୨୩.୪ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ
କଟକ, (ଓ୍ବାଇଏନଏସ): କଟକରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗର ଚଢ଼ାଉ ସମୟରେ ବଡ଼ ସଫଳତା ମିଳିଛି। EI&EB ୟୁନିଟ୍-୧ର ଫ୍ଲାଇଂ ସ୍କ୍ୱାଡ୍ ପକ୍ଷରୁ ଜଗତପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ସାହୁ କଲେଜ ନିକଟ ରାସ୍ତାରେ ଚଢ଼ାଉ କରାଯାଇ ୨୨୭ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୨୩ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଗୋଟିଏ ଇ-ସ୍କୁଟି ଓ ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ ହୋଇଛି।ଗିରଫ ଅଭିଯୁକ୍ତ ହେଉଛନ୍ତି ଯାଜପୁର ଜିଲ୍ଲା ବଇରୀ ଥାନା ଅନ୍ତର୍ଗତ ଛତିଆ ପୋଷ୍ଟ ଅଫିସ ଅଧୀନ ସୋଲାର ଗ୍ରାମର କେଶବ ଚନ୍ଦ୍ର ବେହେରା (୩୫)। ସେ ଯାଜପୁରରୁ କଟକକୁ ବ୍ରାଉନ୍ ସୁଗାର ପରିବହନ କରୁଥିବା ସମୟରେ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ତାଙ୍କୁ ଧରିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଅବକାରୀ ଅଧୀକ୍ଷକ ସମରଜିତ୍ ଦାଶଙ୍କ ନିର୍ଦ୍ଦେଶକ୍ରମେ ଏବଂ ଉପ-ଅବକାରୀ ଅଧୀକ୍ଷକ ରୋଶନ ଇସୁ ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ଘଟଣା ସଂକ୍ରାନ୍ତରେ ଏନ୍ଡିପିଏସ୍ ଆଇନ, ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କଟକର ଜିଲ୍ଲା ଓ ଦୌରା ଜଜ୍-ତଥା-ସ୍ୱତନ୍ତ୍ର ଜଜ୍ଙ୍କ ଅଦାଲତରେ ହାଜର କରାଯାଇଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।ଏହି ଚଢ଼ାଉରେ ସବ୍-ଇନ୍ସପେକ୍ଟର ବଳବୀର ଗଡ଼ନାୟକ, ଏଏସ୍ଆଇ କିଶୋର କୁମାର ରାଉତ ଓ ସଞ୍ଜୀବ କୁମାର ମୁଣ୍ଡାଙ୍କ ସମେତ ମହିଳା କନଷ୍ଟେବଳ ରୋଜାଲିନ ପଟ୍ଟନାୟକ, କନଷ୍ଟେବଳ ଦେବାଶିଷ ବେହେରା, ଜଗନ୍ନାଥ ସାହୁ, ଶଙ୍କର୍ଷଣ ରାଉତ, ସୁମିତ କୁମାର ନାୟକ, ରଞ୍ଜିତ ସାହୁ ଏବଂ ଡ୍ରାଇଭର କୃଷ୍ଣ ମୋହନ ଦାସ ସାମିଲ ଥିଲେ। ଜିଲ୍ଲାକୁ ନିଶାମୁକ୍ତ ରଖିବା ସହ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।


