ବିଚାରାଧୀନ କଏଦୀଙ୍କୁ ବ୍ରାଉନସୁଗାର ମାମଲାରେ ଫସାଇବାକୁ ଚାପ !

କଟକ,(ଓ୍ବାଇଏନଏସ) : ଜେଲ୍ ବିଭାଗକୁ ନେଇ ପୁଣି ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଜଣେ ବିଚାରାଧୀନ କଏଦୀଙ୍କୁ ବ୍ରାଉନସୁଗାର ମାମଲାରେ ଫସାଇବା ପାଇଁ ଚାପ ପକାଯାଇଥିବା ଅଭିଯୋଗ ଆଣିଛନ୍ତି ନିଲମ୍ବିତ ବାଲେଶ୍ୱର ଜେଲର ପ୍ରଦୀପ୍ତ କୁମାର ମହାଳିକ। ଏହି ବେଆଇନ ନିର୍ଦ୍ଦେଶ ପାଳନ କରିବାକୁ ମନା କରିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ସେ ଦାବି କରିଛନ୍ତି। ଏହି ଅଭିଯୋଗରେ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ନାମ ଆସିବା ପରେ ଘଟଣାଟି ନୂଆ ମୋଡ଼ ନେଇଛି।ପ୍ରଦୀପ୍ତ ମହାଳିକଙ୍କ ଅଭିଯୋଗ ଅନୁସାରେ, ବାଲେଶ୍ୱର ଜେଲରେ ଥିବା ବିଚାରାଧୀନ ବନ୍ଦୀ ରାଜୀବ ଲୋଚନ ସାହୁଙ୍କୁ ବ୍ରାଉନସୁଗାର ମାମଲାରେ ଫସାଇବା ପାଇଁ ତତ୍କାଳୀନ ଜେଲ୍ ଡିଜି ସୁଶାନ୍ତ ନାଥ ଚାପ ପକାଇଥିଲେ। ଏଥିପାଇଁ ଭୁବନେଶ୍ୱରର ତତ୍କାଳୀନ ଜେଲ୍ ଅଧୀକ୍ଷକ ସର୍ବେଶ୍ୱର ସାହୁଙ୍କ ମାଧ୍ୟମରେ ତାଙ୍କ ନିକଟକୁ ନିର୍ଦ୍ଦେଶ ପଠାଯାଇଥିବା ସେ ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।ତେବେ ଏଭଳି ନିୟମବିରୋଧୀ କାର୍ଯ୍ୟ କରିବାକୁ ସେ ରାଜି ହୋଇନଥିଲେ। ଜେଲ୍ ଡିଜିଙ୍କ ପକ୍ଷରୁ ଚାପ ଓ ପ୍ରଲୋଭନ ଦିଆଯାଇଥିଲେ ମଧ୍ୟ ଆଇନ ବିରୋଧୀ କାର୍ଯ୍ୟ କରିବାକୁ ସେ ମନା କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ସମ୍ପର୍କରେ ନଭେମ୍ବର ୨ ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ସମଗ୍ର ଘଟଣା ଜଣାଇଛନ୍ତି ପ୍ରଦୀପ୍ତ ମହାଳିକ। ଏଥିସହ ଅକ୍ଟୋବର ୧୩ ତାରିଖରେ ଜାରି ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ସେ ଗୃହ ବିଭାଗ ନିକଟରେ ନିବେଦନ କରିଛନ୍ତି। ତେବେ ଜଣେ ବିଚାରାଧୀନ ବନ୍ଦୀଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ ପ୍ରକୃତରେ କୌଣସି ଚାପ ପ୍ରୟୋଗ କରାଯାଇଥିଲା କି ନାହିଁ ଏବଂ ଏହି ଅଭିଯୋଗର ସତ୍ୟତା କେତେ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ