ବିଜେପିରେ ସାମିଲ ହେଲେ ଖମାରୀଗାଁ ପଞ୍ଚାୟତର ୧୫ରୁ ଊର୍ଦ୍ଧ୍ୱ ପରିବାର
ପାତ୍ରପୁର,(ୱାଇଏନଏସ):ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ପାତ୍ରପୁର ବ୍ଲକ୍ର ଖମାରୀଗାଁ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଲାଲକମାଗାଁରେ ଆୟୋଜିତ ମିଶ୍ରଣ ପର୍ବରେ ୧୫ରୁ ଊର୍ଦ୍ଧ୍ୱ ପରିବାରର ସଦସ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ବିଧାୟକ ଖଣ୍ଡଦେଉଳି ପ୍ରାଥମିକ ବିଦ୍ୟାଳୟରେ ନିଜ ହାତପାଣ୍ଠିରୁ ନିର୍ମିତ ଅତିରିକ୍ତ ଶ୍ରେଣୀଗୃହକୁ ଉଦ୍ଘାଟନ କରିଥିଲେ। ପରେ ଖମାରୀଗାଁରେ ଗ୍ରାମବାସୀଙ୍କ ସୁବିଧା ନିମନ୍ତେ ନିର୍ମାଣ ହେବାକୁ ଥିବା କୋଠ ମଣ୍ଡପର ଶିଳାନ୍ୟାସ କରିଥିଲେ। ଏହାପରେ ଲାଲକମାଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ବାଜାବାଦ୍ୟ ସହ ବିଧାୟକଙ୍କୁ ସ୍ୱାଗତ କରି ଗ୍ରାମ ପରିକ୍ରମା କରାଇଥିଲେ। ସେଠାରେ ନବନିର୍ମିତ ସାଂସ୍କୃତିକ ମଣ୍ଡପକୁ ସେ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପାତ୍ରପୁର ବିଡିଓ ଲକ୍ଷ୍ମଣ ଚରଣ ସୋରେନ ସାମିଲ ଥିଲେ।ପରେବିଧାୟକ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ଅନ୍ୟପକ୍ଷରେ ଲାଲକମାଗାଁରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଡି. ଅନନ୍ତ, ଡି. ଜଗନ୍ନାଥନ, ବୃନ୍ଦାବନ ରେଡ୍ଡୀ ଓ ଜି. ପ୍ରକାଶଙ୍କ ସମେତ ୧୫ରୁ ଊର୍ଦ୍ଧ୍ୱ ପରିବାରର ସଦସ୍ୟ ବିଜେପିରେ ସାମିଲ ହୋଇଥିଲେ। ବିଧାୟକ ସେମାନଙ୍କୁ ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାଂସଦ ପ୍ରତିନିଧି ମିନା ଦ୍ୟାନସାମନ୍ତରା, ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ୱାଇ. ମୋହନ ରାଓ, ପୂର୍ବତନ ଉପାଧ୍ୟକ୍ଷ ଅନାଦି ପଣ୍ଡିତ, ସରପଞ୍ଚ ଏନ୍. ତିରୁପତି, ପୂର୍ବତନ ସରପଞ୍ଚ ଆଇ. ବାଳକୃଷ୍ଣ ରେଡ୍ଡୀ, ସଦାନନ୍ଦ ନାୟକ, ଗୌରାଙ୍ଗ ପାଣିଗ୍ରାହୀ ଓ ରେଜେନ୍ଦ୍ର ସବରଙ୍କ ସମେତ ବହୁ ଜନପ୍ରତିନିଧି ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।


