ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ଜରୁରୀକାଳୀନ ବୈଠକ

ଛତ୍ରପୁର, (ଓ୍ବାଇଏନଏସ): ଆସନ୍ତା ନଭେମ୍ବର ୨ ଓ ୩ ତାରିଖରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଜଳବନ୍ଦୀ ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାର ମୁକାବିଲା ପାଇଁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆଜି ଛତ୍ରପୁରସ୍ଥିତ ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ବର୍ଷା ଯୋଗୁଁ ଯେଉଁ ସବୁ ଅଞ୍ଚଳରେ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି, ସେଠାରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆଗୁଆ ସୂକ୍ଷ୍ମ ଯୋଜନା ପ୍ରସ୍ତୁତ କରିବା ସହ ଆସନ୍ତାକାଲି ରାତି ସୁଦ୍ଧା ବିପଦସଂକୁଳ ସ୍ଥାନରେ ରହୁଥିବା ସମସ୍ତଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବିପଦସଂକୁଳ ସ୍ଥାନରେ ଯେପରି ଜଣେ ହେଲେ ବ୍ୟକ୍ତି ରହିବେ ନାହିଁ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ପ୍ରତ୍ୟେକ ଗ୍ରାମରେ ମାଇକ୍‌ ଯୋଗେ ସଚେତନତା ଓ ସତର୍କ ସୂଚନା ପ୍ରଚାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜଳବନ୍ଦୀ ଆଶଙ୍କା ଥିବା ଅଞ୍ଚଳର ପ୍ରତ୍ୟେକ ଗ୍ରାମ ଓ ଗ୍ରାମପଞ୍ଚାୟତରେ ପର୍ଯ୍ୟାପ୍ତ ରାସନ ସାମଗ୍ରୀ, ରନ୍ଧା ଖାଦ୍ୟ, ପାନୀୟ ଜଳ ଏବଂ ଜେନେରେଟର ଆଦିର ବ୍ୟବସ୍ଥା କରିବାକୁ କୁହାଯାଇଛି। କୌଣସି ବ୍ୟକ୍ତି ଯେପରି ଭୋକିଲା ନ ରହିବେ, ସେଥିପାଇଁ ଉଦାରତାର ସହ ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ବଣ୍ଟନ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ କହିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତେଣୁ ଦିନରାତି ଏକ କରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ବ୍ଲକ୍ ଓ ଗ୍ରାମପଞ୍ଚାୟତ ସ୍ତରରେ ଯେକୌଣସି ଆବଶ୍ୟକତା ଥିଲେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ସମସ୍ତ ଅସୁରକ୍ଷିତ ସ୍ଥାନରେ ରହୁଥିବା ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରିବାକୁ କୁହାଯାଇଛି। ବର୍ଷା ଓ ବନ୍ୟା ଯୋଗୁଁ ପାନୀୟ ଜଳ ପ୍ରଦୂଷିତ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଡାକ୍ତରୀ ଦଳ ଓ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ କରିବାକୁ କୁହାଯାଇଛି। ଝାଡ଼ାବାନ୍ତି, ସାପ କାମୁଡ଼ା ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ଆବଶ୍ୟକ ଔଷଧ ଓ ଚିକିତ୍ସା ସେବା ପ୍ରସ୍ତୁତ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନେ ନଭେମ୍ବର ୨ରୁ ୪ ତାରିଖ ମଧ୍ୟରେ ଏବଂ ପ୍ରତିକୂଳ ପାଣିପାଗ ସମୟରେ ସମୁଦ୍ରକୁ ନ ଯିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଆବଶ୍ୟକତା ଅନୁଯାୟୀ ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ଗୁଡ଼ିକୁ ସମ୍ବେଦନଶୀଳ ସ୍ଥାନରେ ଆଗୁଆ ମୁତୟନ କରିବାକୁ କୁହାଯାଇଛି। ଗୃହପାଳିତ ପଶୁ ଓ ଅନ୍ୟାନ୍ୟ ପ୍ରାଣୀସମ୍ପଦଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ମହଜୁଦ ରଖିବାକୁ ପ୍ରାଣୀ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ଲୋକମାନେ ସମ୍ପ୍ରତି ବନ୍ୟା ଯୋଗୁଁ ବହୁ ଦୁଃଖ ଓ କଷ୍ଟ ମଧ୍ୟରେ ରହିଛନ୍ତି। ତେଣୁ ଏଭଳି ସମୟରେ ପ୍ରଭାବିତ ଲୋକଙ୍କୁ ଅତିଥିଙ୍କ ଭଳି ସମ୍ମାନ, ସମ୍ବେଦନଶୀଳତା ଓ ଆତ୍ମୀୟତାର ସହ ବ୍ୟବହାର କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ରିଲିଫ୍ ବଣ୍ଟନ ସମୟରେ କୌଣସି ପ୍ରକାର କାର୍ପଣ୍ୟ ନ କରି ଆବଶ୍ୟକତା ଅନୁଯାୟୀ ସହାୟତା ଯୋଗାଇଦେବାକୁ ସେ କହିଛନ୍ତି। ସମସ୍ତ ଅଧିକାରୀ ନିଜ ନିଜ ଦାୟିତ୍ୱକୁ ଗୁରୁତ୍ୱର ସହ ନିର୍ବାହ କରିବା ଆବଶ୍ୟକ। କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ଏବଂ ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବୈଠକରେ ଅନ୍ୟ ଜିଲ୍ଲାରୁ ଆସିଥିବା ବରିଷ୍ଠ ଅଧିକାରୀ, ଏଡିଏମ୍‌ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଆଇଏଏସ୍‌ ପ୍ରଶିକ୍ଷାର୍ଥୀ ଏସ୍‌. ଶରଣ୍ୟା ପ୍ରମୁଖ ଯୋଗ ଦେଇଥିଲେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ତ ବିଭାଗର ଅଧିକାରୀ, ବିଡିଓ ଓ ତହସିଲଦାର ବୈଠକରେ ଯୋଡ଼ି ହୋଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ