ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ଗାଡ଼ି ଓ ଘରୁ ₹୨୧.୮୮ ଲକ୍ଷ ଜବତ
କଟକ, (ଓ୍ବାଇଏନଏସ): ଦଶହରା ଉତ୍ସବକୁ ନେଇ ଠିକାଦାରଙ୍କଠାରୁ ଚାନ୍ଦା ଓ ଅତିରିକ୍ତ ଅର୍ଥ ଆଦାୟ ସମ୍ପର୍କିତ ଚର୍ଚ୍ଚା ମଧ୍ୟରେ କଟକ ମହାନଦୀ ନର୍ଥ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସ ଭିଜିଲାନ୍ସ ଜାଲରେ ଫସିଛନ୍ତି। ତାଙ୍କ ସରକାରୀ ବୋଲେରୋ ଓ ଭୁବନେଶ୍ୱରସ୍ଥିତ ବାସଭବନରେ ଚଢ଼ାଉ କରି ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ। ଠିକାଦାରଙ୍କ ସହ ଆର୍ଥିକ କାରବାର ଏବଂ ଜବତ ଟଙ୍କାର ଉତ୍ସକୁ ନେଇ ତଦନ୍ତ ଜାରି ରହିଛି। ଦଶହରା ଖର୍ଚ୍ଚ ପାଇଁ ଠିକାଦାରଙ୍କଠାରୁ ଅର୍ଥ ଆଦାୟ ହେଉଥିବା ନେଇ ଚର୍ଚ୍ଚା ଝୋର ଧରିଥିବା ବେଳେ ଦଶହରା ସମୟରେ ଠିକାଦାରଙ୍କଠାରୁ ଉତ୍ସବ ଖର୍ଚ୍ଚ ବାବଦରେ ଚାନ୍ଦା କିମ୍ବା ଅନ୍ୟାନ୍ୟ ଅର୍ଥ ମଗାଯାଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ଦାବି କରାଯାଉଛି। ଏହି ଚର୍ଚ୍ଚା ମଧ୍ୟରେ ଜଣେ ବରିଷ୍ଠ ଯନ୍ତ୍ରୀଙ୍କ ନିକଟରୁ ଏତେ ପରିମାଣର ନଗଦ ଟଙ୍କା ଜବତ ହେବା ଘଟଣା ଠିକାଦାରଙ୍କ ସହ ହେଉଥିବା ଆର୍ଥିକ କାରବାରକୁ ନେଇ ପ୍ରଶ୍ନ ଉଠାଇଛି। ତେବେ, ଦଶହରା ଚାନ୍ଦା ଆଦାୟ ସହ ଜବତ ଟଙ୍କାର ସିଧାସଳଖ ସମ୍ପର୍କ ରହିଛି କି ନାହିଁ, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ, ଏକାଧିକ ଠିକାଦାରଙ୍କଠାରୁ ଅର୍ଥ ମଗାଯାଇଥିବା ଏବଂ ଅଧିକ ଟଙ୍କା ଅନ୍ୟ କୌଣସି ସ୍ଥାନରେ ରଖାଯାଇ ଥାଏ ପାରେ ବୋଲି ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଏହି ଦାବିଗୁଡ଼ିକର ସତ୍ୟତା ଯାଞ୍ଚ କରିବା ସହ ଅନ୍ୟ କୌଣସି ସ୍ଥାନରେ ଅର୍ଥ ଲୁଚାଇ ରଖାଯାଇଛି କି ନାହିଁ, ସେ ଦିଗରେ ତଦନ୍ତର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଅଧିକାରିକ ଭାବେ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ଭିଜିଲାନ୍ସ ସୂତ୍ର ଅନୁଯାୟୀ, ଗତକାଲି ରାତିରେ ଶ୍ରୀ ଦାସ ଜଗତପୁରସ୍ଥିତ ଜଳସେଚନ ବିଭାଗର ଇନ୍ସପେକ୍ସନ୍ ବଙ୍ଗଳା (ଆଇବି)କୁ କିଛି ଠିକାଦାରଙ୍କୁ ଡାକିଥିବା ଏବଂ ସେମାନଙ୍କଠାରୁ ଅର୍ଥ ସଂଗ୍ରହ କରିଥିବା ନେଇ ସୂଚନା ମିଳିଥିଲା। ଏହା ପରେ କଟକ ଓ ଭୁବନେଶ୍ୱରରେ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ଭିଜିଲାନ୍ସ ଟିମ୍।
ସୂଚନା ଅନୁସାରେ, ଧରାପଡ଼ିବା ଆଶଙ୍କାରେ ସେ ବାରମ୍ବାର ଗାଡ଼ି ଓ ସ୍ଥାନ ପରିବର୍ତ୍ତନ କରୁଥିବା ସନ୍ଦେହ କରାଯାଉଛି। ମୋବାଇଲ୍ ଫୋନ୍ ଟ୍ରାକିଂ ମାଧ୍ୟମରେ ଭିଜିଲାନ୍ସ ଟିମ୍ ତାଙ୍କୁ ଭୁବନେଶ୍ୱରର ଡେଲ୍ଟା ଛକସ୍ଥିତ ଜଳସେଚନ ବିଭାଗର ଆଇବିରେ ଠାବ କରିଥିଲା। ସେଠାରେ ଏକ ଭୋଜିରେ ଯୋଗ ଦେଇଥିବା ଶ୍ରୀ ଦାସଙ୍କୁ ଚିହ୍ନଟ କରିବା ପାଇଁ ଦୁଇଜଣ ଭିଜିଲାନ୍ସ କର୍ମଚାରୀ ସାଧାରଣ ପୋଷାକରେ ଆଇବି ଭିତରକୁ ଯାଇଥିଲେ। ଭୋଜି ଶେଷ ହେବା ପର୍ଯ୍ୟନ୍ତ ନଜର ରଖିବା ପରେ ତାଙ୍କୁ ପିଛା କରିଥିଲା ଟିମ୍।
ଭୋଜି ସରିବା ପରେ ଶ୍ରୀ ଦାସ ଘରୋଇ ଗାଡ଼ି ଛାଡ଼ି ସରକାରୀ ବୋଲେରୋରେ ଜଣେ ଠିକାଦାରଙ୍କୁ ଭେଟିବାକୁ ବାହାରିଥିଲେ। ଭିଜିଲାନ୍ସ ଟିମ୍ ଏଜି ଛକରେ ଗାଡ଼ି ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ମିଳିଥିଲା। ଏହାପରେ ଅନ୍ୟ ଏକ ଭିଜିଲାନ୍ସ ଟିମ୍ ଭୁବନେଶ୍ୱରର ଟ୍ରାଇଡେଣ୍ଟ ଗାଲାକ୍ସୀ ଆପାର୍ଟମେଣ୍ଟସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରି ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଥିଲା। ଉଭୟ ସ୍ଥାନରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ ହୋଇଛି। ଏତେ ପରିମାଣର ନଗଦ ଅର୍ଥ କେଉଁଠାରୁ ଆସିଲା ଏବଂ କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା, ସେ ନେଇ ଶ୍ରୀ ଦାସ ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି। ତାଙ୍କୁ ଅଟକ ରଖି ଅର୍ଥର ଉତ୍ସ, ଠିକାଦାରଙ୍କ ସହ ଆର୍ଥିକ କାରବାର ଓ ଅଭିଯୋଗର ଅନ୍ୟାନ୍ୟ ଦିଗ ନେଇ ତଦନ୍ତ ଚାଲିଛି। ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଦଶହରା ଚାନ୍ଦା ଆଦାୟ ସମ୍ପର୍କିତ ଚର୍ଚ୍ଚା, ଠିକାଦାରଙ୍କ ସହ ଆର୍ଥିକ କାରବାର ଏବଂ ଜବତ ଟଙ୍କାର ଉତ୍ସ ଏବେ ତଦନ୍ତର ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇଥିବାବେଳେ, ଏହି ମାମଲାରେ ଆଗକୁ ଆଉ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ନଜର ରହିଛି।


