ବରିଷ୍ଠ ସମାଜସେବୀ ଅକ୍ଷୟ ଦାସଙ୍କୁ ଭେଟିଲେ ମେୟର ସୁବାସ ସିଂହ
କଟକ, (ଓ୍ବାଇଏନଏସ): ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଓ ସେମାନଙ୍କ ସହ ଆତ୍ମୀୟତାର ସମ୍ପର୍କକୁ ଅଧିକ ମଜଭୁତ କରିବା ଲକ୍ଷ୍ୟରେ କଟକ ମହାନଗର ନିଗମ ପକ୍ଷରୁ ଜାରି ରହିଛି ‘ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମ। ଏହି କ୍ରମରେ ସହରର ବିଶିଷ୍ଟ ସମାଜସେବୀ ତଥା ୧୯୬୯ ମସିହାର ଐତିହାସିକ ଛାତ୍ର ଆନ୍ଦୋଳନର ଅନ୍ୟତମ ପ୍ରମୁଖ ନେତା ଅକ୍ଷୟ କୁମାର ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କଟକ ମେୟର ସୁବାସ ସିଂହ। ୮୧ ବର୍ଷ ବୟସରେ ପଦାର୍ପଣ କରିଥିବା ଶ୍ରୀ ଦାସଙ୍କ ବାସଭବନରେ ପହଞ୍ଚି ମେୟର ତାଙ୍କ ସ୍ୱାସ୍ଥ୍ୟାବସ୍ଥା, ଦୈନନ୍ଦିନ ଜୀବନ ଓ ପାରିବାରିକ କୁଶଳତା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଅତୀତର ଛାତ୍ର ଆନ୍ଦୋଳନ, ସାମାଜିକ କାର୍ଯ୍ୟକଳାପ ଏବଂ କଟକର ସାମାଜିକ ଓ ସାଂସ୍କୃତିକ ପରମ୍ପରାକୁ ନେଇ ଭାବବିନିମୟ ହୋଇଥିଲା। ୧୯୬୯ ମସିହାର ଛାତ୍ର ଆନ୍ଦୋଳନରେ ଶ୍ରୀ ଦାସଙ୍କ ସକ୍ରିୟ ଭୂମିକା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଛାତ୍ରଛାତ୍ରୀଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ତାଙ୍କର ନେତୃତ୍ୱ ସେହି ସମୟରେ ଚର୍ଚ୍ଚାର ବିଷୟ ଥିଲା। ପରବର୍ତ୍ତୀ ସମୟରେ ମଧ୍ୟ ସେ ସମାଜସେବା ଓ ଜନସାଧାରଣଙ୍କ ସହ ଜଡ଼ିତ ରହି ନିଜର ସାମାଜିକ ପରିଚୟ ବଜାୟ ରଖିଛନ୍ତି। ସାକ୍ଷାତ ସମୟରେ ମେୟର ଶ୍ରୀ ସିଂହ କହିଥିଲେ ଯେ, ସମାଜ ଗଠନରେ ବରିଷ୍ଠ ନାଗରିକଙ୍କ ଅନୁଭବ, ତ୍ୟାଗ ଓ ଅବଦାନ ଅତୁଳନୀୟ। ସେମାନଙ୍କ ଜୀବନ ସଂଘର୍ଷ ଓ ସାମାଜିକ ଅନୁଭୂତି ନୂତନ ପିଢ଼ି ପାଇଁ ଏକ ମୂଲ୍ୟବାନ ଶିକ୍ଷା। ତେଣୁ ସେମାନଙ୍କ ସୁଖଦୁଃଖ ବୁଝିବା ସହ ଯଥୋଚିତ ସମ୍ମାନ ଓ ଯତ୍ନ ପ୍ରଦାନ କରିବା ସମସ୍ତଙ୍କ ଦାୟିତ୍ୱ।କଟକ ମହାନଗର ନିଗମର ଏହି ପଦକ୍ଷେପ କେବଳ ସୌଜନ୍ୟମୂଳକ ସାକ୍ଷାତରେ ସୀମିତ ନୁହେଁ; ବରଂ ସହରର ବିଶିଷ୍ଟ ବ୍ୟକ୍ତିତ୍ୱ, ପୂର୍ବତନ ଜନନେତା ଓ ସମାଜ ପାଇଁ ଅବଦାନ ରଖିଥିବା ବରିଷ୍ଠ ନାଗରିକଙ୍କ ସହ ମାନବୀୟ ସମ୍ପର୍କ ସ୍ଥାପନର ଏକ ପ୍ରୟାସ। ଏଭଳି ଉଦ୍ୟମ ବରିଷ୍ଠଙ୍କ ମନରେ ଆତ୍ମୀୟତାର ଭାବନା ସୃଷ୍ଟି କରିବା ସହ ସେମାନଙ୍କ ଅଭିଜ୍ଞତାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାରେ ସହାୟକ ହେବ।


