ବ୍ରାଉନସୁଗାର ସମେତ ଚୋରାମଦ ଜବତ, ୮ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାରେ ବେଆଇନ ନିଶାଦ୍ରବ୍ୟ ଓ ଚୋରାମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲକ୍ଷ୍ୟରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ଅଭିଯାନ କରାଯାଇଛି। ଜିଲ୍ଲାପାଳ ରଘୁରାମ ଆର.ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଟକୁରା, ଜମ୍ବୁ ସାମୁଦ୍ରିକ, ମହାକାଳପଡ଼ା, ଡେରାବିଶ ଓ ପଟ୍ଟାମୁଣ୍ଡାଇ ଟାଉନ୍ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଖରିଆପଡ଼ା ଗ୍ରାମର ଦିବ୍ୟଜ୍ୟୋତି ସାହୁ(୨୩)ଙ୍କ ନିକଟରୁ ୬୦ ଗ୍ରାମ ଏବଂ ବୈକୁଣ୍ଠପୁର ଗ୍ରାମର ପ୍ରୀତିରଜ ଦାସ(୨୨)ଙ୍କ ନିକଟରୁ ୮୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଥିଲା। ସେହିପରି ପ୍ରଭାକରପୁର ଗ୍ରାମର ନାଥ ଖିଲର (୩୦)ଙ୍କ ନିକଟରୁ ୨୮ ଲିଟର ଓ ରାଜୀବ ସେଠୀ(୪୦)ଙ୍କ ନିକଟରୁ ୧୦ ଲିଟର ଚୋରା ଦେଶୀ ମଦ ଜବତ ହୋଇଥିଲା। ଅନ୍ୟପକ୍ଷରେ ମଲଢିଅ ଗ୍ରାମର ପଦ୍ମିନୀ ସ୍ୱାଇଁ(୩୬)ଙ୍କ ନିକଟରୁ ୨୨ ଲିଟର, ଲକ୍ଷ୍ମଠିଆ ଗ୍ରାମର ସୀତା ଭକ୍ତ(୩୫)ଙ୍କ ନିକଟରୁ ୧୫ ଲିଟର ଚୋରା ଦେଶୀ ମଦ ଏବଂ ସନାଇଲୋଗଲା ଗ୍ରାମର ପ୍ରକାଶ ଜେନା(୪୮)ଙ୍କ ନିକଟରୁ ୨୬ ଲିଟର ଓ ଖଣ୍ଡାସାହି ଗ୍ରାମର ଅଜୟ କୁମାର ବେହେରା (୩୮)ଙ୍କ ନିକଟରୁ ୩୧ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଥିଲା। ଏହି ଚଢ଼ାଉରେ ମୋଟ ୧୪୦ ଗ୍ରାମ ବ୍ରାଉନ୍ ସୁଗାର ସମେତ ୧୩୨ ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯିବା ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ଅଭିଯାନରେ ଅବକାରୀ ଉପନିରୀକ୍ଷକ ରଞ୍ଜନ କୁମାର ପାତ୍ର ଓ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ରଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ