ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍
କଟକ, (ଓ୍ବାଇଏନଏସ): କଟକ ଜିଲ୍ଲା ବଡ଼ମ୍ବା ଥାନା ଅଞ୍ଚଳରେ ୨୦୧୨ ମସିହାରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି।ଏଥି ସହ ୪୦ ହଜାର ଟଙ୍କା ଜରିମାନା ଏବଂ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। କଟକର ଆଡ୍ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ଏଫ୍ଟିଏସ୍ସି-୨) ସବିତା ଦାସ ଏହି ରାୟ ଶୁଣାଇଛନ୍ତି।ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ହେଉଛନ୍ତି ବଡ଼ମ୍ବା ଥାନା ଅଞ୍ଚଳର ଜାନିସାହି ବାସିନ୍ଦା ବିଦ୍ୟାଧର ସେଣ ଓରଫ୍ କୁନା (୪୬)।ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୬(୨)(ଆଇ) ଏବଂ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜରିମାନା ଅର୍ଥ ପୈଠ ନକଲେ ତାଙ୍କୁ ଅତିରିକ୍ତ ୬ ମାସ କଠିନ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଜରିମାନା ଅର୍ଥ ଆଦାୟ ହେଲେ ତାହା ପୀଡ଼ିତାଙ୍କୁ କ୍ଷତିପୂରଣ ଭାବେ ପ୍ରଦାନ କରାଯିବ। ମାମଲାର ବିବରଣୀ ଅନୁଯାୟୀ, ୨୦୧୨ ଡିସେମ୍ବର ୪ ତାରିଖ ସକାଳ ପ୍ରାୟ ୯ଟାରେ ଏହି ଘଟଣା ଘଟିଥିଲା।ସେତେବେଳେ ୧୬ ବର୍ଷୀୟା ପୀଡ଼ିତା ପ୍ରାତଃକର୍ମ ସାରି ଗାଁ ନିକଟସ୍ଥ ପାହାଡ଼ ଆଡ଼କୁ ଯାଉଥିବା ସମୟରେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଏତଲାରେ ଉଲ୍ଲେଖ ହୋଇଥିଲା। ଏହି ଘଟଣା ପରେ ମାନସିକ ଭାବେ ଭାଙ୍ଗିପଡ଼ି ପୀଡ଼ିତା ଘରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ସଦସ୍ୟ ତାଙ୍କୁ ଏଥିରୁ ନିବୃତ୍ତ କରିବା ପରେ ସେ ଘଟଣା ସମ୍ପର୍କରେ ସବୁ କଥା ଜଣାଇଥିଲେ। ଏହାପରେ ସେହିଦିନ ବଡ଼ମ୍ବା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ମାମଲାର ବିଚାର ସମୟରେ ମୋଟ ୧୪ ଜଣ ସାକ୍ଷୀଙ୍କ ବୟାନ ଏବଂ ବିଭିନ୍ନ ଦସ୍ତାବିଜ୍କୁ ଆଧାର କରି ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ମିହିର ଶେଖର ସାହୁ ମାମଲା ପରିଚାଳନା କରୁଥିଲେ।


