ଜବରଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ବୃଦ୍ଧି
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅଞ୍ଚଳ ଓ ସହରାଞ୍ଚଳରେ ଜବରଦଖଲ ଯୋଗୁଁ ଦିନ କୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ସହିତ ବେଳେ ବେଳେ ଉତ୍ତେଜନା ସୃଷ୍ଟି ହେଉଛି।ତହସିଲ ଏବଂ ଏନ ଏ ସି ପ୍ରଶାସନ ନୀରବତା ଅବଲମ୍ବନକୁ ନେଇ ସାଧାରଣରେ ଅସନ୍ତୋଷ ସହ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ରାସ୍ତାର ଉଭୟ ପାର୍ଶ୍ୱରେ ଉଠା ଦୋକାନୀମାନେ ଜବରଦଖଲ କରି ରଖିଥିବାରୁ ଏହି ସମସ୍ୟା ଦେଖିବାକୁ ମିଳିଛି।ଫଳରେ ଟ୍ରାଫିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। ଗୋଟିଏ ପଟରେ ଜନସଂଖ୍ୟା ବୃଦ୍ଧି ଏବଂ ଗାଡି ମୋଟରକୁ ନେଇ ଅଣନିଶ୍ବାସୀ ଅଞ୍ଚଳବାସୀ ହୋଇପଡୁଥିବାବେ ବେଳେ ଟ୍ରାଫିକ ବ୍ୟବସ୍ଥା ସହରବାସୀଙ୍କ ଚିନ୍ତା ବଢ଼ାଇଛି। ଧାମନଗର ବ୍ଲକ ବଜାର,ସାନ ବଜାର ଏବଂ ବଡ ବଜାର ଛକ ଠାରୁ ଦକ୍ଷିଣବାଡ ହନୁମାନ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଖରେ କେତେକ ସ୍ଥାନରେ ବେଆଇନ ଭାବେ ଦୋକାନ କରିବା ସହ ଦୋକାନ ଆଗକ ପାର୍କିଂ କରୁଥିବାରୁ ଯାତାୟାତରେ ବ୍ୟାଘାତ ହେଉଛି । ପର୍ବ ପର୍ବାଣୀରେ ଏପରି ଏତେ ଭିଡ଼ ହେଉଛି ଯେ ଦମକଳ ଏବଂ ଆମ୍ବୁଲାନ୍ସ ଗାଡି ଦୀର୍ଘ ସମୟ ଛିଡା ହୋଇ ରହୁଛି। ଉକ୍ତ ରାସ୍ତା ଦେଇ ଦୈନିକ ଶହ ଶହ ଗାଡି ସହିତ ହଜାର ହଜାର ଲୋକ ଯାତାୟାତ କରନ୍ତି। ମାତ୍ର ଟ୍ରାଫିକ ଜାମ ଯୋଗୁଁ ଘଣ୍ଟା ଘଣ୍ଟା ଲୋକମାନେ ଠିଆ ହେବାକୁ ପଡୁଛି। ବିଶେଷ କରି ଧାମନଗର ଥାନା ପାଚେରୀ ନିକଟରେ ସନ୍ଧ୍ୟା ବେଳେ ଉଠା ଦୋକାନୀ ମାନେ ଫାଷ୍ଟ ଫୁଡୁ ବେପାର କରୁଥିବାରୁ ଗ୍ରାହକ ପ୍ରବଳ ଭିଡ ରହୁଥିବାରୁ ଗାଡି ବସ, ଟ୍ରକ୍ ଇତ୍ୟାଦି ଭିଡ଼ରହୁଛି ଖୋଦ ଥାନାପାଖରେ ଏପରି ଭିଡ଼ ସହ ପାଚେରୀ ପାଖରେ ବେଆଇନ ଉଠା ଦୋକାନୀଙ୍କୁ ପୋଲିସ ଦେଖି ନଦେଖିଲା ପରି ଅଭିନୟ କରୁଛି। ଅପରପକ୍ଷରେ କେତେକ ବଡ ବଡ ଦୋକାନୀ ସେମାନଙ୍କ ଦୋକାନ ଆଗରେ ଘଣ୍ଟାଘଣ୍ଟା ଧରି ବଡବଡ ଟ୍ରକ୍ ଠିଆ କରି ମାଲ ଅନଲୋଡ କରୁଥିବାରୁ ବହୁ ମାତ୍ରାରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଯାତାୟାତରେ ସାଧାରଣ ଜନତା ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଠା ଦୋକାନୀ,ଫାଷ୍ଟ ଫୁଡୁ ବେପାରୀ ମାନଙ୍କୁ ରାସ୍ତା କଡ଼ରୁ ଉଠାଇ ଅନ୍ୟତ୍ର ସ୍ଥାନାନ୍ତର କରାଗଲେ ତାହେଲେ ଏହି ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି। ଦୁଖଃ ଓ ପରିତାପର ବିଷୟ ଯେ ଏହି ଜବରଦଖଲ ଏବଂ ଟ୍ରାଫିକ ସମସ୍ୟା ସମ୍ପର୍କରେ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଏ ସମ୍ପର୍କରେ ତହସିଲଦାର ଜ୍ଞାନରଞ୍ଜନ ସାହୁଙ୍କୁ ଆମ ବ୍ଲକ ପ୍ରତିନିଧି ଭେଟି ପଚାରିବାରୁ ସେ କହିଲେ ଆପଣ ସବୁକଥା ଜାଣିଛନ୍ତି ତଥାପି ଅପେକ୍ଷା କରନ୍ତୁ ନିୟମ ଅନୁସାରେ ଜବରଦଖଲ ଉଛେଦ କରାଯିବ ବୋଲି ତହସିଲଦାର ଶ୍ରୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତେବେ କ୍ଷମତାରେ ଚାପି ହୋଇ ପଢୁଛନ୍ତି ନା ଜବରଦଖଲ ଉଛେଦ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରୁଛନ୍ତି ଦେଖିବାକୁ ବାକିରହିଲା।


