କୋଟିଏରୁ ଉର୍ଦ୍ଧ୍ୱ ସରକାରୀ ଅର୍ଥ ହଡପ ଘଟଣା, ଭିଜିଲାନ୍ସକୁ ଅସହଯୋଗ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପ୍ରଶାସନରେ ଏକ ସଙ୍ଗିନ ଆର୍ôଥକ ଅନିୟମିତତା ସାମ୍ନାକୁ ଆସିଛି। ସରକାରୀ ତହବିଲରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ହୋଇଥିବା ବେଳେ ଏହି ଘଟଣା ସମଗ୍ର ଜିଲ୍ଲାର ପ୍ରଶାସନିକ ମହଲରେ ତୀବ୍ର ଚାଞ୍ଚଲ୍ୟ ଖେଳାଇ ଦେଇଛି। ବର୍ତ୍ତମାନର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ନମିତା ବାରିକଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ମହାଘୋଟାଲା ସଂଗଠିତ ହୋଇଥିବା ଜଣାପଡ଼ିଛି। ବ୍ଲକର ବରିଷ୍ଠ କିରାଣି ଶଶିକାନ୍ତ ରଣା ଜାଲିଆତି ଜରିଆରେ ସରକାରୀ ପାଣ୍ଠିରୁ ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କା ହରିଲୁଟ୍ କରିଥିବା ନେଇ ବିଡିଓ ଶ୍ରୀମତୀ ବାରିକ କେନ୍ଦ୍ରାପଡ଼ା ସଦର ଥାନାରେ ଏକ ଲିଖିତ ଏତଲା ଦାୟର କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା କୋଷାଗାର ଅଧିକାରୀ ସଚ୍ଚିଦାନନ୍ଦ ବେହେରା ନିୟମିତ ଆର୍ôଥକ କାରବାର ଯାଞ୍ଚ କରୁଥିବା ସମୟରେ ଏହି ବିରାଟ ଜାଲିଆତି ଧରାପଡ଼ିଥିଲା। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ଓ ପ୍ରୋଭିଜନାଲ ଗ୍ରାଚ୍ୟୁଇଟି ଭଳି ଅର୍ଥକୁ ସମନ୍ୱିତ ଆର୍ôଥକ ପରିଚାଳନା ପୋର୍ଟାଲ ମାଧ୍ୟମରେ ପୁନର୍ବାର ପୈଠ ଦର୍ଶାଇ ଏହି ଅର୍ଥ ଲୁଟ୍ କରାଯାଇଛି। ଉକ୍ତ ତୋଷରପାତ ଟଙ୍କା ପ୍ରମିଳା ବେହେରା ନାମ୍ନୀ ଜଣେ ମହିଳାଙ୍କ ନାମରେ ଥିବା ଇଣ୍ଡିଆନ ବ୍ୟାଙ୍କର ଓଉପଦା ଶାଖା ଏବଂ କେନ୍ଦ୍ରାପଡ଼ା ମୁଖ୍ୟ ଶାଖାର ଦୁଇଟି ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। କୋଷାଗାର ଅଧିକାରୀ ଏହି ଅର୍ଥ ତୁରନ୍ତ ଫେରସ୍ତ ଆଣିବା ନିମନ୍ତେ ଗତ ଅକ୍ଟୋବର ୧୬ ତାରିଖରେ ବିଡିଓଙ୍କୁ ପ୍ରଥମ ପତ୍ର ଲେଖି ଅବଗତ କରାଇଥିଲେ। ଏହାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ଗତ ୨୮ ତାରିଖରେ ସମସ୍ତ ତଥ୍ୟ ବର୍ଣ୍ଣନା କରି ସେ ପୁନର୍ବାର ଦ୍ୱିତୀୟ ଚିଠି ପଠାଇଥିଲେ। ଗଣମାଧ୍ୟମରେ ଖବର ପ୍ରସାରଣ ଓ ଚାରିଆଡ଼େ ଚର୍ଚ୍ଚା ଜୋର ଧରିବା ପରେ ବିଡିଓ ଶ୍ରୀମତୀ ବାରିକ ତରବରିଆ ଭାବେ ୨୯ ତାରିଖ ସନ୍ଧ୍ୟାରେ ସଦର ଥାନାରେ ଏତଲା ଦେଇଥିଲେ। ତେବେ ଏହି ଘଟଣାରେ ବ୍ଲକ ପ୍ରଶାସନ ଓ ବିଡିଓଙ୍କ ଭୂମିକାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅକ୍ଟୋବର ୧୬ରେ କୋଷାଗାରରୁ ଲିଖିତ ଚିଠି ପାଇବା ପରେ ମଧ୍ୟ ବିଡିଓ କାହିଁକି ଦୀର୍ଘ ଦିନ ନୀରବ ରହିଲେ, ତାହା ସନ୍ଦେହ ଘେରକୁ ଆସିଛି। ଏତେ ବଡ଼ ଦୁର୍ନୀତି ସମ୍ପର୍କରେ ଜାଣିବା ପରେ ମଧ୍ୟ କିରାଣି ଶଶିକାନ୍ତ ରଣାଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନେଇ, ଓଲଟା ତାଙ୍କୁ ଗତ ଅକ୍ଟୋବର ୨୭ରୁ ୧୫ ଦିନିଆ ଛୁଟି ମଞ୍ଜୁର କରାଯିବା ପଛରେ କେଉଁ ଉଦ୍ଦେଶ୍ୟ ରହିଛି ବୋଲି ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷରେ, ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ଛାନଭିନ୍ ଆରମ୍ଭ କରାଯାଇଛି। ମାତ୍ର ଡେରାବିଶ ବ୍ଲକ ବିଡିଓ, ଏବିଡିଓ ମୃଣ୍ମୟ କୁମାର ରାଉତ ଏବଂ ବ୍ଲକ ଫାଇନାନ୍ସ ଅଫିସର ପଞ୍ଚାନନ କାଣ୍ଡି ତଦନ୍ତକାରୀ ଭିଜିଲାନ୍ସ ଅଧିକାରୀଙ୍କୁ ଧରାଛୁଆଁ ଦେଉନାହାନ୍ତି କିମ୍ବା ଘୋଟାଲା ସମ୍ପର୍କିତ କୌଣସି ଆବଶ୍ୟକୀୟ ନଥିପତ୍ର ହସ୍ତାନ୍ତର କରୁନାହାନ୍ତି। ଏହି ଅସହଯୋଗ ସମ୍ପର୍କରେ ଭିଜିଲାନ୍ସ ଏସପିଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟ୍ଟାରିଆ ଏବଂ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସହଯୋଗ ଲୋଡ଼ାଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଭିଜିଲାନ୍ସକୁ ସମ୍ପୂର୍ଣ୍ଣ ଅସହଯୋଗ କରାଯାଉଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ସ୍ତରରେ ଏଭଳି ଆଭିମୁଖ୍ୟ ମହାଘୋଟାଲାକୁ ଚାପିଦେବା ତଥା ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବା ଏବଂ ଚାପିଦେବାର ଏକ ସୁଚିନ୍ତିତ ପ୍ରୟାସ ବୋଲି ସାଧାରଣରେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ