ଆସୁଛି ଆଲୋକର ପର୍ବ ଦୀପାବଳୀ: ବାରୁଦଗଦାରେ ଆସିକା ବ୍ଳକର ନଳବଣ୍ଟା ଗ୍ରାମ!
ଆସିକା (ୱାଇଏନ୍ଏସ୍) : ଆସିକା ବ୍ଳକ ଅନ୍ତର୍ଗତ ନଳବଣ୍ଟା ଗ୍ରାମ ସଦାସର୍ବଦା ମିନି ଶିବକାଶୀ ରୂପେ ଚର୍ଚ୍ଚାରେ ଥିଲା ବେଳେ ବର୍ଷ ବର୍ଷ ଧରି ସରକାରଙ୍କ ସମସ୍ତ ନୀତିନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ବିନା ଲାଇସେନ୍ସରେ ଅବାଧରେ ଅତି ବିପଦଜନକ ଭାବେ ବାଣ ପ୍ରସ୍ତୁତି ଓ ବିକ୍ରୀ ଚାଲିଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି । ଆଲୋକର ପର୍ବ ଦୀପାବଳୀ ପାଳନକୁ ଆଉମାତ୍ର କିଛି ଦିନ ବାକି ଥିଲା ବେଳେ ଆସିକା-ବ୍ରହ୍ମପୁର ମୁଖ୍ୟରାସ୍ତାର ୫୯ ନମ୍ବର ଜାତୀୟ ରାଜପଥର ନଳବଣ୍ଟା ଗ୍ରାମରେ ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରୀର ପେଣ୍ଠସ୍ଥଳୀ ପାଲଟିଥିବା ଆଲୋଚିତ ହେଉଛି । ଆସିକା ବ୍ଳକ ଅନ୍ତର୍ଗତ ନଳବଣ୍ଟା ଗ୍ରାମର କେତେକ ସାହି ଓ ଗ୍ରାମ ଠାରୁ କିଛି ମିଟର ଦୂରରେ ବେଆଇନ ବାଣ ପ୍ରସ୍ତୁତି ଏକ କୁଟୀର ଶିଳ୍ପରେ ପରିଣତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ପୋଲିସ ପ୍ରଶାସନ ପକ୍ଷରୁ ଚୋରା ବାଣ କାରବାରକୁ ରୋକିବା ଲାଗି ପ୍ରତ୍ୟେକ ବର୍ଷ ଦୀପାବଳୀ ପୂର୍ବରୁ ଅତର୍କିତ ଚଢାଉ କରାଯାଇ ପ୍ରଟୁର ପରିମାଣର ବାଣ ଜବତ କରାଯିବା ସାଙ୍ଗକୁ ବହୁ ଚୋରା ବାଣ ମାଫିଆଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ମଧ୍ୟ ମିନି ଶିବକାଶୀ ରୂପେ ପରିଚିତ ଥିବା ନଳବଣ୍ଟା ଗ୍ରାମରେ ବେଆଇନ ବାଣ କାରବାର କମିବା ପରିବର୍ତ୍ତେ ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ଆଲୋକର ପର୍ବ ଦୀପାବଳୀକୁ ଦୃଷ୍ଟିରେ ରଖି ଏବେ ଠାରୁ ନଳବଣ୍ଟା ଗ୍ରାମରେ ଲୁଚାଛପାରେ ବିପୁଳ ପରିମାଣର ବିଷ୍ଫୋରକ ସାମଗ୍ରୀ ଆସି ପହଞ୍ଚିସାରିଥିଲା ବେଳେ ଚୋରା ବାଣମାଫିଆମାନେ ନିଜ ନିଜର ଗୁପ୍ତ ଗୋଦାମରେ ବାରୁଦ ଗୁଡିକୁ ମହଜୁଦ ରଖି ବାଣ ପ୍ରସ୍ତୁତ କରିବା ଲାଗି ପଡିଥିବା କେତେକ ମହଲରେ ମତ ପ୍ରକାଶ ପାଉଛି । ଆସିକା ବ୍ଳକ ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ବର୍ଷତମାମ ବିଭିନ୍ନ ସମୟରେ ବିନା ସୁରକ୍ଷା ଓ ଲାଇସେନ୍ସ ନଥାଇ ବାଣ ପ୍ରସ୍ତୁତି ହେଉଥିବା ବେଳେ ଦୀପାବଳୀ ସମୟରେ ଏହାର ପରିମାଣ ଅଧିକ ବୃଦ୍ଧି ପାଇଥାଏ ଓ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସୁବିଧା ସୁଯୋଗ ଦେଖି ବାଣମାଫିଆମାନେ ବିନା କାଗଜପତ୍ରରେ ଚାଲାଣ କରିଥାନ୍ତି । ଆଲୋକର ପର୍ବ ଦୀପାବଳୀକୁ ଦୃଷ୍ଟିରେ ରଖି ନଳବଣ୍ଟା ଗ୍ରାମର କେତେକ ବାଣ ବ୍ୟବସାୟୀ ଆତସବାଜି ବିକ୍ରୀ ଓ ପ୍ରସ୍ତୁତି ପାଇଁ ଦିନରାତି ଏକ କରି ଲାଗିପଡିଥିବା ଚର୍ଚ୍ଚା ହେଉଛି । ନଳବଣ୍ଟ୍ ଗ୍ରାମରେ ବେଆଇନ ଭାବେ ବାଣ ପ୍ରସ୍ତୁତି ଓ ବିକ୍ରୀ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଗଲାଣି । ନଳବଣ୍ଟା ଗ୍ରାମରେ ପ୍ରସ୍ତୁତ ହାତତିଆରି ଅତି ଉଚ୍ଚଶବ୍ଦକାରୀ ବାଣର ଚାହିଦା ଥିଲା ବେଳେ ଆଲୋକର ପର୍ବ ଦୀପାବଳୀ ସମୟରେ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ବ୍ୟବସାୟ ହୋଇଥାଏ ଏବଂ ତା ସାଙ୍ଗକୁ ବର୍ଷର ବିଭିନ୍ନ ସମୟରେ ହେଉଥିବା ନାନାଦି ମାଙ୍ଗଳିକ କାର୍ଯ୍ୟ, ଶୋଭାଯାତ୍ରା ଓ ପୂଜାପାର୍ବଣ ଋତୁରେ ମଧ୍ୟ ଉକ୍ତ ଗ୍ରାମର ବାଣ ବ୍ୟବସାୟୀମାନେ ଭଲ ବ୍ୟବସାୟ କରିଥାନ୍ତି । ଦୀର୍ଘ ବର୍ଷ ଧରି ବାରୁଦ ଗଦା ଉପରେ ଥିବା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ଅତୀତରେ ବାଣ ତିଆରି ବେଳେ ବିଷ୍ଫୋରଣ ଘଟି କେତେ ମଲେଣି, କେତେ ହଜିଗଲେଣି, କେତେ ଖଣ୍ଡିଆ ଖାବରା ହୋଇ ପଡିରହିଛନ୍ତି, କେତେ ଘରଦ୍ୱାରା ଧ୍ୱଂସ ହୋଇଯାଇଛି, ତାହାର ହିସାବ କେହି ରଖିନାହିଁ । ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ବାଣ ତିଆରି ହେଉଥିଲେ ମଧ୍ୟ ନଳବଣ୍ଟା ଗ୍ରାମର ବାଣ ଏକ ସ୍ୱତନ୍ତ୍ର ଚାହିଦା ଓ ଖ୍ୟାତି ରହିଛି । ନଳବଣ୍ଟା ଗ୍ରାମର ଅଭିଜ୍ଞ ବାଣ କାରିଗର ମାନଙ୍କ ହାତତିଆରିରେ ପ୍ରସ୍ତୁତ ବିଭିନ୍ନ କିସମର ଭୟଙ୍କର ଶବ୍ଦସୃଷ୍ଟିକାରୀ ବାଣର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ନଳବଣ୍ଟା ଗ୍ରାମରେ ବେଆଇନ ବାଣ ତିଆରି ଏକ କୁଟୀର ଶିଳ୍ପରେ ପରିଣତ ହୋଇଥିଲା ବେଳେ ବହୁ ବର୍ଷ ଧରି ଏହି ଗ୍ରାମରେ ସରକାରୀ ଆଇନ କାନୁନକୁ ଖାତିର କରିବା ତ ଦୂରର କଥା ବିନା ଲାଇସେନସ୍ରେ ମୃତ୍ୟୁକୁ ତିଳେ ମାତ୍ର ଭୟ ନକରି ଅତ୍ୟନ୍ତ ବିପଦଜନକ ଭାବେ ମୋଟା ଅଙ୍କର ଲାଭ ପାଇବା ଆଶାରେ ଚାଲିଛି ବେଆଇନ ବାଣ କାରବାର । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବେଳ ଥାଉ ଥାଉ ଯଦି ଆସିକା ବ୍ଳକର ନଳବଣ୍ଟ୍ ଗ୍ରାମରେ ଲୁଚାଛପାରେ ଚାଲିଥିବା ବାଣ ପ୍ରସ୍ତୁତି ଓ ବିକ୍ରୀକୁ ସଂପୁର୍ଣ୍ଣ ବନ୍ଦ କରିବା ଦିଗରେ ପଦକ୍ଷେପ ନନିଅନ୍ତି ତେବେ ଦୁର୍ଭାଗ୍ୟବଶତଃ ବାଣ ବିଷ୍ଫୋରଣ ଘଟି ଅକାଳରେ ଯେ କାହାର ଜୀବନଦୀପ ଲିଭିବ ତାହା କିଏ କହିବ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି ।


