ଟାଟୁ ଖୋଲିଲା ମହିଳା ହତ୍ୟାକାଣ୍ଡର ରହସ୍ୟ, ଆନ୍ଧ୍ରରୁ ଅଭିଯୁକ୍ତ ଗିରଫ

କଟକ, (ଓ୍ବାଇଏନଏସ): କଟକ କାଠଯୋଡ଼ି ନଦୀକୂଳରେ ମିଳିଥିବା ଅଜଣା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଘଟଣାର ରହସ୍ୟ ଉନ୍ମୋଚନ କରିଛି କମିସନରେଟ୍ ପୁଲିସ। ମହିଳାଙ୍କ ହାତରେ ଥିବା ଟାଟୁ ହିଁ ତାଙ୍କ ପରିଚୟ ଖୋଜିବାରେ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ସୁରାକ ଦେଇଥିଲା। ଏହାକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇ ପୁଲିସ ହତ୍ୟା ଅଭିଯୁକ୍ତ ଜଳନ୍ଧର ବାଗ୍‌କୁ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲା ଅନ୍ତର୍ଗତ ପୁତ୍ତୁର ସହରରୁ ଗିରଫ କରିଛି। ମୃତ ମହିଳା ଜଣକ କଳାହାଣ୍ଡି ଜିଲ୍ଲାର ଗୌରୀ ଭୋଇ ବୋଲି ଚିହ୍ନଟ ହୋଇଛନ୍ତି। ଗତ ଅକ୍ଟୋବର ୭ ତାରିଖରେ କଟକର ରାଜାବଗିଚା ନିକଟ କାଠଯୋଡ଼ି ନଦୀକୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମହିଳାଙ୍କ ମୁଣ୍ଡକୁ ଅତି ନିର୍ମମ ଭାବେ ଆଘାତ କରାଯାଇଥିବା ବେଳେ ମୁହଁ ବିକୃତ ହୋଇଯାଇଥିଲା ଏବଂ ଆଖି ନଷ୍ଟ କରାଯାଇଥିଲା। ଫଳରେ ତାଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା। ଘଟଣାସ୍ଥଳରେ ଫରେନସିକ୍ ଟିମ୍ ତଦନ୍ତ କରିଥିଲା। ଏହି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇ ପୁଲିସ କମିସନର ଏସ୍‌. ଦେବଦତ୍ତ ସିଂହ କହିଥିଲେ ଯେ ତଦନ୍ତକାରୀ ଦଳ ମୃତଦେହର ବିଭିନ୍ନ ଚିହ୍ନ ଓ ଶାରୀରିକ ବୈଶିଷ୍ଟ୍ୟକୁ ଯାଞ୍ଚ କରିଥିଲା। ଏହି ସମୟରେ ମହିଳାଙ୍କ ହାତରେ ଥିବା ଟାଟୁ ପୁଲିସର ନଜରକୁ ଆସିଥିଲା। ଟାଟୁରେ ‘ଅବିନାଶ ଗୌରୀ’ ଲେଖାଥିବା ବେଳେ ମହିଳାଙ୍କ ନାକରେ ଥିବା ଛୋଟ ନଥ ମଧ୍ୟ ତଦନ୍ତରେ ସହାୟକ ହୋଇଥିଲା। ଟାଟୁରେ ଲେଖାଥିବା ନାମକୁ ଆଧାର କରି ପୁଲିସ ସୋସିଆଲ ମିଡିଆରେ ଖୋଜାଖୋଜି କରିଥିଲା। ଏହି ସମୟରେ ଅବିନାଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଫେସବୁକ୍ ପ୍ରୋଫାଇଲ୍ ସାମ୍ନାକୁ ଆସିଥିଲା। ତାଙ୍କର କଳାହାଣ୍ଡି ଜିଲ୍ଲାର ନର୍ଲା ଅଞ୍ଚଳ ସହ ସମ୍ପର୍କ ଥିବା ଜଣାପଡ଼ିବା ପରେ ପୁଲିସ ନର୍ଲା ଥାନା ସହ ଯୋଗାଯୋଗ କରିଥିଲା। ଫଟୋରେ ଥିବା ଟାଟୁ ଓ ମୃତଦେହରେ ଥିବା ଟାଟୁ ମଧ୍ୟରେ ସାମଞ୍ଜସ୍ୟ ମିଳିଥିଲା। ପରେ ପୁଲିସ ତଦନ୍ତ, ଜେଲ୍ ରେକର୍ଡ ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ ପରେ ମୃତ ମହିଳାଙ୍କ ପରିଚୟ ଗୌରୀ ଭୋଇ ବୋଲି ସ୍ପଷ୍ଟ ହୋଇଥିଲା।ମହିଳାଙ୍କ ପରିଚୟ ଜଣାପଡ଼ିବା ପରେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ତଦନ୍ତକୁ ଜୋରଦାର କରିଥିଲା। ଏହି ମାମଲାରେ ମୃତ ମହିଳାଙ୍କ ସ୍ୱାମୀଙ୍କଠାରୁ ମିଳିଥିବା ସୂଚନା ମଧ୍ୟ ତଦନ୍ତରେ ସହାୟକ ହୋଇଥିଲା। ଅଭିଯୁକ୍ତ ଜଳନ୍ଧର ବାଗ୍‌ ଜଳନ୍ଧର ବାଗ୍‌, ରବି ମାଝୀ ଓ କୃଷ୍ଣ ଭଳି ଏକାଧିକ ନାମରେ ପରିଚୟ ଦେଉଥିବା ସହ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବା ତଦନ୍ତରୁ ଜଣାପଡ଼ିଥିଲା। ଏହା ତାକୁ ଠାବ କରିବାରେ ପୁଲିସ ପାଇଁ ଅସୁବିଧା ସୃଷ୍ଟି କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ଦୁଇଟି ତଦନ୍ତକାରୀ ଟିମ୍ ଗଠନ କରାଯାଇଥିଲା। ଗୋଟିଏ ଟିମ୍ ନୂଆପଡ଼ା ଜିଲ୍ଲାର କୋମନା ଥାନା ଅଞ୍ଚଳରେ ତଦନ୍ତ କରୁଥିବା ବେଳେ ଅନ୍ୟ ଟିମ୍ ତେଲେଙ୍ଗାନାର କାମାରେଡ୍ଡି ଅଞ୍ଚଳରେ ଅଭିଯୁକ୍ତର ସନ୍ଧାନ ଜାରି ରଖିଥିଲା। କଟକ ସହର ପୁଲିସ ଜିଲ୍ଲାର ସାଇବର ସେଲ୍ ମଧ୍ୟ ବିଭିନ୍ନ ବୈଷୟିକ ତଥ୍ୟ ଯାଞ୍ଚ କରିଥିଲା। ଏଥିରେ ଜରୁରୀକାଳୀନ ସହାୟତା ବ୍ୟବସ୍ଥା (ERSS)ର କଲ୍ ରେକର୍ଡ, ହସ୍ପିଟାଲ୍ ରେକର୍ଡ ଏବଂ କଟକ, ଜଗତସିଂହପୁର ଓ କାମାରେଡ୍ଡି ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟକୁ ଯୋଡ଼ି ଅଭିଯୁକ୍ତର ଗତିବିଧି ଉପରେ ପୁଲିସ ନଜର ରଖିଥିଲା। ଶେଷରେ ସେ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲା ଅନ୍ତର୍ଗତ ପୁତ୍ତୁର ସହରରେ ଥିବା ନେଇ ସୂଚନା ମିଳିଥିଲା। ସ୍ଥାନୀୟ ପୁଲିସର ସହଯୋଗରେ ତଦନ୍ତକାରୀ ଦଳ ତାକୁ ଗିରଫ କରିଥିଲା। କଟକ ଡିସିପି ଖିଲାରୀ ଋଷିକେଶ ଜ୍ଞାନଦେଓଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଳନ୍ଧର ବାଗ୍‌ ପେସାରେ ଜଣେ ରାଜମିସ୍ତ୍ରୀ। ମହିଳାଙ୍କ ସ୍ୱାମୀ ଜେଲ୍ ଯିବା ପରେ ଅଭିଯୁକ୍ତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେବେ ଅକ୍ଟୋବର ୭ ତାରିଖରେ ମହିଳାଙ୍କୁ କଟକ ଆଣିବା ପରେ ଅଭିଯୁକ୍ତ ତାଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଏବଂ ଘଟଣା ସମ୍ପର୍କିତ ଅନ୍ୟାନ୍ୟ ଦିଗ ନେଇ ପୁଲିସର ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ