ଏସ୍‌ଆଇଆର୍‌କୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ସୁଧାଂଶୁଙ୍କ କଡ଼ା ସମାଲୋଚନା

କଟକ (ଓ୍ବାଇଏନଏସ) : ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ଦେଶର ରାଜନୀତି ସରଗରମ ହୋଇଥିବାବେଳେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି ବିଜେପିର ରାଜ୍ୟସଭା ସାଂସଦ ତଥା ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ। ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଗୁଡ଼ିକ ଅଯଥା ଭ୍ରମ ଓ ଅସ୍ଥିରତା ସୃଷ୍ଟି କରୁଥିବା ଅଭିଯୋଗ କରିବା ସହ ରାହୁଲ ଗାନ୍ଧୀଙ୍କ ରାଜନୈତିକ ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛନ୍ତି ସେ। ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସୁଧାଂଶୁ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ପ୍ରତିରକ୍ଷା ଉତ୍ପାଦନ ଓ ଆଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। କିନ୍ତୁ ଦେଶର ଏହି ବିଶ୍ୱସ୍ତରୀୟ ଅଗ୍ରଗତିକୁ କିଛି ଶକ୍ତି ସହ୍ୟ କରିପାରୁନାହାନ୍ତି। ଦେଶ ଭିତରେ ଓ ବାହାରେ ଏଭଳି ଶକ୍ତି ସକ୍ରିୟ ଥିବାବେଳେ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ହାତରେ କ୍ରୀଡ଼ନକ ସାଜିଥିବା ସେ ଅଭିଯୋଗ କରିଥିଲେ। ରାହୁଲ ଗାନ୍ଧୀ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ମଧ୍ୟ ସେ ଆକ୍ଷେପ କରିଥିଲେ। ରାମଲୀଳା ମୈଦାନରେ ଏକାଠି ହୋଇଥିବା ବିରୋଧୀ ଦଳଗୁଡ଼ିକୁ ମଧ୍ୟ ସୁଧାଂଶୁ ସମାଲୋଚନା କରିଥିଲେ। ଗଣତନ୍ତ୍ରର ଆବରଣ ତଳେ ଏହି ଦଳଗୁଡ଼ିକ ପରିବାରବାଦକୁ ପ୍ରୋତ୍ସାହନ ଦେଉଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ଏକ ମହାନ ରାଷ୍ଟ୍ର ଭାବେ ଗଢ଼ିତୋଳିବା ପରିବର୍ତ୍ତେ ନିଜ ନିଜ ପରିବାରର ରାଜନୈତିକ ଭବିଷ୍ୟତକୁ ନେଇ ସେମାନେ ଅଧିକ ଚିନ୍ତିତ ବୋଲି ସେ କହିଥିଲେ।କଂଗ୍ରେସର ନିର୍ବାଚନୀ ଦୁର୍ବଳତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ଓଡ଼ିଶାରେ ଦୀର୍ଘ ୨୫ ବର୍ଷ ଧରି କଂଗ୍ରେସ କ୍ଷମତାରୁ ବାହାରେ ରହିଥିବାବେଳେ ଗୁଜରାଟରେ ୧୯୯୫ ପରଠାରୁ ଏବଂ ଉତ୍ତରପ୍ରଦେଶ ଓ ବିହାରରେ ୧୯୯୦ ପରଠାରୁ କ୍ଷମତାକୁ ଫେରିପାରିନାହିଁ ବୋଲି ସେ ଉଲ୍ଲେଖ କରିଥିଲେ। ଏହି ରାଜ୍ୟଗୁଡ଼ିକରେ ୧୨୦ଟି ଲୋକସଭା ଆସନ ରହିଥିବାବେଳେ ଅନ୍ୟ ରାଜ୍ୟର ୨୩୦ଟି ଆସନରୁ ମଧ୍ୟ ୧୦ଟି ଜିତିବା ସ୍ଥିତିରେ କଂଗ୍ରେସ ନଥିବା ତାଙ୍କର ଦାବି। ଏଭଳି ସ୍ଥିତିରେ ଅବଶିଷ୍ଟ ୩୦୦ ଆସନରୁ ୨୭୨ଟି ଜିତିବାର ଆଶା କଂଗ୍ରେସ କିପରି ରଖୁଛି ବୋଲି ସେ ପ୍ରଶ୍ନ କରିଥିଲେ। ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ସୁଧାଂଶୁ କହିଥିଲେ ଯେ, ଭୋଟର ତାଲିକାରେ ନାମ ଯୋଡ଼ିବା ଓ ବାଦ୍‌ ଦେବା ପ୍ରକ୍ରିୟାରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ଏବଂ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବୁଥ୍‌ସ୍ତରୀୟ ଏଜେଣ୍ଟ (ବିଏଲ୍‌ଏ) ନିଯୁକ୍ତ ହୋଇଥାନ୍ତି। ଦେଶରେ ପ୍ରାୟ ୧୨ ଲକ୍ଷ ବିଏଲ୍‌ଓ ଓ ୨୨ ଲକ୍ଷ ବିଏଲ୍‌ଏ ନିଯୁକ୍ତ ହୋଇଥିବା ସେ କହିଥିଲେ। ଭୋଟର ତାଲିକା ଯାଞ୍ଚ ସମୟରେ କଂଗ୍ରେସର ବିଏଲ୍‌ଏମାନେ କ’ଣ କରୁଥିଲେ ଏବଂ ସେତେବେଳେ ଆପତ୍ତି ଥିଲେ କାହିଁକି ଅଭିଯୋଗ ଉଠାଇନଥିଲେ ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ କେରଳରେ ଏସ୍‌ଆଇଆର୍‌ ପ୍ରକ୍ରିୟାରୁ ତାଙ୍କ ଦଳ ଲାଭବାନ ହୋଇଥିବା ନେଇ କଂଗ୍ରେସ ନେତା ରମେଶ ଚେନ୍ନିଥାଲାଙ୍କ ମନ୍ତବ୍ୟକୁ ଉଦାହରଣ ଭାବେ ରଖି ବିରୋଧୀଙ୍କ ଅଭିଯୋଗର ସତ୍ୟତା ଉପରେ ସେ ପ୍ରଶ୍ନ ଉଠାଇଥିଲେ। ଅନ୍ୟପକ୍ଷରେ, ଏହି ବିଶାଳ ପଦଯାତ୍ରାରେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ନିଜ ସମର୍ଥକମାନଙ୍କ ସହ ଯୋଗଦେଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ବହୁ ସମର୍ଥକ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ଚୌଦ୍ୱାର-କଟକ ଅଞ୍ଚଳରେ ନିଜର ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା ଓ ସାଂଗଠନିକ ଦକ୍ଷତା ପାଇଁ ପରିଚିତ ଡକ୍ଟର ବିଶ୍ୱାଳଙ୍କ ଯୋଗଦାନ ପଦଯାତ୍ରାରେ ସ୍ଥାନୀୟ ସମର୍ଥକଙ୍କ ଉପସ୍ଥିତିକୁ ଅଧିକ ଗୁରୁତ୍ୱ ଦେଇଥିଲା। ତାଙ୍କ ସହ ସାମିଲ ହୋଇଥିବା ସମର୍ଥକମାନେ ମଧ୍ୟ ପଦଯାତ୍ରାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏସ୍‌ଆଇଆର୍‌କୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବାବେଳେ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତା ଓ ଭୋଟରଙ୍କ ଅଧିକାରକୁ ନେଇ ଆଗାମୀ ଦିନରେ ଏହି ବିବାଦ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ