କ୍ଷୟକ୍ଷତି ଆକଳନ ଓ ସହାୟତା ବଣ୍ଟନ କରିବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ପ୍ରଭାବିତ ଲୋକଙ୍କୁ ସରକାରୀ ସହାୟତା ତ୍ୱରାନ୍ୱିତ ଭାବେ ପହଞ୍ଚାଇବା ନିମନ୍ତେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଓସୱାନ୍ ମାଧ୍ୟମରେ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁ ଅଞ୍ଚଳରେ ଆବଶ୍ୟକତା ରହିଛି, ସେଠାରେ ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ଚାଲୁ ରହିବ । ଅନ୍ୟ ଜାଗାଗୁଡିକରେ ଧୀରେ ଧୀରେ ବନ୍ଦ ହେବ। ପ୍ରଭାବିତ ପରିବାରଙ୍କୁ ୫୦ କିଲୋଗ୍ରାମ ଚାଉଳ ଓ ୨,୫୦୦ ଟଙ୍କାର ଆର୍ଥିକ ସହାୟତା ଶୀଘ୍ର ବଣ୍ଟନ କରାଯିବ । ଜିଲ୍ଲାର ୯ଟି ଅତି ଗୁରୁତର ଭାବେ ପ୍ରଭାବିତ ବ୍ଲକ୍ ଏବଂ ୭ଟି ସହରାଞ୍ଚଳର ପରିବାରଙ୍କୁ ଏହି ସହାୟତା ମିଳିବ। ପ୍ରାଥମିକ ପର୍ଯ୍ୟାୟରେ ରାସନ କାର୍ଡଧାରୀଙ୍କୁ ସହାୟତା ପ୍ରଦାନ କରାଯିବା ସହ ପରବର୍ତ୍ତୀ ସମୟରେ ଅନ୍ୟ ପ୍ରଭାବିତ ପରିବାରଙ୍କୁ ମଧ୍ୟ ସାମିଲ କରାଯିବ।ସହାୟତା ପ୍ରଦାନରେ ବିଳମ୍ବ ନକରି ଅତି ପ୍ରଭାବିତ ଅଞ୍ଚଳରେ ପ୍ରଥମେ ପହଞ୍ଚିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ଆର୍ଥିକ ସହାୟତା ବ୍ୟାଙ୍କ ଖାତା ମାଧ୍ୟମରେ ଡିବିଟି ଜରିଆରେ ପ୍ରଦାନ କରାଯିବ। ପ୍ରକୃତ ହିତାଧିକାରୀ ଯେପରି ସରକାରୀ ସହାୟତା ପାଇପାରିବେ, ସେଥିପାଇଁ ତଥ୍ୟ ଯାଞ୍ଚ ଓ ସଠିକ୍ ଆକଳନ ଉପରେ ଧ୍ୟାନ ଦେବାକୁ ସେ କହିଥିଲେ। କ୍ଷତିଗ୍ରସ୍ତ ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ୧୦ ହଜାର ଟଙ୍କା ଏବଂ ବଡ଼ ବ୍ୟବସାୟୀଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ବିଶେଷକରି ଆସିକା ଅଞ୍ଚଳରେ ବ୍ୟବସାୟୀ ଓ ଦୋକାନୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କ୍ଷୟକ୍ଷତି ଆକଳନ ନିମନ୍ତେ ବିଭିନ୍ନ ପ୍ରକାରର ନିର୍ଦ୍ଧାରିତ ଫର୍ମ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସେହି ଫର୍ମ ଅନୁଯାୟୀ ନିୟମ ଓ ନିର୍ଦ୍ଦେଶାବଳୀ ଅନୁସାରେ ଆକଳନ କାର୍ଯ୍ୟ ସମ୍ପନ୍ନ କରିବାକୁ କୁହାଯାଇଛି। ବୈଠକରେ ଉପସ୍ଥିତ ବିଡିଓ ଓ ତହସିଲଦାରମାନଙ୍କର ବିଭିନ୍ନ ସନ୍ଦେହ ଓ ଦ୍ୱନ୍ଦ୍ୱ ଦୂର କରାଯାଇଥିଲା। ଆବଶ୍ୟକସ୍ଥଳେ ଜିଲ୍ଲା କାର୍ଯ୍ୟାଳୟ ସହ ଯୋଗାଯୋଗ କରି ସ୍ପଷ୍ଟୀକରଣ ନେବାକୁ ଜିଲ୍ଲାପାଳ କହିଥିଲେ। ଆକଳନ କାର୍ଯ୍ୟରେ ଲୋକମାନେ ମଧ୍ୟ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ଗିଡିପାବାଲି ଅଞ୍ଚଳର କ୍ଷତିଗ୍ରସ୍ତ ପରିବାରଙ୍କୁ ଘରଭଙ୍ଗା କ୍ଷତିପୂରଣ ସମେତ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ। ସମସ୍ତ ବିଡିଓଙ୍କୁ ନିଜ ନିଜ ଅଞ୍ଚଳରେ ସହାୟତା ବଣ୍ଟନ ପାଇଁ ନିଜସ୍ୱ ସୂକ୍ଷ୍ମ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଜନସାଧାରଣଙ୍କ ସହଯୋଗ ମିଳିଲେ ସମସ୍ତ କାର୍ଯ୍ୟ ଆହୁରି ଶୀଘ୍ର ସମ୍ପନ୍ନ ହୋଇପାରିବ ବୋଲି ବରିଷ୍ଠ ଅଧିକାରୀମାନେ କହିଥିଲେ। ବାତ୍ୟା ଓ ବନ୍ୟା ପରବର୍ତ୍ତୀ ସମୟରେ ସ୍ୱଚ୍ଛତା ରକ୍ଷା ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ପ୍ରତିଦିନ ସକାଳୁ ସଫେଇ କାର୍ଯ୍ୟ ଜାରି ରଖିବାକୁ ସମସ୍ତ ଅଞ୍ଚଳର ଅଧିକାରୀଙ୍କୁ କୁହାଯାଇଛି। ଅପରିଷ୍କାର ପରିବେଶ ଯୋଗୁଁ ଯେପରି ରୋଗବ୍ୟାଧିର ପ୍ରାଦୁର୍ଭାବ ନବଢ଼େ, ସେଥିପାଇଁ ନିୟମିତ ସଫେଇ, ଆବର୍ଜନା ଅପସାରଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରଧାନ ରାସ୍ତାଗୁଡ଼ିକର କ୍ଷୟକ୍ଷତି ଆକଳନ ମଧ୍ୟ ଯଥାଶୀଘ୍ର ସମ୍ପନ୍ନ କରିବାକୁ କୁହାଯାଇଛି। ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା କିପରି ଶୀଘ୍ର ସ୍ୱାଭାବିକ ହେବ, ସେଥିପାଇଁ ଶିକ୍ଷାଧିକାରୀ ଓ ବିଡିଓମାନେ ଆବଶ୍ୟକ ପଦକ୍ଷେପ ନେବେ। ଆବଶ୍ୟକ ପଡ଼ିଲେ କଲ୍ୟାଣ ମଣ୍ଡପଗୁଡ଼ିକୁ ମଧ୍ୟ ଅସ୍ଥାୟୀ ଭାବେ ପାଠପଢ଼ା ପାଇଁ ବ୍ୟବହାର କରାଯାଇପାରିବ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ୍ ସସ୍ୟା ରେଡ୍ଡୀ, ବିଭିନ୍ନ ଜିଲ୍ଲାରୁ ଆସିଥିବା ବରିଷ୍ଠ ଅଧିକାରୀ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ