ସମାଜ ସଂସ୍କାରରେ ଯୁବପିଢୀଙ୍କ ଭୂମିକା ଶୀର୍ଷକ ଆଲୋଚନା
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡାର କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ରରେ ଗରାପୁର ଶିବାନନ୍ଦ ଆଶ୍ରମର ପରମାଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ସମାଜ ସଂସ୍କାରରେ ଯୁବପିଢୀଙ୍କ ଭୂମିକା ଶୀର୍ଷକ ଆଲୋଚନାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପୂର୍ଣ୍ଣଭୂମି ଭାରତବର୍ଷକୁ ଗୈାରବ ଓ ସମ୍ମାନର ସହିତ ଗଢିତୋଳିବାକୁ ପରାମର୍ଶ ଦେଇଥିଲେ। ପିଲାମାନେ ହେଉଛନ୍ତି କଞ୍ଚାମାଟି ପିଣ୍ଡୁଳା ସଦୃଶ। ସେମାନଙ୍କୁ ଏହି ସମୟରେ ହିଁ ଉପଯୁକ୍ତ ଶିକ୍ଷା ପ୍ରଦାନ କରାଯିବା ଆବଶ୍ୟକ। ସେମାନଙ୍କୁ ଭାରତବର୍ଷର ଗାରିମା, ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯିବା ଉଚିତ। ଆମର ସୁନାର ଭାରତବର୍ଷର ଗର୍ବ,ଗୈାରବ ଓ ଟେକ ରଖିବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀମା କହିଥିଲେ। ଆମର କଷ୍ଟ ଅର୍ଜିତ ସ୍ୱାଧୀନତାକୁ ଆମେ ବଜାୟ ରଖିବା ସହିତ ସ୍ୱଦେଶୀ ଜିନିଷର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହିତ ପ୍ରତ୍ୟେକ ଦିନ ପ୍ରାତଃରୁ ଉଠି ଭଗବାନଙ୍କୁ ନମସ୍କାର କରି, ଗୀତା ପାଠ କରିବା, ବୃକ୍ଷରୋପଣ କରିବା ସହ ସମାଜ ସଂସ୍କାରରେ ମୁଖ୍ୟ ପୁରୋଧା ସାଜିବାକୁ ସେ ଯୁବ ପିଢୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହୃଷିକେଶ ଲେଙ୍କା, ଚିତ୍ତରଞ୍ଜନ ବେହେରା, ପ୍ରଭାତରଞ୍ଜନ ବେହେରା, ତନ୍ମୟ ବେହେରା, ଦିପ୍ତିରଞ୍ଜନ ଦାସ, ଅମୀୟ ସ୍ୱାଇଁ, ଜ୍ଞାନରଞ୍ଜନ ଦାସ, ଶଶିକାନ୍ତ ରାଉତ, ଅଭିଜିତ ମିଶ୍ର, ମାନସରଞ୍ଜନ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


