ଡେରାବିଶ ବ୍ଲକରୁ ୧.୬କୋଟି ହଡପ ଘଟଣା: ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ମଣ୍ଡଳୀ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଡେରାବିଶ ବ୍ଲକରେ ୧କୋଟି ୬ଲକ୍ଷରୁ ଅଧିକ ଟଙ୍କା ହଡପ ଘଟଣାରେ ବିଡିଓ ନମିତା ବାରିକ ଏବଂ ଅଭିଯୁକ୍ତ କିରାଣି ଶଶିକାନ୍ତ ରଣାଙ୍କ ନିଲମ୍ବନ ଦାବି କରିଛି ଶାସକ ବିଜେପି ଦଳ। ପାଟକୁରା ବିଜେପି ନେତା ଉମାକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଶନିବାର ଜିଲ୍ଲାପାଳଙ୍କୁ ଭେଟି ଘଟଣାର ଭିଜିଲାନ୍ସ ତଦନ୍ତ ସହିତ ସରକାରୀ ଅର୍ଥ ହଡ଼ପ ପାଇଁ ତୁରନ୍ତ ବିଡିଓ ଏବଂ କିରାଣିଙ୍କୁ ନିଲମ୍ବନ କରିବାକୁ ଦାବି କରିଛି।ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଡେରାବିଶ ବ୍ଲକରେ ଯେଉଁ ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଛି ତାହାକୁ କିରାଣି ଶଶିକାନ୍ତଙ୍କ ଏବଂ ପତ୍ନୀ ପ୍ରମିଳା ବେହେରାଙ୍କ ବ୍ୟାଙ୍କ୍ ଆକାଉଂଟକୁ ଯାଇଛି। ବିଡିଓ ନମିତା ବାରିକଙ୍କ ଅନୁମୋଦନରେ ହଁ ଏହି ଟଙ୍କା ଯାଇଛି। ଏହା ଏକ ଗୁରୁତର ସରକାରୀ ଅର୍ଥ ଆତ୍ମସାତ ମାମଲା। ଏତେ ବଡ ଅର୍ଥ କେବେବି ଭୁଲରେ ଯାଇନି ବରଂ ଯୋଜନାବଦ୍ଧ ଭାବେ କରାଯାଇଛି। ତେଣୁ ଏହାର ତଦନ୍ତ ଦାୟିତ୍ୱ ଭିଜିଲାନ୍ସକୁ ଦିଆଯିବା ସହିତ ଡିଡିଓ କ୍ଷମତାପ୍ରାପ୍ତ ଅଧିକାରୀ ଭାବେ ବିଡିଓ ଶ୍ରୀମତୀ ବାରିକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଯେହେତୁ ଏହି କେଳେଙ୍କାରୀରେ ତାଙ୍କ ଭୂମିକା ଅତ୍ୟନ୍ତ ସନ୍ଦେହଜନକ ରହିଛି ତେଣୁ ତଦନ୍ତ ବାଧାପ୍ରାପ୍ତ ନ ହେବା ପାଇଁ ବିଡିଓ ଏବଂ କିରାଣିଙ୍କୁ ବ୍ଲକ୍ରୁ ତୁରନ୍ତ ହଟାଯାଉ। ଏହା ପୂର୍ବରୁ ମଧ୍ୟ ବିଭିନ୍ନ ସରକାରୀ ଯୋଜନାରେ କୋଟି କୋଟି ଟଙ୍କାର ଅନିୟମିତତା ଅଭିଯୋଗ ବିଡିଓଙ୍କ ବିରୋଧରେ ଆସିଛି। ତେଣୁ ଶ୍ରୀମତୀ ବାରିକଙ୍କ ସମଗ୍ର ଡେରାବିଶ ବ୍ଲକ୍ କାର୍ଯ୍ୟକାଳକୁ ତଦନ୍ତ ପରିସରଭୁକ୍ତ କରାଯାଇ ନିରପେକ୍ଷ ତଦନ୍ତ କରାଗଲେ ଆହୁରି କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ପଦାକୁ ଆସିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ମଣ୍ଡଳ ସଭାପତି ଅଶ୍ୱିନୀ ପରିଡ଼ା, ତାପସ ରଂଜନ ନାୟକ, ନାରାୟଣ ନାୟକ, ପ୍ରେମ ମହାନ୍ତି, ଶ୍ରୀନିବାସ ମିଶ୍ର, ହେମନ୍ତ ଦାସ, ପ୍ରୀତି ସ୍ୱରୂପ ଦାସ, ଅଜୟ ନାୟକ, ମଂଜୁଲତା ମଳିକ, ମାନିନୀ ନାୟକ, ଧନଞ୍ଜୟ ପଣ୍ଡା, ସଂଜୟ ତ୍ରିପାଠୀ, ଗୌରହରି ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


