ରେଳୱେ କଲୋନୀ ବସ୍ତିବାସୀଙ୍କୁ କମର୍ସିଆଲ ଦେୟ ଆଦାୟକୁ ବିରୋଧ, ୫ ଦଫା ଦାବିରେ ସ୍ମାରକପତ୍ର

କଟକ, (ଓ୍ବାଇଏନଏସ): ଗରିବ ବସ୍ତିବାସୀଙ୍କୁ ବିଦ୍ୟୁତ ଦେୟ ଆଦାୟ ନାମରେ ଶୋଷଣ କରାଯାଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି ସାରା ଭାରତ ବିଦ୍ୟୁତ ଉପଭୋକ୍ତା ମଞ୍ଚ। କଟକ ରେଳୱେ କଲୋନୀ ଦଳିତ ବସ୍ତିରେ ଗୋଟିଏ ବିଦ୍ୟୁତ ମିଟରରେ ଏକାଧିକ ପରିବାରକୁ ବିଦ୍ୟୁତ ଯୋଗାଣ କରାଯାଉଥିବାରୁ ସାଧାରଣ ଉପଭୋକ୍ତାଙ୍କୁ କମର୍ସିଆଲ ଦରରେ ବିଦ୍ୟୁତ ବିଲ୍ ଦେବାକୁ ପଡ଼ୁଛି। ଏହାଦ୍ୱାରା ଆର୍ଥିକ ଦୁର୍ବଳ ପରିବାରଗୁଡ଼ିକ ଅଯଥା ଆର୍ଥିକ ବୋଝର ସମ୍ମୁଖୀନ ହେଉଥିବା ମଞ୍ଚ ଅଭିଯୋଗ କରିଛି। ଏହି ସମସ୍ୟାର ସମାଧାନ ଓ ପ୍ରତ୍ୟେକ ପରିବାରକୁ ସ୍ୱତନ୍ତ୍ର ମାନୁଆଲ ମିଟର ଯୋଗାଇବା ଦାବିରେ ସୋମବାର ମଞ୍ଚ ପକ୍ଷରୁ ରାଣୀହାଟସ୍ଥିତ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ପରେ ଦାବିଗୁଡ଼ିକ ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ମଞ୍ଚର ଅଭିଯୋଗ ଅନୁଯାୟୀ, ଗୋଟିଏ ମିଟରରେ ଏକାଧିକ ଘରର ବିଦ୍ୟୁତ ବ୍ୟବହାରକୁ ହିସାବ କରାଯିବା ଫଳରେ ଉପଭୋକ୍ତାଙ୍କ ଉପରେ ଅଧିକ ଦେୟ ଲଦି ଦିଆଯାଉଛି। ବିଶେଷକରି ଦୈନିକ ଶ୍ରମ କରି ଜୀବିକା ନିର୍ବାହ କରୁଥିବା ସଫେଇ କର୍ମଚାରୀ ପରିବାରଙ୍କ ପାଇଁ ଏହି ଦେୟ ପୈଠ କରିବା କଷ୍ଟକର ହୋଇପଡ଼ିଛି। ଅନ୍ୟପକ୍ଷରେ ସ୍ମାର୍ଟ ମିଟର ଓ ପ୍ରିପେଡ୍ ବ୍ୟବସ୍ଥା ମାଧ୍ୟମରେ ସାଧାରଣ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଇବାକୁ ମଧ୍ୟ ମଞ୍ଚ ବିରୋଧ କରିଛି। ମଞ୍ଚ ପକ୍ଷରୁ ଉପସ୍ଥାପିତ ପାଞ୍ଚ ଦଫା ଦାବି ମଧ୍ୟରେ ରେଳୱେ କଲୋନୀ ଦଳିତ ବସ୍ତିର ପ୍ରତ୍ୟେକ ଘରକୁ ପୃଥକ ବିଦ୍ୟୁତ ସଂଯୋଗ ଓ ମାନୁଆଲ ମିଟର ଯୋଗାଣ, ବସ୍ତିବାସୀଙ୍କଠାରୁ କମର୍ସିଆଲ ଦରରେ ଦେୟ ଆଦାୟ ବନ୍ଦ, ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ନାମରେ ଆଦାୟ ବନ୍ଦ, ଗରିବ ପରିବାରଙ୍କୁ ବିନା ସିକ୍ୟୁରିଟି ଡିପୋଜିଟ୍ ଓ ଅଯଥା କଟକଣାରେ ବିଦ୍ୟୁତ ସଂଯୋଗ ପ୍ରଦାନ ଏବଂ ପ୍ରିପେଡ୍ ସ୍ମାର୍ଟ ମିଟର ବ୍ୟବସ୍ଥା ପ୍ରତ୍ୟାହାର ଆଦି ଅନ୍ତର୍ଭୁକ୍ତ। ଜିଲ୍ଲା ଆବାହକ ଖଗେଶ୍ୱର ସେଠୀଙ୍କ ନେତୃତ୍ୱ ଓ ପରିଚାଳନାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ଦୀପକ ଦାସ, ଆନନ୍ଦ ନାୟକ, ପ୍ରକାଶ ନାୟକ, ଗୌତମ ବଙ୍ଗାରି, ପି. ମଣ୍ଟୁ, ଶାମା ବଙ୍ଗାରି, ରଞ୍ଜୁ ଦେଇ, ବିନି ନାୟକ ଓ ପ୍ରତିମା ନାୟକଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ