ଫଟା ରାସ୍ତାରେ ସିମେଣ୍ଟ ପ୍ଲାଷ୍ଟର, ଫାଟ ଲୁଚାଇବାକୁ ଉଦ୍ୟମ !

ହାଟଡିହି (ଓ୍ବାଇଏନଏସ) : ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ବ୍ୟୟ ହେଉଛି। ଲୋକଙ୍କ ଯାତାୟାତକୁ ସୁଗମ କରିବା ସହ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ମାତ୍ର ନିର୍ମାଣର ବର୍ଷେ ନ ପୂରୁଣୁ ଯଦି ରାସ୍ତାରେ ଫାଟ ସୃଷ୍ଟି ହୁଏ ଏବଂ କଂକ୍ରିଟ ଉଠିବାକୁ ଲାଗେ, ତେବେ ରାସ୍ତାର ନିର୍ମାଣ ମାନକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏପରି ଏକ ଘଟଣା ହାଟଡିହି ବ୍ଲକର ଓରାଳି-ଶାଳନିଆଁ ରାସ୍ତାରେ ଦେଖିବାକୁ ମିଳିଛି। ନିର୍ମାଣର ବର୍ଷେ ପୂରିବା ପୂର୍ବରୁ ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ସହ କେତେକ ସ୍ଥାନରେ କଂକ୍ରିଟ ଉଠିଯାଇଛି। ଏବେ ଏହି ଫାଟ ଓ ଖାଲଖମାକୁ ସିମେଣ୍ଟ ପ୍ଲାଷ୍ଟର ମାଧ୍ୟମରେ ମରାମତି କରାଯାଉଥିବାରୁ ଏହାର ସ୍ଥାୟିତ୍ୱକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ପୂର୍ତ୍ତ ବିଭାଗ ଅଧୀନରେ ଗତବର୍ଷ କୋଟି କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ନିର୍ମାଣ ସମୟରୁ ହିଁ ଏହାର ଗୁଣବତ୍ତାକୁ ନେଇ କେତେକ ତ୍ରୁଟି ଦେଖାଦେଇଥିବା ଅଭିଯୋଗ ହୋଇଥିଲା। ରାସ୍ତାର ବିଭିନ୍ନ ସ୍ଥାନରେ ସମତଳତା ରହିନଥିବା ବେଳେ ଛୋଟ ଛୋଟ ଖାଲଖମା ମଧ୍ୟ ଦେଖିବାକୁ ମିଳିଥିଲା। ଏଥିସହ ରାସ୍ତାର ମଧ୍ୟଭାଗରେ କଂକ୍ରିଟ ଯୋଡ଼େଇ ଠିକ୍ ଭାବେ ହୋଇନଥିବା ଏବଂ କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା। ଏହାଦ୍ୱାରା ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ରାସ୍ତାର ଏପରି ଅବସ୍ଥାକୁ ସୁଧାରିବା ପାଇଁ ଏବେ ଠିକାସଂସ୍ଥା ପକ୍ଷରୁ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ କରାଯାଉଛି। ରାସ୍ତାରେ ସୃଷ୍ଟି ହୋଇଥିବା ଛୋଟ ଛୋଟ ଖାଲଖମା ଓ ଫାଟ ଉପରେ ସିମେଣ୍ଟ ପ୍ଲାଷ୍ଟର ଲଗାଇ ତାହାକୁ ସମତଳ କରିବାକୁ ଉଦ୍ୟମ କରାଯାଉଛି। ତେବେ ଏହି ମରାମତି କାର୍ଯ୍ୟ ରାସ୍ତାର ମୂଳ ସମସ୍ୟାର ସ୍ଥାୟୀ ସମାଧାନ କରିପାରିବ କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ମରାମତି କାର୍ଯ୍ୟର ମାତ୍ର ତିନିରୁ ଚାରିଦିନ ପରେ ସିମେଣ୍ଟ ଲଗାଯାଇଥିବା କେତେକ ସ୍ଥାନରୁ ପାଉଡର ଭଳି ଧୂଳି ଉଡ଼ୁଥିବା ଦେଖାଯାଉଛି। ଏହା ମରାମତି କାର୍ଯ୍ୟର ଗୁଣବତ୍ତା ଓ ସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଯଦି ଅଳ୍ପ କିଛି ଦିନ ମଧ୍ୟରେ ସିମେଣ୍ଟ ପ୍ଲାଷ୍ଟର ନଷ୍ଟ ହେବାକୁ ଲାଗେ, ତେବେ ଏହି ମରାମତି କେତେଦିନ ପର୍ଯ୍ୟନ୍ତ ରହିବ, ତାହା ଏବେ ମୁଖ୍ୟ ପ୍ରଶ୍ନ ପାଲଟିଛି। ରାସ୍ତା ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମାନ, ନିର୍ମାଣ ପ୍ରଣାଳୀ ଓ ବୈଷୟିକ ଦିଗଗୁଡ଼ିକ ଠିକ୍ ଭାବେ ଅନୁସରଣ କରାଯାଇଥିଲା କି ନାହିଁ, ତାହାର ଯାଞ୍ଚ ହେବା ଆବଶ୍ୟକ । କେବଳ ଫାଟ ଉପରେ ସିମେଣ୍ଟ ପ୍ଲାଷ୍ଟର ଲଗାଇ ରାସ୍ତାକୁ ଉପରୁ ସମତଳ କରିଦେଲେ ଏହାର ମୂଳ ସମସ୍ୟାର ସମାଧାନ ହୋଇପାରିବ କି ନାହିଁ, ତାହା ମଧ୍ୟ ତଦାରଖର ବିଷୟ। ତେଣୁ ଏହି ରାସ୍ତାର ନିର୍ମାଣ ଓ ମରାମତି କାର୍ଯ୍ୟର ଗୁଣବତ୍ତାକୁ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବା ସହ ରାସ୍ତାର ସ୍ଥିତି ଯାଞ୍ଚ କରିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ