ରେଳ ଧାରଣାରୁ ମିଳିଲା ASI ଜିତେନ୍ଦ୍ରଙ୍କ ମୃତଦେହ
କଟକ, (ଓ୍ବାଇଏନଏସ): କଟକରେ ରେଳ ଧାରଣାରୁ ଜଣେ ପୋଲିସ ଏଏସ୍ଆଇଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ହେଉଛନ୍ତି ଜିତେନ୍ଦ୍ର ସାମନ୍ତରାୟ। ଶନିବାର କଟକ ଲିଙ୍କ୍ ରୋଡ୍ ନିକଟ କାଠଯୋଡ଼ି ରେଳ ଧାରଣାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁଯାୟୀ, ଜିତେନ୍ଦ୍ର କଟକର ବିଡ଼ାନାସୀ ଅନ୍ତର୍ଗତ ଚହଟା ଅଞ୍ଚଳରେ ରହୁଥିଲେ। ତାଙ୍କ ନିଜ ଘର ବାଲୁଗାଁରେ ବୋଲି ଜଣାପଡ଼ିଛି। ସେ ୨୦୧୧ ମସିହାରେ କନଷ୍ଟେବଳ ଭାବେ ପୋଲିସ ବିଭାଗରେ ଚାକିରି ଆରମ୍ଭ କରିଥିଲେ। ପ୍ରାୟ ପାଞ୍ଚ ମାସ ପୂର୍ବେ ତାଙ୍କୁ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସ୍ଆଇ) ପାହ୍ୟାକୁ ପଦୋନ୍ନତି ମିଳିଥିଲା। ବର୍ତ୍ତମାନ ସେ ବଇରୀସ୍ଥିତ ପୋଲିସ ଟ୍ରେନିଂ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ। ରେଳ ଧାରଣାରୁ ଜଣେ ପୋଲିସ ଅଧିକାରୀଙ୍କ ମୃତଦେହ ମିଳିବା ପରେ ଘଟଣାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହା ଏକ ଦୁର୍ଘଟଣା ନା ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ଜଣାପଡ଼ିନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତର ଅଗ୍ରଗତି ଓ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଜିତେନ୍ଦ୍ରଙ୍କ ମୃତ୍ୟୁ ଖବର ପୋଲିସ ବିଭାଗ ଓ ପରିଚିତ ମହଲରେ ଶୋକର ଛାୟା ଖେଳାଇ ଦେଇଛି।


