ସମ୍ଭାବ୍ୟ ବାତ୍ୟା ସଙ୍କେତକୁ ନେଇ ପସୁଛି ଛନକା: ବାତ୍ୟା ନାଁ ଶୁଣିଲେ ଥରୁଛି ଛାତି

ଆସିକା(ୱାଇଏନ୍‍ଏସ୍‍): ପୁଣି ଡରାଇଲାଣି ପାଣିପାଗ ବିଭାଗର ପୂର୍ବାନୁମାନ । ୧୯୯୯ ମସିହା ମହାବାତ୍ୟା ପର ଠାରୁ ଅକ୍ଟୋବର ମାସ ଆସିଲେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତିଙ୍କୁ ବାତ୍ୟା ଭୟ ଘାରୁଥିବା ଦେଖିବାକୁ ମିଳୁଛି । ଅତୀତରେ ହୋଇଥିବା ଏକାଧିକ ମହାବାତ୍ୟା ଓ ତତ୍‍ପରବର୍ତ୍ତୀ ବନ୍ୟାରେ ଆସିକା ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଥିବା ନଜିର୍‍ ବି ରହିଛି । ସେଥିିପାଇଁ ସମ୍ଭାବ୍ୟ ବାତ୍ୟା ଆଗମନର ପ୍ରାକ୍‍ ସୂଚନା ମିଳିବା ମାତ୍ରେ ବହୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଯାଉଥିବା ଦେଖିବାକୁ ମିଳୁଛି । ଅତୀତରେ ୧୯୬୯ ମସିହା ବନ୍ୟା, ୧୯୯୦ ମସିହା ବନ୍ୟା, ୧୯୯୯ ମସିହା ମହାବାତ୍ୟା, ୨୦୧୩ ମସିହା ଫାଇଲିନ୍‍, ୨୦୧୪ ମସିହା ହୁଡ୍‍ହୁଡ୍‍, ୨୦୧୮ ମସିହା ତିତିଲି, ୨୦୨୦ ମସିହା ଅମ୍ଫାନ୍‍, ୨୦୨୧ ମସିହା ୟାସ୍‍, ଗୁଲାବ୍‍, ଜୱାଦ୍‍, ୨୦୨୨ ମସିହା ଆସାନି, ୨୦୨୪ ମସିହା ଦାନା ଓ ଚଳିତ ୨୦୨୬ ମସିହା ସେପ୍ଟେମ୍ବର ମାସରେ ହୋଇଥିବା ଅର୍ଣ୍ଣବର ପ୍ରଭାବ ଲୋକେ ଦେଖିସାରିଛନ୍ତି । ତେଣୁ ବାତ୍ୟା ଖବର ଶୁଣିଲେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ଜନସାଧାରଣଙ୍କ ମଧ୍ୟରେ ଏକପ୍ରକାର ଅଜଣା ଭୟ ସଞ୍ଚାର ହେଉଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଜନସାଧାରଣଙ୍କ ମନରେ ଯେତିକି ଛନକା ପଶୁଛି ତାହାଠାରୁ ଅଧିକ ଭୟଭୀତ କରୁଛି ପବନ । ଆଗାମୀ ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ଚାଷୀ ଏବେଠୁ ଚିନ୍ତିତ ହୋଇପଡିଥିବା ଦେଖିବାକୁ ମିଳୁଛି । ଆଉ କିଛି ଦିନ ପରେ ସମ୍ଭାବ୍ୟ ବଡବାତ୍ୟାର ଆଶଙ୍କା ବ୍ୟକ୍ତ କଲେଣି କେତେକ ଅନ୍ତର୍ଜାତୀୟ ପାଣିପାଗ ମଡେଲ୍‍ । ସମ୍ଭାବ୍ୟ ବାତ୍ୟାର ଆକାର ଓ ପ୍ରଭାବକୁ ନେଇ କୌଣସି ପୂର୍ବାନୁମାନ ହୋଇନଥିଲେ ମଧ୍ୟ ଆସନ୍ତା ୨୬ ତାରିଖ ବେଳକୁ ଏହାର ପ୍ରଭାବ ଅନୁଭୁତ ହେବ ବୋଲି ଆକଳନ କରାଯାଉଛି । ଅତି ଭୀଷଣ ବାତ୍ୟା (ଭେରି ସିଭିୟର୍‍ ସାଇକ୍ଳୋନ୍‍) ଆନ୍ଧ୍ର-ଓଡିଶା ଉପକୂଳ ଆଡକୁ ଆସିପାରେ ବୋଲି ଚର୍ଚ୍ଚା ବି ହେଉଛି । ସମ୍ଭାବ୍ୟ ବାତ୍ୟାକୁ ନେଇ କେତେକ ଅଞ୍ଚଳର ଲୋକଙ୍କ ମଧ୍ୟରେ ଏବେଠୁ ଛନକା ପଶିଯାଇଥିବା ବେଳେ ଆସନ୍ନ ବାତ୍ୟା ଆନ୍ଧ୍ର ନା ଓଡିଶା କେଉଁ ଆଡକୁ ମୁହାଁଇବ ତାହାକୁ ନେଇ ଆଲୋଚନା ଜାରି ରହିଥିବା ଦେଖିବାକୁ ମିଳୁଛି । ସାଧାରଣତଃ ଅକ୍ଟୋବର ମାସ ଆସିଲେ ଅଧିକାଂଶ ଜନସାଧାରଣଙ୍କ ମଧ୍ୟରେ ପ୍ରାୟତଃ ବାତ୍ୟା ଭୟ ସୃଷ୍ଟି ହେଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ