ ପଡ଼ୁଛି। ଏହାର ବାର୍ଷିକ ଆର୍ଥିକ ପ୍ରଭାବ ପ୍ରାୟ ତିନି କୋଟି ଟଙ୍କା ହେଉଛି। ଦୀର୍ଘ ସମୟ ଧରି ଏହି ବ୍ୟବଧାନ ଜାରି ରହିବାରୁ ଟର୍ମିନାଲର ପରିଚାଳନା ଖର୍ଚ୍ଚ କେଡିଏର ଆର୍ଥିକ ସ୍ଥିତି ଉପରେ ଚାପ ବଢ଼ାଇଛି। କେଡିଏ ସାଧାରଣତଃ ସହରର ବିଭିନ୍ନ ମାର୍କେଟ୍ ବିଲ୍ଡିଂରୁ ମିଳୁଥିବା ରାଜସ୍ୱ ଏବଂ ଜମି ପ୍ଲଟ୍ ବିକ୍ରିରୁ ହେଉଥିବା ଆୟ ମାଧ୍ୟମରେ କର୍ମଚାରୀଙ୍କ ଦରମା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଖର୍ଚ୍ଚ ତୁଲାଇଥାଏ। ଏଭଳି ସ୍ଥିତିରେ ସିଏନ୍ବିଟି ପରିଚାଳନା ପାଇଁ ନିୟମିତ ଭାବେ ବିପୁଳ ଅର୍ଥ ଖର୍ଚ୍ଚ ହେବା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି। ଏହା ସହିତ ଘରୋଇ ସଂସ୍ଥାର ପରିଚାଳନା କାର୍ଯ୍ୟକୁ ନେଇ ମଧ୍ୟ ବିଭିନ୍ନ ସମୟରେ ଅସନ୍ତୋଷ ଓ ଅଭିଯୋଗ ଉଠୁଥିବାରୁ ଖର୍ଚ୍ଚ ଅନୁଯାୟୀ ସେବା ମିଳୁଛି କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ କେଡିଏ ସଚିବ ଜନକ ନାୟକ କହିଛନ୍ତି ଯେ, ସିଏନ୍ବିଟିର ପରିଚାଳନା ଖର୍ଚ୍ଚ ବହନ କରିବାକୁ ରାଜ୍ୟ ସରକାରଙ୍କୁ କର୍ତ୍ତୃପକ୍ଷ ଚିଠି ଲେଖିଥିଲେ। ତେବେ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିନଥିବା ସହ ଟର୍ମିନାଲର ନିଜସ୍ୱ ଆୟରୁ ପରିଚାଳନା ଖର୍ଚ୍ଚ ଭରଣା କରିବାକୁ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଟର୍ମିନାଲର ପରିଚାଳନା ଦାୟିତ୍ୱ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି)କୁ ହସ୍ତାନ୍ତର କରିବା ନେଇ ରାଜ୍ୟ ସରକାରଙ୍କ ସହ ପୁନର୍ବାର ଆଲୋଚନା କରାଯାଇ ପ୍ରସ୍ତାବ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


